ମୁକ୍ତେଶ୍ଵର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ବୈଦେହୀଶ ବିଳାସ କାବ୍ୟର ଅଭିନୟରେ ଦର୍ଶକ ବିଭୋର

Mukteswar Festivalଓଡିଶା ପର୍ଯ୍ୟଟନ ବିଭାଗ ଦ୍ଵାରା ଆୟୋଜିତ ମୁକ୍ତେଶ୍ଵର ଉତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡିଶୀ ନୃତ୍ୟକୁ ଉପଭୋଗ କରିଥିଲେ | ସନ୍ଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାତ ସଙ୍ଗୀତଜ୍ଞ ପଣ୍ଡିତ ପ୍ରଫୁଲ୍ଲ କରଙ୍କ ଦ୍ଵାରା ସଂଯୋଜିତ ଶିବ ବନ୍ଦନା ଭଜରେ ମାନସ ଶୈବ ପଦମ୍ ରୁ | ଏହି ଭକ୍ତି ସଙ୍ଗୀତକୁ ପରିବେଷଣ କରିଥିଲେ ମହାପ୍ରସାଦ କର ଓ ସାଥୀମାନେ |

ଓଡିଶୀ ନୃତ୍ୟର ଏକକ ପର୍ଯାୟରେ ପ୍ରଫେସର ଗୁରୁ ନବକିଶୋର ମିଶ୍ର ମଙ୍ଗଳା ଚରଣରେ ମହାଯୋଗୀ ଆଦିଦେବ ସଦାଶିବଙ୍କର ବନ୍ଦନା ପରିବେଷଣ କରିଥିଲେ | ଯାହା ରାଗ ଭାଟିଆରି ଓ ତାଳ ଏକତାଳୀରେ ନିବନ୍ଧ ଥିଲା | ଏହାର ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ସୁକାନ୍ତ କୁମାର କୁଣ୍ଡୁ ଏବଂ ନୃତ୍ୟ ସଂରଚନା କରିଥିଲେ ନିଜେ ଗୁରୁ ନବ ମିଶ୍ର | ତାଙ୍କର ଦ୍ଵିତୀୟ କାର୍ଯ୍ୟକ୍ରମ ଥିଲା ଅଭିନୟ ପତିତପାବନ | ଏହା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚିତ କାବ୍ୟ ବୈଦେହୀଶ ବିଳାସରୁ ପ୍ରସ୍ତୁତ ରାଗ ବାଗେଶ୍ରୀ ଏବଂ ତାଳ ଯତି ଓ ଏକତାଳୀ ଉପରେ ଆଧାରିତ ଥିଲା | ଏହାର ସଙ୍ଗୀତ ସଂଯୋଜନା କରିଥିଲେ ସୁରମଣି ରମେଶ ଚନ୍ଦ୍ର ଦାସ ଏବଂ ତାଳ ସଂଯୋଜନା କରିଥିଲେ ଗୁରୁ ଶ୍ରୀ ସଚିଦାନନ୍ଦ ଦାସ |

ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ବାଙ୍ଗାଲୋର ନୃତ୍ୟଗ୍ରାମରୁ ଆସିଥିବା ରଶ୍ମିରାଜ ଓ ବିଶ୍ଵଭୂଷଣ ପ୍ରଥମେ ପରିବେଷଣ କରିଥିଲେ ଶୁଦ୍ଧ ନୃତ୍ୟ ପର୍ଯ୍ୟାୟରେ ଶଙ୍କରା ବରଣ ପଲ୍ଲବୀ | ଯାହାର ସ୍ଵର ସଂଯୋଜନା କରିଥିଲେ ପଣ୍ଡିତ ଭୁବନେଶ୍ୱର ମିଶ୍ର ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ କେଳୁଚରଣ ମହାପାତ୍ର | ପଦ, ଛନ୍ଦ, ଲୟର ଏକ କମନୀୟ ଉପସ୍ଥାପନା ତାଙ୍କ ପରିବେଷଣରେ ଦେଖିବାକୁ ମିଳିଥିଲା | ତାଙ୍କର ଦ୍ଵିତୀୟ ଅର୍ଘ୍ୟ ଥିଲା ଶିବପଞ୍ଚକ | ଯାହାର ସ୍ଵର ସଂଯୋଜନା କରିଥିଲେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଗଙ୍ଗାଧର ପ୍ରଧାନ |

ସନ୍ଧ୍ୟାର ଶେଷ କାର୍ଯ୍ୟକ୍ରମ ଥିଲା କଲିକତାରୁ ଆସିଥିବା ପୌଷଳୀ ମୁଖାର୍ଜୀ ଓ ସାଥୀଙ୍କ ଦ୍ଵାରା ପରିବେଷିତ ଦେବୀ ଉପାସନା କାଳିକାସ୍ତୁତିରୁ ଏବଂ ପରେ ଅଭିନୟରେ କବି ସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ରଚିତ ବୈଦେହୀଶ ବିଳାସ କାବ୍ୟରୁ ଛାନ୍ଦ ବିଭୂଷଣ ପୁଷ୍ପେ ଯା କାନ୍ତି ଜାଣ ପରିବେଷଣ କରିଥିଲେ | ପରବର୍ତ୍ତୀ କାର୍ଯ୍ୟକ୍ରମ ଥିଲା ରାଗ ମିଆଁମଲ୍ଲାର ପଲ୍ଲବୀ ଏବଂ ଶେଷରେ ଓଡିଶୀ ନୃତ୍ୟର ଅନ୍ତିମ ସ୍ତବକ ମୋକ୍ଷ ପରିବେଷଣ କରିଥିଲେ | ଅନ୍ତିମ କାର୍ଯ୍ୟକ୍ରମ ରେ ପୌଷଳୀଙ୍କ ଦଳଗତ ନୃତ୍ୟ ଶେଷ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ବାନ୍ଧି ରଖିଥିଲା | ପ୍ରତି କାର୍ଯ୍ୟକ୍ରମର ବିଷୟ ବସ୍ତୁକୁ ନେଇ ଅତି ଚମତ୍କାର ଭାବରେ ମଞ୍ଚପାର୍ଶ୍ଵରେ ଚିତ୍ର ଆଙ୍କିଥିଲେ ବିଖ୍ୟାତ ଚିତ୍ରକର ଶ୍ରୀ ବଳଦେବ ମହାରଥୀ |

ସନ୍ଧ୍ୟାର ଅତିଥିମାନେ ଥିଲେ ନୃତ୍ୟ ସମୀକ୍ଷକ ଓ ସମାଲୋଚକ ଡଃ ସୁନିଲ କୁଠାରୀ, ଡଃ ଲିଲା ଭେଙ୍କଟରମଣ, ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ତ୍ରିପାଠୀ | କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସାଧନା ଶ୍ରିବାସ୍ତବା ଓ ଡଃ ମୃତ୍ୟୁଞ୍ଜୟ ରଥ | ଶୀତୁଆ ସନ୍ଧ୍ୟା ସତ୍ଵେ ଦ୍ଵିତୀୟ ଦିବସରେ ଭରପୁର ଦର୍ଶକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ |