କେନ୍ଦୁଝର ଜିଲ୍ଲାପାଳ ଗ୍ରହଣ କଲେ ଜାତୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର

IMG-20170901-WA0035
ସ୍ୱଚ୍ଛ ବିଦ୍ୟାଳୟ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବାରୁ ସ୍ୱୀକୃତି ସ୍ୱରୂପ ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲା ନାୟକ ଜାତୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଗ୍ରହଣ କରିଛନ୍ତି । ଚଳିତ ସେପ୍ଟେମ୍ବର ୧ ତାରିଖ ଶୁକ୍ରବାର ଦିନ ନୂଆଦିଲ୍ଲୀସ୍ଥିତ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନ ଅଡିଟୋରିଅମ୍ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଜିଲ୍ଲାପାଳ ଡଃ ନାୟକଙ୍କୁ ପୁରସ୍କୃତ କରିଥିଲେ । ସୂଚନାଯୋଗ୍ୟ ଓଡିଶାର ୫ଟି ଜିଲ୍ଲାର ୭ ଟି ବିଦ୍ୟାଳୟକୁ ଜାତୀୟ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ପ୍ରଦାନ କରାଯାଇଥିଲା । ରାଜ୍ୟ ଓ ଜାତୀୟ ସ୍ୱଚ୍ଛ ବିଦ୍ୟାଳୟ ନିମନ୍ତେ କେନ୍ଦୁଝର ଜିଲ୍ଲାରୁ ସର୍ବାଧିକ ନୋମିନେସନ୍ ଯାଇଥିଲା । ରାଜ୍ୟ ସରକାରଙ୍କ ତରଫରୁ କେନ୍ଦୁଝର ଜିଲ୍ଲାପାଳ ଡଃ ନାୟକ ମନୋନୀତ ହୋଇ ସ୍ୱଚ୍ଛ ବିଦ୍ୟାଳୟ ପୁରସ୍କାର ଗ୍ରହଣ କରିଥିଲେ । ୫ଟି ଜିଲ୍ଲାର ୭ଟି ବିଦ୍ୟାଳୟର ନୋଡାଲ୍ ଅଫିସର ଭାବେ କେନ୍ଦୁଝର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଞ୍ଜରୀ ଦାଶ ପୁରସ୍କାର ବିତରଣ ସମାରୋହରେ ଯୋଗଦେଇଥିଲେ । କେନ୍ଦୁଝର ଜିଲ୍ଲାର ଟୁକୁଣା ସ୍ଥିତ ବଳଭଦ୍ର ନାରାୟଣ ସଂସ୍କୃତ ଟୋଲ୍କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ଟୋଲ୍ର ହେଡ୍ ପଣ୍ଡିତ ଅକ୍ଷୟ କୁମାର କର ଏବଂ ନବମ ଶ୍ରେଣୀର ଛାତ୍ରୀ ସ୍ୱଚ୍ଛତା ମନ୍ତ୍ରୀ ଲକ୍ଷ୍ମୀପ୍ରିୟା ମିଶ୍ର ୫୦ ହଜାର ଟଙ୍କାର ପୁରସ୍କାର ରାଶି ଏବଂ ପ୍ରଶଂସା ପତ୍ର ଗ୍ରହଣ କରିଥିଲେ । ଏହି ପୁରସ୍କାର ବିତରଣ ସମାରୋହରେ ମାନବ ସମ୍ବଳ ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ ଏବଂ ବିଭାଗୀୟ ସଚିବ ଅନିଲ ସ୍ୱରୂପ ପ୍ରମୁଖ ଯୋଗଦେଇଥିଲେ । ସ୍ୱତନ୍ତ୍ର ଭାବେ ଜିଲ୍ଲାପାଳ ଡଃ ନାୟକ ପୁରସ୍କୃତ ହୋଇଥିବାରୁ ବିଭିନ୍ନ ମହଲ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!