ଓଡିଶା ଛାତ୍ରଛାତ୍ରୀ ଶ୍ରେଷ୍ଠ ବିବେଚିତ

ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଟି.ଇ. ଏବଂ ଏସ୍.ସି.ଇ.ଆର୍.ଟି ଦ୍ଵାରା ଆୟୋଜିତ ଓଡିଶାର ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରୁ ଯୋଗ୍ୟ ବିବେଚିତ ହୋଇଥିବା ୪୦ ଜଣ ଛାତ୍ରଛାତ୍ରୀ ଗତ ଜାନୁଆରୀ ୮ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ କୋଲକାତାସ୍ଥିତ ବିରଳା ଇଣ୍ଡଷ୍ଟ୍ରିଆଲ୍ ଏବଂ ଟେକ୍ନୋଲୋଜିକାଲ ମ୍ୟୁଜିୟମ୍ ରେ ପୂର୍ବ ଭାରତୀୟ ବିଜ୍ଞାନମେଳା (ଇଷ୍ଟର୍ଣ ଇଣ୍ଡିଆ ସାଇନ୍ସ ଫେୟାର) ରେ ଓଡିଶାରୁ ପ୍ରତିନିଧିତ୍ଵ କରିଥିଲେ | ତନ୍ମଧ୍ୟରୁ ଭାଗ ନେଇଥିବା ସୁନ୍ଦରଗଡ ଜିଲ୍ଲାର ଇନ୍ଦ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଶ୍ଵେତପଦ୍ମା ମିଶ୍ରଙ୍କର ‘ଆନ୍ନା ହଜାରେ ସୁଲଭ ବିତରଣ ବ୍ୟବସ୍ଥା’ ପ୍ରକଳ୍ପଟି ସମଗ୍ର ପୂର୍ବାଞ୍ଚଳ ବିଜ୍ଞାନ ମେଳାରେ ଶ୍ରେଷ୍ଠ ବିବେଚିତ ହୋଇ ଚମ୍ପିୟାନ୍ ହେବା ସହ ବାର ହଜାର ଟଙ୍କାର ପୁରସ୍କାର ରାଶି ସହ ଟ୍ରଫି ହାସଲ କରିଛି |

ସେହିପରି ଜୁନିୟର ବିଭାଗରେ ଗଞ୍ଜାମ ଜିଲ୍ଲାର ଗୋବିନ୍ଦପୁର ୟୁ.ପି.ସ୍କୁଲର ସୌଭାଗିନୀ ଚାନ୍ଦଙ୍କ ‘ମୋବାଇଲ ସାହାଯ୍ୟରେ ଗୃହ ବିଦ୍ୟୁତ ଉପକରଣ ଓ କୃଷି କ୍ଷେତ୍ରରେ ନିୟନ୍ତ୍ରଣ’ ପ୍ରକଳ୍ପଟି ମଧ୍ୟ ଯୋଗ୍ୟ ବିବେଚିତ ହୋଇ ଶ୍ରେଷ୍ଠ ପ୍ରକଳ୍ପ ଭାବେ ପୁରସ୍କୃତ ହୋଇଛି | ସେହିପରି ଉତ୍କୃଷ୍ଟ ପ୍ରକଳ୍ପ କ୍ରମରେ ଓଡିଶାର ଆଉ ୪ଗୋଟି ପ୍ରକଳ୍ପ ଯୋଗ୍ୟ ବିବେଚିତ ହୋଇଛି | ସେହିପରି ହେଲେ କନ୍ଧମାଳର ସ୍ନିଗ୍ଧାରାଣୀ ପ୍ରଧାନ, କୋରାପୁଟର ଅର୍ପିତା ମହାରଣା, ଭଦ୍ରକର ଶୁଭଶ୍ରୀ ସାହୁ ଏବଂ କେନ୍ଦୁଝରର ସୌମେନ୍ଦ୍ର ସ୍ଵାଇଁ | ଏତଦ୍ ବ୍ୟତୀତ କୁଇଜ୍ ଓ ପ୍ୟାଟର୍ଣ ମେକିଙ୍ଗ୍ ପ୍ରତିଯୋଗିତାରେ ଓଡିଶାର ଛାତ୍ରଛାତ୍ରୀମାନେ ଉଭୟରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଓଡିଶା ପାଇଁ ଅଦ୍ଭୁତପୂର୍ବ ସଫଳତା ଆଣି ଦେଇଛନ୍ତି | ସୂଚନା ଯୋଗ୍ୟ ଉକ୍ତ ବିଜ୍ଞାନ ମେଳାରେ ଓଡିଶା ସମେତ ପୂର୍ବାଞ୍ଚଳର ୧୩ ଗୋଟି ରାଜ୍ୟ ଅଂଶ ଗ୍ରହଣ କରିଥିଲେ | ବିଗତ ବର୍ଷମାନଙ୍କରେ ମଧ୍ୟ ଓଡିଶା ବହୁବାର ଏହିପରି ପୂର୍ବାଞ୍ଚଳ ବିଜ୍ଞାନ ମେଳାରେ କୃତିତ୍ଵ ହାସଲ କରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶ |

Share in top social networks!
Powered By Indic IME