ଆନନ୍ଦ ଓ ଉତ୍ସାହର ସହ ଓଡ଼ିଶା ପର୍ବ ୨୦୧୭ ପାଳିତ; ଦିଲ୍ଲୀ ଏବଂ ଏନ୍ସିଆର୍ରେ ଅଭୁତପୂର୍ବ ପ୍ରତିକ୍ରିୟା

parva5
• ଉଦଯାପନୀ ସନ୍ଧ୍ୟାରେ ଝାଡ଼ଖଣ୍ଡର ମାନ୍ୟବର ରାଜ୍ୟପାଳ ଶ୍ରୀମତି ଦ୍ରୌପଦୀ ମୁର୍ମୂ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ବୈଜୟନ୍ତ ପଣ୍ଡା ଏବଂ ସଂସ୍କୃତି ମନ୍ତ୍ରାଳୟ ସଚିବ ଏନ୍ କେ ସିହ୍ନା ଯୋଗଦେଇଥିଲେ
• ପଦ୍ମଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଦ୍ୱାରା ଚିତାକର୍ଷକ ସମ୍ବଲପୁରୀ ଲୋକଗୀତ ଓ ନୃତ୍ୟ ପରିବେଷଣ

ନୂଆଦିଲ୍ଲୀ, ୦୧-୦୫-୨୦୧୭- ଗତ ତିନି ଦିନ ଧରି ତଥା ଏପ୍ରିଲ ୨୯ ତାରିଖରୁ ଆରମ୍ଭ ହୋଇଥିବା ଓଡ଼ିଶା ପର୍ବ-୨୦୧୭କୁ ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍ସିଆର୍)ର ଅଧିବାସୀ ବହୁ ସଂଖ୍ୟାରେ ଯୋଗଦେଇ ଏହାକୁ ଖୁବ ଜାକଜମକରେ ପାଳନ କରଛନ୍ତି । ଓଡ଼ିଶାର ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ସୁସ୍ୱାଦୁ ବ୍ୟଞ୍ଜନକୁ ନେଇ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ଗେଟ୍ ଲନ୍ରେ ‘ଓଡ଼ିଆ ସମାଜ’ ପକ୍ଷରୁ ଆୟୋଜନ କରାଯାଇଥିବା ଏହି ୩ ଦିନିଆ ‘ଓଡ଼ିଶା ପର୍ବ-୨୦୧୭’ର ଶେଷ ଦିବସରେ ମୁଖ୍ୟଅତିଥି ଭାବେ ଝାଡ଼ଖଣ୍ଡର ମାନ୍ୟବର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ମାନ୍ୟବର ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା, ସଂସ୍କୃତି ମନ୍ତ୍ରାଳୟ ସଚିତ ଭାରତ ସରକାର ଏନ୍ କେ ସିହ୍ନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସଭାପତି ଓଡ଼ିଆ ସମାଜ, ଶ୍ରୀ ସିଦ୍ଧାର୍ଥ ପ୍ରଧାନଙ୍କ ଦ୍ୱାରା ସ୍ୱାଗତ ଭାଷଣ ଦିଆଯାଇଥିବା ବେଳେ ଟ୍ରଷ୍ଟି ଶ୍ରୀ ସନ୍ଦୀପ ମହାପାତ୍ର ପକ୍ଷରୁ ଧନ୍ୟବାଦ ଅର୍ପଣ କରା ଯାଇଥିଲା ।

ଝାଡ଼ଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୂ ତାଙ୍କ ଅଭିଭାଷଣ କହିଥିଲେ ଯେ ରାଜଧାନୀ ଦିଲ୍ଲୀ ତଥା ଏନ୍ସିଆରେ ପ୍ରାୟ ୧୦ ଲକ୍ଷ ଲୋକ ଓଡ଼ିଶାର ସଂସ୍କୃତିକୁ ପାଳନ କରିଥାନ୍ତି ମାତ୍ର, ସବୁବେଳେ ଏକ ବ୍ୟବଧାନ ରହିଥାଏ ବୋଲି ସେ କହିଥିଲେ । ଓଡ଼ିଶାର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିପାରିଥିବା ଏହିପରି ଏକ କାର୍ଯ୍ୟକ୍ରମ ଉକ୍ତ ବ୍ୟବଧାନକୁ ପୂରା କରି ପାରିଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଆମେ ଯଦିଓ ଏକବିଂଶ ଶତାବ୍ଦୀରେ ପହଞ୍ଚି ପାରିଛୁ ତଥାପି ଆମେ ଆମ ସଂସ୍କୃତି ଓ ପରମ୍ପରାକୁ ଭୁଲିଯିବା ଉଚିତ ନୁହେଁ ବୋଲି ସେ କହିଥିଲେ । ଏହିପରି କାର୍ଯ୍ୟକ୍ରମ କେବଳ ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାକୁ ଦୃଢ କରିବ ତାହା ନୁହେଁ ଭାରତ ତଥା ଭାରତ ବାହାରେ ମଧ୍ୟ ଏହାର ପତିଆରା ବୃଦ୍ଧି ପାଇବ ।

ପର୍ବର ଶେଷ ଦିବସର ଆରମ୍ଭରେ ଓଡ଼ିଶାର ମନମୁଗ୍ଧକର ଲୋକନୃତ୍ୟ, ନୂଆଦିଲ୍ଲୀସ୍ଥିତ ଉକ୍ରଳିନୀ ଦ୍ୱାରା ବନେ୍ଦ ଉକ୍ରଳ ଜନନୀ (ସମବେତ କଣ୍ଠ ସଙ୍ଗୀତ) ପରିବେଷଣ, ନୂଆଦିଲ୍ଲୀସ୍ଥିତ ଚନ୍ଦ୍ରକାନ୍ତ ସୂତାରଙ୍କ ଦ୍ୱାରା ନବକଳେବର (ଓଡ଼ିଶୀ ନୃତ୍ୟ), ଦେବାଶିଷ ମହାପାତ୍ର ଏବଂ ପଙ୍କଜ ଜାଲଙ୍କ ଦ୍ୱାରା ଓଡ଼ିଶା ଫୋକ୍ ଫୁ୍ୟଜନ୍ “ଦେଶୀଆଜ୍”, ଦୂଆଦିଲ୍ଲୀର ରାଜେଶ ସାଇବାବୁଙ୍କ ଦ୍ୱାରା ଛଉନୃତ୍ୟ “ଶିବାୟ”, ଓଡ଼ିଆ ଲୋକଗୀତ ଶିଳ୍ପୀ ପଦ୍ମଶୀ୍ର ପୁରସ୍କାର ପ୍ରାପ୍ତ ଶ୍ରୀ ଜିତେନ୍ଦ୍ରୀୟ ହରିପାଲଙ୍କ ଦ୍ୱାରା ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ ଏହି ସନ୍ଧ୍ୟାର ଅନ୍ୟତମ ଆକର୍ଷଣ ଥିଲା । ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଟି. ସୌରୀ ଙ୍କ ‘କୋଟିଏ ମନ ଗୋଟିଏ ହୃଦୟ’ ଏବଂ ପୁରୀସ୍ଥିତ ଫେଟ୍ ଫାଇଟର ଗ୍ରୂପ ଦ୍ୱାରା ସଙ୍ଗୀତ ପରିବେଷଣ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ପ୍ରସିଦ୍ଧ ବଲିଓଡ଼୍ ଗାୟକ ଶ୍ରୀ ସୁରେଶ ୱାଡେକର ଏବଂ ଓ ବାବୁଲ ସୁପ୍ରିୟୋଙ୍କ ଦ୍ୱାରା ପରିବେଷଣ ସଙ୍ଗୀତ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିପାରିଥିଲା ।
ଭାରତର କେନ୍ଦ୍ରସ୍ଥଳ ତଥା ରାଜଧାନୀ ନୂଆଦିଲ୍ଲୀ ଠାରେ ଆୟୋଜିତ ଏହି ୩ ଦିନିଆ ମେଗା ପର୍ବକୁ ଜାତୀୟ ରାଜଧାନୀ ଅଞ୍ଚଳ(ଏନ୍ସିଆର୍)ର ଅଧିବାସୀଙ୍କ ତରଫରୁ ବେଶ୍ ଭଲ ପ୍ରତିକ୍ରିୟା ମିଳିପାରିଛି । କେବଳ ଦିଲ୍ଲୀ ନୁହେଁ ବିଦେଶରୁ ଆସୁଥବା ଅନେକ ଦର୍ଶକ ମଧ୍ୟ ଏହିି ପର୍ବର ବେଶ୍ ମଜା ଉଠାଇଥିଲେ । ବିଦେଶୀ ନାଗରିକମାନେ ଓଡ଼ିଶାର ସୁସ୍ୱାଦୁ ବ୍ୟଞ୍ଜନ ଏବଂ ସାଂସ୍କୃତିକ ମୂଲ୍ୟବୋଧକୁ ଅତି ନିକଟରୁ ଅନୁଭବ କରିଥିଲେ । ଏହି ପର୍ବ ଓଡ଼ିଶାର ଅପୂର୍ବ ସୁନ୍ଦରତାକୁ ଦିଲ୍ଲୀବାସୀଙ୍କ ମଧ୍ୟରେ ବାନ୍ଧି ରଖିବା ସହ ଓଡ଼ିଶାର ଖାଣ୍ଟି ସ୍ୱାଦକୁ ଉପଭୋଗ କରିବାରେ ସାହାଯ୍ୟ କରିଥିଲା ।

ଓଡ଼ିଶାର ଲୋକପ୍ରିୟ କଳାକୃତି, ସ୍ଥାପତ୍ୟ ଏବଂ ବୟନ ଶିଳ୍ପ ଏହି ଓଡ଼ିଶା-ପର୍ବର “ହସ୍ତ ଶିଳ୍ପ ହାଟ”ରେ ଦେଖିବାକୁ ମିଳିଛି । ପଟ୍ଟଚିତ୍ର ଆଙ୍କିବା, ପଥର ଶିଳ୍ପ, ବୟନ ଶିଳ୍ପ, ଚାନ୍ଦୁଆ କାମ, ପଥର କାମ ଏବଂ ସମ୍ବଲପୁରୀ ଶାଢ଼ୀ ବୁଣା ଏହି ହାଟର ସବୁଠୁ ଶ୍ରେÂ ବିଭାଗ ହୋଇପାରିଥିଲା, ଯାହାଦ୍ୱାରା ଏହି ଶିଳ୍ପଗୁଡ଼ିକର କଳାକୃତୀ ପ୍ରତ୍ୟେକ୍ଷ ଭାବେ ଦେଖିବାକୁ ମିଳିଥିଲା । ହସ୍ତ ଶିଳ୍ପ ହାଟରେ ଲାଗିଥିବା ଷ୍ଟଲଗୁଡ଼ିକରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା । ବିଶେଷ କରି ମହିଳା ଓ ଯୁବପିଢୀ ଢୋକ୍ରା ଜୁଏଲାରୀ, ଶାଢୀ, କୁର୍ତ୍ତା ମିଳୁଥିବା ଷ୍ଟଲରେ ଅଧିକ କିଣାକିଣି କରୁଥିବା ବେଳେ ସେଲ୍ଫି ନେଉଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଦର୍ଶକଙ୍କ ପ୍ରତିକ୍ରିୟା ହସ୍ତତନ୍ତ ଓ ହସ୍ତକଳା ମିଳୁଥିବା ଦୋକାନୀମାନଙ୍କ ପାଇଁ ବେଶ୍ ଉତ୍ସାହଜନକ ଥିବା ବେଳେ ସେମାନଙ୍କ ଅଭୁତପୂର୍ବ ପ୍ରସ୍ତୁତିକୁ ଅନେକ ପ୍ରଂଶସା ମଧ୍ୟ କରିଥିଲେ । ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଓଡ଼ିଶାର ପ୍ରାଚୀନ ସଭ୍ୟତାର ଗତିଶୀଳତା ବିଷୟରେ ସଂଖ୍ୟାଧିକ ଦର୍ଶକ ଜାଣିବାକୁ ପାଇଥିଲେ । ମଲ୍ଟି ପ୍ରୋଜେକ୍ଟର ୩ଡି ଫିଲ୍ମ ମାଧ୍ୟମରେ ଓଡ଼ିଶାର ଅଦମ୍ୟ ପ୍ରାଣରେ ସଂଚରିତ ହେଉଥିବା ଶକ୍ତି ପ୍ରଦର୍ଶନ କରାଯାଇଥିଲା ।

ଓଡ଼ିଶାର ସୁସ୍ୱାଦୁ ବ୍ୟଞ୍ଜନ ଏହି ୩ ଦିନିଆ ଓଡ଼ିଶା-ପର୍ବର କେବଳ ଅନ୍ୟତମ ଆକର୍ଷଣ ପାଲଟିଥିବା ତାହା ନୁହେଁ ଏହା ଖାଦ୍ୟପ୍ରିୟ ଓଡ଼ିଆବାସୀଙ୍କୁ ମଧ୍ୟ ସନ୍ତୁଷ୍ଟ କରିପାରିଥିଲା । ମନଲୋଭା ଜଳଖିଆ ଠାରୁ ଆରମ୍ଭ କରି ମିଠା ପର୍ଯ୍ୟନ୍ତ, ନିରାମିଷ -ଆମିଷ ଥାଳି ଠାରୁ ଆରମ୍ଭ କରି ସାମୁଦ୍ରିକ ଖାଦ୍ୟ ସବୁଠି ଥିଲା ଓଡ଼ିଶାର ଛାପ । ସନ୍ଧ୍ୟା ସମୟରେ ଦର୍ଶକ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଯେତିକି ଉପଭୋଗ କରିଥିଲେ ଓଡ଼ିଆ ଖାଦ୍ୟର ମଜା ନେବା ପାଇଁ ମଧ୍ୟ ଅନେକ ଷ୍ଟଲରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଥିଲା । ଏହା ଏକ ଐତିହାସିକ ପରିବେଶ ଏବଂ ଅନେକ ଦିନ ପର୍ଯ୍ୟନ୍ତ ମନେ ରଖିବା ଭଳି ଘଟଣା କହିଲେ ଅତୁ୍ୟକ୍ତି ହେବ ନାହିଁ ।

ଓଡ଼ିଶା ପର୍ବର ସ୍ୱତନ୍ତ୍ର ଖାଦ୍ୟ ମଧ୍ୟରେ କଟକର ପ୍ରସିଦ୍ଧ ରଘୁ ଦହିବରା ସ୍ଥାନ ପାଇଥିଲା । ଏହି ଦହିବରାରେ ବିଶେଷ ସ୍ୱାଦ ଆଣିବା ପାଇଁ ସେ କଟକରୁ ପାଣି ନେଇ ଦିଲ୍ଲୀ ଯାଇଥିଲେ । ପୁରୀର ପ୍ରସିଦ୍ଧ ଜଗନ୍ନାଥ ଭୋଗ ପାଇଁ ଏକ ସ୍ୱତନ୍ତ୍ର ଷ୍ଟଲ ଲାଗିଥିଲା ଯାହାକି ସେଠାକୁ ଆସିଥିବା ଦର୍ଶକଙ୍କୁ ଦେଇଥିଲା ଏକ ଆଧ୍ୟାତ୍ମିକ ଅନୁଭୂତି ।

ଅନ୍ୟପକ୍ଷରେ ଆଜି ଶ୍ରମିକ ଦିବସ ଅବସରରେ ବିଶ୍ୱ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳା ଦର୍ଶକଙ୍କ ବେଶ୍ ମନ ମୋହିଥିଲା ଏହି ଓଡ଼ିଶା ପର୍ବ -୨୦୧୭ ରେ । ଓଡ଼ିଶା ପର୍ବ ପ୍ରବେଶପଥରେ ପ୍ରତୀୟମାନ ଜଗନ୍ନାଥ ଧାମର ତିନୋଟି ରଙ୍ଗୀନ ରଥ ପ୍ରତିକୃତୀ ଦର୍ଶକମାନଙ୍କ ପାଇଁ ଆଣିଦେଇଥିଲା ଓଡ଼ିଆ ସଂସ୍କୃତିର ଏକ ଆଧ୍ୟାତ୍ମିକ ଚେତନା । ଓଡ଼ିଶାର ଅଦମ୍ୟ ପ୍ରାଣରେ ସଂଚରିତ ହେଉଥିବା ଶକ୍ତିର ପ୍ରଦର୍ଶନ-‘ଆତ୍ମ ଶକ୍ତି’ ଓଡ଼ିିଶାର ପ୍ରାଚୀନ ସଭ୍ୟତାର ଗରିମାମୟ ଇତିହାସ, ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ଏହି ପ୍ରାଚୀନ ସଭ୍ୟତାର ଗତିଶୀଳତା ସମ୍ପର୍କରେ ଦର୍ଶକଙ୍କୁ ଜାଣିବାରେ ସହାୟକ ହୋଇଛି । ଉଦୟଗିରି ଗୁମ୍ଫାର ଏକ ପ୍ରତିକୃତୀ ପ୍ରଦର୍ଶନୀ ସ୍ଥଳୀରେ ସ୍ଥାପନ କରାଯାଇଥିଲା । ଆକର୍ଷଣୀୟ ମଲ୍ଟି ପ୍ରୋଜେକ୍ଟର – ପ୍ରୋଜେକ୍ସନ ମ୍ୟାପିଙ୍ଗ୍ ଫିଲ୍ମ – ଓଡ଼ିଶା ସମ୍ପର୍କରେ ଏକ ଶବ୍ଦ ଏବଂ ଆଲୋକମାଳା ଉପସ୍ଥାପନା ଦର୍ଶକଙ୍କୁ ଅଧିକ ଆକର୍ଷଣ କରିଥିଲା ।

ପର୍ବର ପ୍ରଥମ ଦିନରେ ମାନ୍ୟବର କେନ୍ଦ୍ର ଅର୍ଥ, ପ୍ରତିରକ୍ଷା ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଅରୁଣ ଜେଟ୍ଲୀ ଇଣ୍ଡିଆ ଗେଟ୍ ଲନ୍ରେ ଏହାକୁ ଉଦ୍ଘାଟନ କରିବା ସହ ନିଜର ଖୁସି ଜାହିର କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେଟ୍ଲୀ କହିଥିଲେ ଯେ, ସେ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇପାରିଥିବାରୁ ବେଶ୍ ଆନନ୍ଦିତ । ମୁଖ୍ୟ ଅତିଥି ଭାବେ ତାଙ୍କୁ ନିମନ୍ତ୍ରଣ କରାଯାଇଥିବାରୁ ସେ ଓଡ଼ିଆ ସମାଜକୁ ଧନ୍ୟବାଦ ଦେଇଥିଲେ । ଦେଶର ବିକାଶରେ ଓଡ଼ିଶାର ଏକ ବିଶେଷ ଅବଦାନ ରହିଆସିଛି । ଜଳପଥ ମାଧ୍ୟମରେ ବିଦେଶକୁ ବ୍ୟାପାର ବଣିଜ କରିବା କ୍ଷେତ୍ରରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ । ଭାରତ ହେଉଛି ଏମିତି ଏକ ରାଷ୍ଟ୍ର ଯେଉଁଠାରେ ପ୍ରତ୍ୟେକ ରାଜ୍ୟର ଏକ ସ୍ୱତନ୍ତ୍ର ସଂସ୍କୃତି ଓ ପରିଚୟ ରହିଛି । ଦେଶର ବିଭିନ୍ନ ରାଜ୍ୟରୁ ଆସିଥିଲେ ମଧ୍ୟ ଲୋକେ ସେମାନଙ୍କ ନିଜ ସଂସ୍କୃତିକୁ ଭୁଲନ୍ତି ନାହିଁ ଏବଂ ଆମେ ସବୁ ପର୍ବକୁ ମିଳିମିଶି ପାଳନ କରିଥାନ୍ତି । ଏହି କାର୍ଯ୍ୟକ୍ରମ ଅଣଓଡ଼ିଆ ଲୋକଙ୍କୁ ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ବିଷୟରେ ଜାଣିବା ପାଇଁ ଅଧିକ ସୁଯୋଗ ସୃଷ୍ଟି କରିଛି । ଏହା କେବଳ ଏକକ କାର୍ଯ୍ୟକ୍ରମ ନ ହୋଇ ଭବିଷ୍ୟତ ଏହାକୁ ଜାରି ରଖାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେଟ୍ଲୀ ଆଶା କରିଛନ୍ତି ।

ସମ୍ମାନିତ ଅତିଥି ଭାବେ ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ(ରାଷ୍ଟ୍ର) ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ ଯେ, ଏହି ଓଡ଼ିଶା-ପର୍ବରେ ଏତେ ସଂଖ୍ୟକ ଦର୍ଶକଙ୍କୁ ସାମିଲ ହୋଇଥିବା ଦେଖି ମୁଁ ବହୁତ ଖୁସି । ଓଡ଼ିଶାର ସଂସ୍କୃତିକୁ ପାଳିବା ପାଇଁ ଏତେ ସଂଖ୍ୟାରେ ସାମିଲ ହୋଇ ସେମାନଙ୍କ ସ୍ନେହ ଓ ଭଲପାଇବା ଦର୍ଶାଇଥିବାରୁ ସେ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏତେ ସଂଖ୍ୟାରେ ଓଡ଼ିଆ ଲୋକ ଏହି ପର୍ବରେ ସାମିଲ ହୋଇ ଏହାର ମୂଳ ସଂସ୍କୃତି ଓ ପରମ୍ପରାକୁ ପାଳନ କରୁଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ । ଏହି ପ୍ରକାର ପର୍ବ ଆଗକୁ ଓଡ଼ିଶାର ଗରିମାମୟ ଐତିହ୍ୟ, ରଙ୍ଗୀନ ସଂସ୍କୃତି ଏବଂ ସାମାଜିକ, ସାଂସ୍କୃତିକ ଏବଂ ରାଜନୀତିକ ମୂଲ୍ୟବୋଧକୁ ଅଧିକ ବ୍ୟାପ୍ତ କରିବାରେ ସହାୟକ ହେବ ବୋଲି ସେ କହିଥିଲେ ।

ଦ୍ୱିତୀୟ ଦିନରେ ମାନ୍ୟବର କେନ୍ଦ୍ର ଆବାସ ଓ ସହରୀ ବିକାଶ ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀଯୁକ୍ତ ଏମ. ଭେଙ୍କୟା ନାଇଡ଼ୁ ଯୋଗଦେଇ ତାଙ୍କ ଅଭିବ୍ୟକ୍ତ ରଖିଥିଲେ । ଓଡ଼ିଶାର ଗରିମାମୟ ସଂସ୍କୃତି ବିନା ଭାରତ ଅସମ୍ପୂର୍ଣ୍ଣ । ସେ ଆହୁରି ମଧ୍ୟ କହିଥିଲେ ଯେ, ଓଡ଼ିଶାର ପ୍ରଚଳିତ ସଂସ୍କୃତି ଭାରତକୁ ଅନେକ କିଛି ଦେଇଛି । ଓଡ଼ିଶାର ଅଦମ୍ୟ ପ୍ରାଣର ପ୍ରତିଛବି ଏହାର ସ୍ୱର ଏବଂ ସାଂସ୍କୃତିକ ପ୍ରଦର୍ଶନୀରେ ଦେଖିବାକୁ ମିଳେ । ମନ୍ତ୍ରୀ ଶ୍ରୀ ନାଇଡ଼ୁ ଏକ ଉଦାହରଣ ମାଧ୍ୟମରେ ଜଣେ ନିଜର ମୂଳତ୍ତ୍ୱକୁ ନ ଭୁଲିବାକୁ କହିଥିଲେ । ସେ କହିଥିଲେ ଯେ, ମା’ ଏକ ଶବ୍ଦ ଯେଉଁଥିରେ ଏହାକୁ ବଦଳାଇ ଅନ୍ୟ କିଛି କହିହେବ ନାହିଁ ।

ଏହି ୩ ଦିନିଆ ବିଶାଳ କାର୍ଯ୍ୟକ୍ରମ ଦିଲ୍ଲୀ ଏବଂ ଏନ୍ସିଆର୍ ର ଅଧିବାସୀଙ୍କ ମଧ୍ୟରେ ଏକ ଦିବ୍ୟ ଅନୁଭୂତି ଆଣି ଦେଇଛି । ଓଡ଼ିଶାର ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟକୁ ବିଭିନ୍ନ ସ୍ତରରେ ପ୍ରସାର କରିବା ପାଇଁ ସୁଯୋଗ ପାଇପାରିଛନ୍ତି । ଓଡ଼ିଶାରୁ ଯାଇଥିବା କଳାକାରମାନେ ସେମାନଙ୍କ ପ୍ରଦର୍ଶନୀ ମାଧ୍ୟମରେ ଉଚ୍ଚ ପ୍ରଂଶସା ପାଇ ପାରିଛନ୍ତି । ଏହି ୩ ଦିନିଆ କାର୍ଯ୍ୟକ୍ରମ ସୋମବାର ସଫଳତାର ସହ ଶେଷ ହୋଇଛି ।

Share in top social networks!