ସ୍ୱାୟତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଓ ସରକାରଙ୍କ ବିଧାନସଭାରେ ଉତର ଉପସ୍ଥାପନ
କରି ମୁଖ୍ୟମନ୍ତ୍ରୀ ଘୋଷଣା ସର୍ବସ୍ୱ ସରକାର ଚଳାଉଛନ୍ତି : ବିଜେପି
 ଗୃହ ନିର୍ମାଣ ନେଇ ୨୦.୧୧.୨୦୧୫ ଓ ୦୨.୦୯.୨୦୧୫ର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ତଥା ୦୨.୧୨.୨୦୧୬ ଓ ୦୩.୦୩.୨୦୧୭ ବିଧାନସଭାରେ ସରକାରଙ୍କ ଉତର ମଧ୍ୟରେ ଆକାଶ ପାତାଳ ଫରକକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଟୁ ସମାଲୋଚନା
 ୩୦/୦୭/୨୦୧୬ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୫୦୦ କିଲୋ ମିଟର ପୁରୁଣା ପାଇପକୁ ବଦଳେଇବା ପାଇଁ । ମାତ୍ର ଆଜି ପର୍ଯ୍ୟନ୍ତ ଏହାର କିଛି ବି ଅଗ୍ରଗତି ହୋଇ ନାହିଁ ।
 ସହରାଂଚଳର ପରିମଳ ବ୍ୟବସ୍ଥା, ସାଧାରଣ ଲୋକଙ୍କର ପାଇଁ ସାର୍ବଜନୀନ ଶୌଚାଳୟ, ଡ୍ରେନେଜ ଏବଂ ସ୍ୱେରେଜ ବ୍ୟବସ୍ଥା ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ
 ଜେଏନ୍ଏନ୍ୟୁଆର୍ଏମ୍ ଭୁବନେଶ୍ୱର ଓ ପୁରୀ ସହରର ନାଗରିକ ସୁବିଧା ବିକାଶ ପାଇଁ ଯୋଜନା ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ସମ୍ପୂର୍ଣ୍ଣ ବିଫଳ
 ରାଜ୍ୟ ସରକାରଙ୍କର କଠିନ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ କେବଳ ଘୋଷଣାରେ ରହିଛି
 ସହରାଂଚଳରେ ଉତମ ନାଗରିକ ସୁବିଧା ଉପଲବ୍ଧ କରାଇବା ତଥା ବିଶେଷ ଭାବରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ସମାଧାନ କରିବାରେ ରାଜ୍ୟ ସରକାର ବିଫଳ ବୋଲି କଲା ଅଭିଯୋଗ
PIX_PC_SameerMohanty_30-08-2017

ସହରାଂଚଳରେ ଉତମ ନାଗରିକ ସୁବିଧା ଉପଲବ୍ଧ କରାଇବା ତଥା ବିଶେଷ ଭାବରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଓ ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ସମାଧାନ କରିବା ଓ ସେମାନଙ୍କ ମୁଣ୍ଡ ଉପରେ ପକ୍କା ଘରକୁ ସୁନିଶ୍ଚିତ କରିବା ଏ ସମସ୍ତ ପାଇଁ ରାଜ୍ୟ ସରକାରଙ୍କର ପ୍ରତିଶ୍ରୁତି ସତ୍ୱେ ଏହା ପ୍ରତାରଣାରେ ପରିଣତ ହୋଇଛି ବୋଲି ସ୍ୱାୟତ ଶାସନ ଦିବସ ଅବ୍ୟବହିତ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।
ସ୍ୱାୟତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ଯୋଜନା ଘୋଷଣା ସର୍ବସ୍ୱ ସରକାରଙ୍କର ସାଧାରଣ ଲୋକଙ୍କୁ ଭଣ୍ଡେଇବା ଓ ପ୍ରତାରିତ କରିବାର ନାଟକ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।
ସହରାଂଚଳରେ ଗରୀବ ବସ୍ତିବାସିନ୍ଦାଙ୍କ ସମସ୍ୟାକୁ ନବୀନ ପଟ୍ଟନାୟକଙ୍କ ୧୭ ବର୍ଷର ସରକାର କେବଳ ପ୍ରତିଶ୍ରୁତିର ବାଣରେ ଜର୍ଜରିତ କରିଛନ୍ତି । ସମାଧାନ ଦେଇ ପାରି ନାହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ପୌର ନିର୍ବାଚନ ଆସିଲେ ସରକାର ଗରୀବ ବସ୍ତିବାସିନ୍ଦାଙ୍କୁ ଜମି ପଟ୍ଟା ଓ ପକ୍କା ଘର ଯୋଗାଇ ଦେବାର ନାଟକ କରନ୍ତି । ପ୍ରତିଶ୍ରୁତି ଦିଅନ୍ତି, ପାଳନ କରନ୍ତି ନାହିଁ । ପୁଣି ନିର୍ବାଚନ ଆସିଲେ ଆଉଥରେ ପ୍ରତିଶ୍ରୁତି ଦିଅନ୍ତି ।
ଏ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୨୦.୧୧.୨୦୧୫ ଏବଂ ୦୨.୦୯.୨୦୧୫ର ଘୋଷଣାନାମାକୁ ଗଣମାଧ୍ୟମ ସାମନାରେ ଉପସ୍ଥାପିତ କରି ଏହି ପ୍ରତିଶ୍ରୁତିର ଅଗ୍ରଗତିର ହିସାବ ମାଗିଛନ୍ତି ଶ୍ରୀ ମହାନ୍ତି ।
୨୦.୧୧.୨୦୧୫ର ଘୋଷଣାନାମାରେ ‘ ଆବାସ ମିଶନ ପାଇଁ ଜମି ହସ୍ତାନ୍ତର ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ, ୨୦୧୫-୧୬ରେ ନିର୍ମାଣ ହେବ ୩୨ ହଜାର ବାସଗୃହ’ ପ୍ରତିଶ୍ରୁତି ପ୍ରତାରଣାର ରୂପ ନେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
(ପୃÂା: ୧/୨)

ଏହି ବୈଠକର ନିର୍ଣୟ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଘୋଷଣା କରା ଯାଇଥିଲା ଯେ ‘ ୫ଟି ମ୍ୟୁନିସିପାଲ କର୍ପୋରେସନ ଓ ୪୫ଟି ମ୍ୟୁନିସିପାଲିଟୀରେ ଚଳିତ ୨୦୧୫-୧୬ରେ ୩୨ ହଜାର ଗୃହ ନିର୍ମାଣ ପାଇଁ ଲକ୍ଷ୍ୟ ରଖା ଯାଇଛି । ଭୁବନେଶ୍ୱରରେ ୯୭୩୦ ବାସଗୃହ ପାଇଁ ୪ଟି ପ୍ରକଳ୍ପ ଅନୁମୋଦିତ ହୋଇଛି ଏବଂ ଏଥି ମଧ୍ୟରୁ ୫୬୦୦ ବାସଗୃହ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ୦୨.୦୯.୨୦୧୫ରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଘୋଷଣାନାମା ଅନୁସାରେ ‘ ବସ୍ତି ଉନ୍ନୟନ ଓ ଗୃହ ନିର୍ମାଣ ପାଇଁ ବିଡିଏକୁ ୧୦୭ ଏକର ଜମି ହସ୍ତାନ୍ତରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ’ ମିଥ୍ୟା ପ୍ରତିଶ୍ରୁତିର ସୌଦାଗରଙ୍କ ଆଉ ଏକ ଡାହା ମିଛ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଏହି ପ୍ରତିଶ୍ରୁତି ଏକ ପ୍ରତାରଣ କହିବା ସହ ବିଧାନସଭାରେ ଡିସେମ୍ବର ୨୦୧୬ ( ଅଣତାରକା ପ୍ରଶ୍ନ-୧୬୧) ଓ ମାର୍ଚ ୨୦୧୭ ( ତାରକା ପ୍ରଶ୍ନ ୨୦୮)ର ଉତରକୁ ଉପସ୍ଥାପିତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ନାମା ଯେ ସମ୍ପୂର୍ଣ ରୂପେ ପାଣିରେ ଗାର ଏହା ପ୍ରମାଣିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଅଣତାରକା ପ୍ରଶ୍ନ ୧୬୧ର ଉତରରେ ଡିସେମ୍ବର ୨୦୧୬ରେ ମୋଟ ୮୩୫ ହିତାଧିକାରୀଙ୍କୁ ଗୃହ ଯୋଗାଇ ଦେବା ସମ୍ପର୍କରେ ରାଜ୍ୟ ସରକାର ଲିଖିତ ଉତର ଦେଇଛନ୍ତି । ପୁଣି ତାରକା ପ୍ରଶ୍ନ ୨୦୮ରେ କହିଛନ୍ତି ଯେ ‘ ରାଜ୍ୟର ସହରାଂଚଳରେ ବାସ କରୁଥିବା ଗୃହହୀନ ପରିବାର ମାନଙ୍କୁ ଗୃହ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରୀ କରାଯାଉଛି । ’
ଘୋଷଣା ଓ କାର୍ଯ୍ୟକାରିତା ନବୀନ ପଟ୍ଟନାୟକ ଯେ ଘୋଷଣା ସର୍ବସ୍ୱ ମୁଖ୍ୟମନ୍ତ୍ରୀ ଶ୍ରୀ ମହାନ୍ତି ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ମନଲୋଭା ଘୋଷଣାରେ ବିଶ୍ୱାସ ନ କରି ତାଙ୍କୁ କାର୍ଯ୍ୟ ଆଧାରରେ ଆକଳନ କରି ପ୍ରତ୍ୟାଖ୍ୟାନ କରିବା ପାଇଁ ଶ୍ରୀ ମହାନ୍ତି ଆହ୍ୱାନ କରିଛନ୍ତି ।
ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବା କୌଣସି ବି ସରକାରଙ୍କର ପ୍ରାଥମିକ ଦାୟିତ୍ୱ । ତା ୩୦/୦୭/୨୦୧୬ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୫୦୦ କିଲୋ ମିଟର ପୁରୁଣା ପାଇପକୁ ବଦଳେଇବା ପାଇଁ । ଆଜି ପର୍ଯ୍ୟନ୍ତ ଏହାର କିଛି ବି ଅଗ୍ରଗତି ହୋଇ ନାହିଁ । ଜଣ୍ଡିସ ଓ ଅନ୍ୟାନ୍ୟ ରୋଗ ବ୍ୟାପୁଛି । ମୁଖ୍ୟମନ୍ତ୍ରୀ ଏହାକୁ ଘୋଷଣା କରି କାହିଁକି ଚୁପ ବସିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ରାଜ୍ୟ ସରକାରଙ୍କର କଠିନ ବର୍ଜ୍ୟ ପରିଚାଳନା କାର୍ଯ୍ୟକ୍ରମ କେବଳ ଘୋଷଣାରେ ରହିଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ସହରାଂଚଳର ପରିମଳ ବ୍ୟବସ୍ଥା, ସାଧାରଣ ଲୋକଙ୍କର ପାଇଁ ସାର୍ବଜନୀନ ଶୌଚାଳୟ, ଡ୍ରେନଜ ଏବଂ ସ୍ୱେରେଜ ବ୍ୟବସ୍ଥା ସମ୍ପୂର୍ଣ ରୂପେ ବିପର୍ଯ୍ୟସ୍ତ ହୋଇ ଯାଇଛି । ପ୍ରମୁଖ ସହରରେ ପରିମଳ ବ୍ୟବସ୍ଥା ପାଇଁ ଚାଲୁଥିବା ଜାଇକା ପ୍ରକଳ୍ପ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ପାଇଁ ବିଳମ୍ବିତ ହେବା କାରଣରୁ ବିଦେଶୀ ସରକାରଙ୍କର ସହାୟତାରେ ଚାଲୁଥିବା କଟକ, ଭୁବନେଶ୍ୱର ସହରରେ ଏହି ପ୍ରକଳ୍ପ ସାଧାରଣ ଲୋକଙ୍କୁ ସୁବିଧା ପହଂଚାଇବା ପରିବର୍ତେ ଯନ୍ତ୍ରଣା ଦେଉଛି । ଖୋଲା ପଡିଥିବା ମ୍ୟାନହୋଲରେ ପୁରୁଣା ଭୁବନେଶ୍ୱରର ଜଣେ ମହିଳା ରାତି ଟିଏ ପଡି ଯିବା ସରକାରଙ୍କର ବିଫଳତାର ସାର୍ଟିଫିକେଟ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ୨୦୦୫ରୁ ୨୦୧୪ କେନ୍ଦ୍ରସରକାରଙ୍କ ସମ୍ପୂର୍ଣ୍ଣ ଅନୁଦାନରେ ଚାଲୁଥିବା ଜେଏନ୍ଏନ୍ୟୁଆର୍ଏମ୍ ଯୋଜନାରେ ଭୁବନେଶ୍ୱର ଓ ପୁରୀ ସହରର ନାଗରିକ ସୁବିଧା ବିକାଶ ପାଇଁ ଯୋଜନା ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
ଏପରି ପରିସ୍ଥିତିରେ ସ୍ୱାୟତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କର ଡ୍ରାମାକୁ ରାଜ୍ୟର ସହରାଂଚଳବାସୀ ପ୍ରଭାବିତ ନ ହୋଇ ପ୍ରତ୍ୟାଖ୍ୟାନ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଉପସ୍ଥିତ ଥିଲେ ।

Share in top social networks!
Powered By Indic IME