ରାଜ୍ୟସଭା ପ୍ରାର୍ଥୀ ଓ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ଦଳିତ, ଆଦିବାସୀ ଓ ଗରୀବ ବିରୋଧୀ ଚେହେରା ସ୍ପଷ୍ଟ ହୋଇଛି : ବିଜେପି

• ଜଣେ ଦଳିତଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରି ତାଙ୍କ ସ୍ଥାନରେ ରାଜ ପରିବାର ସଦସ୍ୟଙ୍କୁ ବାଛିବାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି
• ଦୁଇ ଆଦିବାସୀ ମନ୍ତ୍ରୀଙ୍କୁ ବିଦା କରି ଜଣେ ହେଲେ ଆଦିବାସୀ ଚେହେରାଙ୍କୁ ନେଇ ନାହାନ୍ତି ନବୀନ

sameerରାଜ୍ୟ ସଭା ପ୍ରାର୍ଥୀତ୍ୱ ଓ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ମାମଲାରେ ରାଜ୍ୟର ଶାସକ ବିଜେଡି ଦଳିତ, ଆଦିବାସୀ ଓ ଗରୀବ ବିରୋଧୀ ହୋଇଥିବା ପ୍ରମାଣିତ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।
ବିଜେପି ରାଜ୍ୟ ଉପ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ଯେ, ଦଳିତ ରାଜ୍ୟ ସଭା ସାଂସଦ ବିଷ୍ଣୁ ଦାସଙ୍କୁ ବର୍ଷେ ପରେ ରାଜ୍ୟ ସଭାରୁ ହଟାଇ ତାଙ୍କ ବଦଳରେ ଆଳି ରାଜ ପରିବାରର ପ୍ରତାପ ଦେବଙ୍କୁ ରାଜ୍ୟ ସଭା ପଠାଉଛି ବିଜେଡି । ଦଳିତ ନେତା ବିଷ୍ଣୁ ଦାସଙ୍କ କାର୍ଯ୍ୟକାଳ ସରିବା ପୂର୍ବରୁ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଇ ଆଉ ଜଣେ ରାଜପରିବାର ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଛିବା ପଛର କାରଣକୁ ନେଇ ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ରାଜ୍ୟ ସଭା ପ୍ରାର୍ଥୀ ଚୟନ ପୂର୍ବରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଆଦିବାସୀ ବିରୋଧୀ ଚେହେରା ସାମନାକୁ ଆସିଥିଲା । ଦୁଇ ଜଣ ଆଦିବାସୀ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିଥିବା ବେଳେ ଜଣେ ହେଲେ ଆଦିବାସୀ ଚେହେରା ସଂପ୍ରସାରିତ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନ ଥିଲେ ।
ରାଜନୈତିକ ସ୍ୱାର୍ଥ ପାଇଁ ଦଳିତ, ଆଦିବାସୀ ଓ ଗରୀବଙ୍କ ନାମ ମୁଖ୍ୟମନ୍ତ୍ରୀ ନେଉଥିବା ବେଳେ ପ୍ରକୃତପକ୍ଷେ ରାଜ୍ୟ ସଭା ଓ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରିପ୍ରେକ୍ଷୀରେ ତାଙ୍କର ଦଳିତ- ଆଦିବାସୀ- ଗରୀବ ବିରୋଧୀ ଚେହେରା ଲୋକ ଲୋଚନରେ ସ୍ପଷ୍ଟ ହୋଇଛି ହୋଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!