ନୂଆଦିଲ୍ଲୀର ଇଣ୍ଡିଆ ଗେଟ ସାମନାରେ ଭବ୍ୟ ଓଡିଶା ପର୍ବ ଉଦଘାଟିତ , ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କଲେ ଉଦଘାଟନ

• ଜଷ୍ଟିସ ଦୀପକ ମିଶ୍ର ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଲେ ଅତିଥି
• ଓଡିଆ ଖାଦ୍ୟ, ନୃତ୍ୟ ସଂଗୀତ ଓ କଳା କାରୁକାର୍ଯ୍ୟ ପ୍ରତି ଆକର୍ଷିତ18157742_1342912212459021_4526954804569949122_n

ରାଜଧାନୀ ନୂଆ ଦିଲ୍ଲୀ ଠାରେ ଉତ୍ସାହ ଓ ଉଦ୍ଧିପନା ମଧ୍ୟରେ ଉଦଘାଟିତ ହୋଇଛି ଓଡିଶା ପର୍ବ । ଉତ୍ସବକୁ ବୋଟ କ୍ଲବର ଅଗଷ୍ଟ କ୍ରାନ୍ତି ମୈଦାନରେ ଇଣ୍ଡିଆ ଗେଟ ସାମନାରେ କେନ୍ଦ୍ର ଅର୍ଥ ଓ ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ ଉଦଘାଟନ କରି ଓଡିଆ କଳା, ସଂସ୍କୃତି, ପରମ୍ପରା ସହିତ ନୂଆ ଦିଲ୍ଲୀ ଓ ସାରା ଦେଶରେ ଓଡିଆ ମାନଙ୍କର ସଫଳତା ଓ ପ୍ରଭାବକୁ ଭୂୟସୀ ପ୍ରଶଂସା କରିଛନ୍ତି ।ଏହି ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଉଚ୍ଚତମ ନ୍ୟାୟାଳୟର ନ୍ୟାୟାଧୀଶ ଦୀପକ ମିଶ୍ର ଯୋଗ ଦେଇ ଓଡିଆ
ଜାତିର ଐତିହାସିକ ଗୁରୁତ୍ୱକୁ ବର୍ଣନା କରିବା ସହ ଓଡିଆ ଭାବରେ ସମସ୍ତ ଗର୍ବ ଅନୁଭବ କରିବା ଉଚିତ ବୋଲି ସମବେତ ଓଡିଆ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଶ୍ରୀ ମିଶ୍ର କହିଥିଲେ ଯେ ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଜାତି ବର୍ଣର ବିଭେଦରୁ ଉପରକୁ ଉଠିବା ପାଇଁ ବିଶ୍ୱକୁ ଦିଗଦର୍ଶନ କରିଥିଲା ବୋଲି କହିଥିଲେ ।

ଏହା ସହ ଲକ୍ଷ୍ମୀ ପୁରାଣରେ ଶ୍ରୀୟା ଚଣ୍ଡାଳୁଣୀକୁ ମା ଲକ୍ଷ୍ମୀଙ୍କ ମାଧ୍ୟମରେ ମାନ୍ୟତା ଦେଇ ସମାଜରେ ନାରୀ ସଶକ୍ତିକରଣର ଓଡିଆ ଜାତି ବିଶ୍ୱ ଆଗରେ ଉଦାହରଣ ସୃଷ୍ଟି କରିଥିଲା ବୋଲି ସେ କହିଥିଲେ । ସନ୍ଥ କବି ଭୀମ ଭୋଇଙ୍କର ମୋ ଜୀବନ ପଛେ ନର୍କେ ପଡିଥାଉ ଉଦ୍ଧୃତ କରି ଓଡିଆ ଜାତିର ସମଗ୍ର ମାନବ ଜାତି ପାଇଁ ସମର୍ପଣ ଭାବନାର ଅଭିବ୍ୟକ୍ତି ବୋଲି ସେ କହିଥିଲେ । ଏହି ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜଧାନୀରେ ଓଡିଆ ଖାଦ୍ୟ,
କଳା ନୈପୁଣ୍ୟ, ହସ୍ତତନ୍ତ, କୂଟୀର ଶିଳ୍ପର ପ୍ରଦର୍ଶନୀ ତଥା ଓଡିଆ ଜାତି ପାଇଁ ଆଧୁନିକ ଯୁଗରେ ପରିଚୟ ସୃଷ୍ଟି କରିଥିବା ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ହୁଅନ୍ତୁ ବା ନୃତ୍ୟ ଶିଳ୍ପୀ ଅରୁଣା ମହାନ୍ତି, ଏମାନଙ୍କ ମାଧ୍ୟମରେ ଓଡିଶାର ଉକ୍ରର୍ଷତାକୁ ରାଜଧାନୀ ଓ ସମଗ୍ର ଦେଶ ସାମନାରେ ଉପସ୍ଥାପନା କରାଯିବାକୁ ପ୍ରଶଂସା କରିଥିଲେ ।
ତିନି ଦିନ ଧରି ଚାଲୁଥିବା ଏହି ଉତ୍ସବରେ ଓଡିଆ ଖାଦ୍ୟ, ଓଡିଆ ସାଂସ୍କୃତିକ କାର୍ଯ୍ୟକ୍ରମ, ହସ୍ତତନ୍ତ, ହସ୍ତକଳାର ଏକ ବିଶାଳ ମେଳା ରାଜଧାନୀବାସୀଙ୍କୁ ଆକର୍ଷିତ କରୁଛି ।

Share in top social networks!