‘କାଳିଦାସ ଓ ଓଡିଶା’ ବିଷୟରେ ରାଜ୍ୟ ଓ ଜାତୀୟ ଆଲୋଚନାଚକ୍ର ଆୟୋଜନ ହେବ

kalidas‘ମହାକବି କାଳିଦାସ ଓ ଓଡିଶା’ ବିଷୟରେ ଅନେକ ତଥ୍ୟ ସମ୍ପର୍କରେ ବୁଦ୍ଧିଜୀବୀ ଓ ଜନସାଧାରଣ ଅବଗତ ହେବା ନିମନ୍ତେ ଆସନ୍ତା ଅପ୍ରେଲ ଏବଂ ଅଗଷ୍ଟ ମାସରେ ଭୁବନେଶ୍ଵର ଏବଂ ପୁରୀ ସଂସ୍କୃତ ବିଶ୍ଵବିଦ୍ୟାଳୟଠାରେ ଆଲୋଚନା ଚକ୍ର ଆୟୋଜନ କରାଯିବ | ବିଶଦ ଗବେଷଣା ସହ ଏକ ଉଚ୍ଚକୋଟୀର ଗବେଷଣାତ୍ମକ ପ୍ରବନ୍ଧ ସଙ୍କଳନ ଦିଗରେ ଯଥାଶୀଘ୍ର ପଦକ୍ଷେପ ନେବାକୁ ସଂସ୍କୃତି, ପର୍ଯ୍ୟଟନ ଏବଂ ଯୋଜନା ସମନ୍ଵୟ ମନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ଵର ମହାନ୍ତି ଭୁବନେଶ୍ଵର ମ୍ୟୁଜିୟମଠାରେ ସମବେତ ବିଦ୍ଵାନ ଓ ଗବେଷକମାନଙ୍କର ଏକ ବୈଠକରେ ପ୍ରକାଶ କରିଛନ୍ତି |

ଏଥିନିମନ୍ତେ ଏକ କମିଟି ଗଠନ କରାଯାଇ ପ୍ରବନ୍ଧ ଆହ୍ଵାନ କରାଯିବା ପରେ ସେଗୁଡିକର ପ୍ରକାଶନ ନିମନ୍ତେ ମନୋନୀତ କରାଯିବ | ମ୍ୟୁଜିୟମ ପୋଥି ବିଭାଗ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି | ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଅଶୋକ କୁମାର ତ୍ରିପାଠୀ କହିଲେ ଯେ କାଳିଦାସ ଓ ଓଡିଶା ସମ୍ପର୍କରେ ପ୍ରବନ୍ଧ ସଙ୍କଳନର ଏକ ନକଲ ପ୍ରକାଶ ପୂର୍ବରୁ ୱେବସାଇଟ ରେ ଛଡ଼ାଯାଇ ବିଦ୍ଵାନ ମାନଙ୍କ ମତାମତକୁ ଆହ୍ଵାନ କରାଯିବ | ମ୍ୟୁଜିୟମ ଏହି ସଙ୍କଳନ କୁ ପ୍ରକାଶ କରିବା ପାଇଁ ପଦକ୍ଷେପ ନେବ | ସଂସ୍କୃତି ନିର୍ଦେଶକ ଶ୍ରୀ ସୁଶୀଲ ଦାସ ଏଥି ନିମନ୍ତେ ବିଶେଷଜ୍ଞମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ଯଥାଶୀଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବେ |

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କାଳିଦାସ ଓଡିଶାକୁ ଆସିଥିଲେ କିମ୍ବା ଭଲଭାବେ ଓଡ଼ିଶାକୁ ଜାଣିଥିଲେ | କୋରାପୁଟ ର ମହେନ୍ଦ୍ରଗିରିର ପ୍ରାକୃତିକ ପରିବେଶରୁ ଯାହା ଜଣାଯାଏ କାଳିଦାସ ନିଶ୍ଚୟ ଏହିସ୍ଥାନକୁ ଭଲଭାବେ ଜାଣିଥିଲେ | ନହେଲେ ସେ ଏହାର ଏତେ ସୁନ୍ଦର ବର୍ଣନା କରିପାରି ନଥାନ୍ତେ | ଗବେଷକ ଶ୍ରୀ ପ୍ରଫୁଲ୍ଲ ମିଶ୍ର ଏବଂ ଗୋପାଳକୃଷ୍ଣ ଦାସ ସେ ଅଞ୍ଚଳ ଗ୍ରସ୍ତକରି ୧୦ ପୃଷ୍ଠା ସମ୍ବଳିତ ଏକ ତଥ୍ୟ ପ୍ରଦାନ କରିଛନ୍ତି | ବର୍ତ୍ତମାନ ସାହିତ୍ୟ, ଭୂଗୋଳ ଓ ପ୍ରତ୍ନତତ୍ତ୍ଵ ଅନୁସାରେ କାଳିଦାସଙ୍କର ବର୍ଣିତ ସ୍ଥାନ ଗୁଡିକ ବିଷୟରେ ଚର୍ଚ୍ଚା କରିବା ପାଇଁ ଗବେଷକମାନେ ପ୍ରସ୍ତାବ ରଖିଥିଲେ | ଗତ ୧୫/୧୧/୨୦୧୨ରିଖରେ ଭୁବନେଶ୍ଵରସ୍ଥ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ସଂସ୍କୃତି ମନ୍ତ୍ରୀଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଜାତୀୟସ୍ତରରେ ଏକ ବିତର୍କ ନିମନ୍ତେ କ୍ଷେତ୍ର ପ୍ରସ୍ତୁତି କରାଯାଇ କାଳିଦାସ ଓ ଓଡିଶା ସମ୍ପର୍କରେ ଏକ ତଥ୍ୟ ଆଧାରିତ ସଙ୍କଳନ ପ୍ରକାଶନ ଉପରେ ବୈଠକରେ ସର୍ବସମ୍ମତି ମତ ପ୍ରକାଶ ପାଇଥିଲା | ସାହିତ୍ୟ ଏକାଡେମୀର ସମ୍ପାଦକ ଶ୍ରୀ ବିଜୟ ନାୟକ ସମସ୍ତଙ୍କ ସହଯୋଗ କାମନା କରି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ଆହୁତ ଏହି ବୈଠକରେ ଡଃ ସୁରେନ୍ଦ୍ର କୁମାର ମିଶ୍ର, କୈଳାସ ଚନ୍ଦ୍ର ଟିକଏତରାୟ, ଗୋପାଳକୃଷ୍ଣ ଦାସ, ପ୍ରଫୁଲ୍ଲ କୁମାର ମିଶ୍ର, ବ୍ରଜ କିଶୋର ମିଶ୍ର, ପଦ୍ମନାଭ ପଣ୍ଡା, ଭାଗ୍ୟଧର ମଲ୍ଲ, ସୁନୀଲ ପଟ୍ଟନାୟକ, ଅଦୈତ ଧଳ, ପ୍ରଫେସର ପ୍ୟାରିମୋହନ ପଟ୍ଟନାୟକ, ରାଜକିଶୋର ମିଶ୍ର, ସୁରେନ୍ଦ୍ର କୁମାର ମହାରଣା, ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ବିଭାଗୀୟ ସୂଚନା ଅଧିକାରୀ ବରଦା ପ୍ରସନ୍ନ ଦାସ ଓ ଅନ୍ୟାନ୍ୟ ଅଧିକାରୀ ଓ ବିଶେଷଜ୍ଞମାନେ ଉପସ୍ଥିତ ଥିଲେ |

Share in top social networks!
Powered By Indic IME