ମାନବିକ ମୂଲ୍ୟବୋଧର ବିନିଯୋଗ ଦ୍ଵାରା ବିଶ୍ଵ ଶାନ୍ତି ପ୍ରତିଷ୍ଠା ସମ୍ଭବ

20170921_124144
ଯେତେବେଳେ ଜୀବନ-ଜୀବିକା, ଜାତି-ଧର୍ମ, ଧନୀ-ଗରିବ, ଶୋଷକ ଓ ଶୋଷିତ , ବିଜ୍ଞାନ ଓ ବିଶ୍ୱାସ, ଯୁକ୍ତିବାଦ ଓ ଅନ୍ଧବିଶ୍ଵାସ , କ୍ଷମତାଶାଳୀ ଓ କ୍ଷମତାହୀନ, ଖଟିଖିଆ ଓ ଲୁଟିଖିଆ , ଶିକ୍ଷା ଓ ଅଶିକ୍ଷା , ସମ୍ପତ୍ତିଶାଳୀ ଓ ସର୍ବହରା ଇତ୍ୟାଦି ସ୍ଥିତି , ବିଚାର ତଥା କିନ୍ତାଧାରାକୁ ନେଇ ସାରା ବିଶ୍ଵ ରେ ଆଜି ଅଶାନ୍ତି ତା’ର କାୟା ବିସ୍ତାର କରିଚାଲିଛି , ସେତେବେଳେ ଛାତ୍ର ଓ ଯୁବକ ମାନଙ୍କ ଦ୍ଵାରା ମାନବିକତା ଓ ମାନବୀୟ ମୂଲ୍ୟବୋଧ ର ସୁରକ୍ଷା ତଥା ପ୍ରଚାର ପ୍ରସାର ହିଁ ବିଶ୍ଵ ଶାନ୍ତି ପାଇଁ ବାଟ ଦେଖାଇ ପାରିବ ବୋଲି ମତ ପ୍ରକାଶ ପାଇଛି । ଶାନ୍ତି ପାଇଁ ଅଭିଯାନ, କନ୍ଧମାଳ ପକ୍ଷରୁ ବିଶ୍ଵ ଶାନ୍ତି ଦିବସ ଉପଲକ୍ଷେ ଆଜି ଫୁଲବାଣୀ ସ୍ଥିତ କେ.ବି . ହିଷ୍ଟ. କଲେଜରେ ଆୟୋଜିତ ଆଲୋଚନା ସଭାରେ ଏହି ମତ ପ୍ରକାଶ ପାଇଛି ।
‘ଏକ ଶାନ୍ତିପୂର୍ଣ ସମାଜ ଗଠନ ଦିଗରେ ଛାତ୍ର ଓ ଯୁବ ସମାଜର ଭୂମିକା’ ଶୀର୍ଷକ ଏହି ଆଲୋଚନାରେ କେ.ବି . ହିଷ୍ଟ. କଲେଜ ର ଅଧ୍ୟାପକ ଦେବାଶିଷ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଶାନ୍ତି ପାଇଁ ଅଭିଯାନର ସମ୍ପାଦକ ନରେନ୍ଦ୍ର ମହାନ୍ତି ମୁଖ୍ୟ ବକ୍ତା ଭାବରେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଏକ ଶୋଷଣ ବିହୀନ ସମାଜ, ମାନବିକ ଅଧିକାର, ନ୍ୟାୟପୂର୍ଣ ସମାଜ ହିଁ କେବଳ ସମାଜ ରେ ଶାନ୍ତି ପ୍ରତିଷ୍ଠା କରିପାରିବ ଏବଂ ଯେତେଦିନ ପର୍ଯ୍ୟନ୍ତ ସମାଜ ରେ ଉଚ୍ଚ-ନୀଚ , ଶୋଷଣ, ଗରିବୀ, କ୍ଷୁଧା , ଭେଦଭାବ ତିଷ୍ଠି ରହିଛି , ସେ ପର୍ଯ୍ୟନ୍ତ ସମାଜ ରେ ଶାନ୍ତି ପ୍ରତିଷ୍ଠା ସମ୍ଭବ ପର ନୁହେଁ ବୋଲି ସେ ମତବ୍ୟକ୍ତ କରିଥିଲେ । ତେଣୁ , ମାନବିକତା କୁ ଆଧାର କରି ଏକ ନ୍ୟାୟପୂର୍ଣ, ଶାନ୍ତିପୂର୍ଣ ଓ ଶୋଷଣ ବିହୀନ ସମାଜ ପାଇଁ ଲଢେଇ ଜାରି ରଖିବାକୁ ସେ ଆହ୍ଵାନ ଦେଇଥିଲେ । ଅଭିଯାନ ର ଆବାହକ ପ୍ରଫେସର ପ୍ରସନ୍ନ କୁମାର ବିଷୋୟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ଧର୍ମ ମତ ମଧ୍ୟରେ ଥିବା ମୂଳ ତତ୍ତ୍ଵ ପ୍ରେମ, ଦୟା, ଶାନ୍ତି ଓ ସଦଭାବନା କୁ ଯଦି ଆମେ ଏକତ୍ରୀକରଣ କରିପାରିବା, ତେବେ ଏକ ଶାନ୍ତିପୂର୍ଣ ସମାଜ ଗଠନ ଦିଗରେ ତାହା ଏକ ନୂଆ ଦିଗନ୍ତ ସୃଷ୍ଟି କରିପାରିବ ବୋଲି ମତବ୍ୟକ୍ତ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କେ.ବି . ହିଷ୍ଟ. କଲେଜର ଅଧ୍ୟାପିକା ବିଷ୍ଣୁପ୍ରିୟା ବିଶି, ସାମ୍ବାଦିକ ସଦାଶିବ ପାତ୍ର ପ୍ରମୁଖ ବିଶ୍ଵ ଶାନ୍ତି ଦିବସର ପ୍ରାସଙ୍ଗିକତା ଉପରେ ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଶାନ୍ତି ପାଇଁ ଅଭିଯାନ ପକ୍ଷରୁ ଜିରିମୀୟ ସୁନାମାଝି ‘ଶାନ୍ତି ଆମେ ଚାହୁଁ’ ଶୀର୍ଷକ ସଙ୍ଗୀତ ପରିବେଷଣ କରିଥିବା ବେଳେ କଲେଜ ର ଛାତ୍ରୀ ମୋନିକା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଅଧ୍ୟାପକ ରମାକାନ୍ତ ଦିଗାଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅଭିଯାନର ସଦସ୍ୟ ଦେବେନ୍ଦ୍ର ମନ୍ତ୍ରୀ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ ।

Share in top social networks!