ପାରାଦୀପ ତୈଳ ବିଶୋଧନାଗାର ଟିକସ ବାବଦରେ ପ୍ରଥମ କିସ୍ତିରେ ରାଜ୍ୟ ତହବିଲକୁ ଆସିଲା ୨୯୩୫ କୋଟି ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲା ବିଜେପି
କୃଷି ଋଣ ଛାଡ ଓ ରାଜ୍ୟରେ ମହିଳା ମାନଙ୍କର ଅସମ୍ମାନଜନକ ପ୍ରସବକୁ ରୋକିବା ପାଇଁ ଏହି ଅର୍ଥକୁ ବ୍ୟୟ କରା ଯିବାକୁ ଦାବି
ପାରାଦୀପ ରିଫାଇନାରୀର ରାଜ୍ୟ ସରକାରଙ୍କୁ ଟିକସ ବାବଦରେ ୨୯୩୫ କୋଟି ଟଙ୍କା ରାଜ୍ୟ ତହବିଲକୁ ଆସିଥିବା ପରିପ୍ରେକ୍ଷୀରେ ବିଜେପି ତରଫରୁ ଖୁସି ବ୍ୟକ୍ତ କରା ଯାଇଛି । ଏତେ ଅଧିକ ଅର୍ଥ ରାଜ୍ୟ ତହବିଲକୁ ଆସିଥିବା ପରିପ୍ରେକ୍ଷୀରେ କୃଷି ଋଣ ଛାଡ ଓ ରାଜ୍ୟରେ ମହିଳା ମାନଙ୍କର ଅସମ୍ମାନଜନକ ପ୍ରସବକୁ ରୋକିବା ପାଇଁ ଏହି ଅର୍ଥକୁ ବ୍ୟୟ କରା ଯିବାକୁ ବିଜେପି ଦାବି କରିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡିଶାର ବିକାଶ ପାଇଁ ଆନ୍ତରିକତା କାରଣରୁ ଓଡିଶାକୁ ଏତେ ବଡ ପରିମାଣର ଅର୍ଥ ମିଳିଥିବାରୁ ଏହି ଦୁଇ ନେତାଙ୍କୁ ଏକ ସାମ୍ବାଦିକ ସମ୍ମିଳନୀରେ ଧନ୍ୟବାଦ ଦେଇଛନ୍ତି ଦଳର ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ।
ଶ୍ରୀ ଶର୍ମା କହିଛନ୍ତି ଯେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ପେଟ୍ରୋଲିୟମ ମନ୍ତ୍ରୀ ଥିବାରୁ ଟିକସ ବିବାଦରେ ହସ୍ତକ୍ଷେପ କରି ଆଇନ ଅଦାଲତ ବାହାରେ କଥାବାର୍ତା ମାଧ୍ୟମରେ ଓଡିଆ ଲୋକ ମାନଙ୍କୁ ସେମାନଙ୍କର ହକ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଓଡିଆ ଲୋକଙ୍କ ସ୍ୱାର୍ଥ ରଖିବାକୁ ବିଫଳ ହୋଇ ପୁରା ଟିକସ ଛାଡ ପାଇଁ ବ୍ୟବସାୟିକ ରାଜିନାମା କରିଥିବା ବେଳେ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁ ହିଁ ଏହି ଅର୍ଥ ମିଳି ପାରିଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ମାତ୍ର ଓଡିଶାକୁ ଯେଉଁ ଅର୍ଥ ଆସୁଛି ତାହାର ସଦୁପଯୋଗ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଠାରେ ଦୁଇଟି ଅପେକ୍ଷା ପୂର୍ବରୁ ରଖିଛନ୍ତି ବୋଲି ଶ୍ରୀ ଶର୍ମା କହିଛନ୍ତି । ପ୍ରଥମ ଆଗ୍ରହ ହେଲା ଯେ ଏହି ଅର୍ଥର ବ୍ୟବହାରରେ ଆର୍ଥିକ ଦୁଃସ୍ଥିତିର ସାମନା କରୁଥିବା ରାଜ୍ୟର ଚାଷୀ ମାନଙ୍କୁ ସମ୍ପୂର୍ଣ ଋଣ ଛାଡ କରା ଯାଉ । ଦ୍ୱିତୀୟରେ ରାଜ୍ୟର ମା ଭଉଣୀ ମାନେ ଅଟୋରେ, ଖଟରେ, ବେତା, ଟୋକେଇରେ ତଥା ସାଙ୍ଗି ଭାରରେ ବୁହା ହୋଇ ଅସମ୍ମାନଜନକ ଭାବେ ପ୍ରସବ ଘଟଣାକୁ ରୋକିବା ପାଇଁ ଏହି ଅର୍ଥ ବ୍ୟବହାର କରିବାକୁ ସେ ରାଜ୍ୟ ସରକାରଙ୍କ ଠାରୁ ଆଶା ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ପୁରୋହିତ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ ଏବଂ ଅନ୍ୟତମ ରାଜ୍ୟ ପ୍ରବକ୍ତା ଗୋଲକ ପ୍ରସାଦ ମହାପାତ୍ର ଉପସ୍ଥିତ ଥିଲେ ।