ଓଡ଼ିଶାରେ ନବୀନ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ବିରୁଦ୍ଧରେ ଓଡ଼ିଆଙ୍କ ହକ୍ର ଲଢେ଼ଇ । ରାଷ୍ଟ୍ରୀୟ କାର୍ଯ୍ୟକାରିଣୀର ସପ୍ତାହକ ମଧ୍ୟରେ ଆୟୋଜିତ ହୋଇଛି ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନରେ ପାରିତ ହୋଇଛି ୩ୟ ପ୍ରସ୍ତାବ । ନବୀନ ସରକାରଙ୍କ ସ୍ଥାଣୁତା ଏବଂ ଅପାରଗତା ବିରୁଦ୍ଧରେ ‘ଆସନ୍ତୁ ଲଢ଼ିବା, ଓଡ଼ିଆଙ୍କ ହକ୍ର ଲଢେ଼ଇ’ ପାଇଁ ଆହ୍ୱାନ ଦିଆଯାଇଛି । ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିବାବେଳେ ରାଜ୍ୟ ସଂପାଦକ ଶ୍ରୀ ଦିଲୀପ ମଲ୍ଲିକ ଏବଂ ଡ.ଯତୀନ ମହାନ୍ତି ସମର୍ଥନ ଜଣାଇଥିଲେ । ଏହା ପରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଉକ୍ତ ପ୍ରସ୍ତାବକୁ ସଂକଳନ କରି ବିସ୍ତୃତ ଆଲୋଚନା କରିଥିଲେ । ଭଦ୍ରକ ଦଙ୍ଗାରେ ରାଜ୍ୟ ସରକାରଙ୍କ ଅପାରଗତା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।
ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗତ କାଲିଠୁ ଆରମ୍ଭ ହୋଇଥିବା ୨ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକର ଆଜି ୨ୟ ଦିନରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି । ଏହି ଅବସରରେ ରାଷ୍ଟ୍ରୀୟ ଯୁଗ୍ମ ସମ୍ପାଦକ (ସଂଗଠନ) ସୌଦାନ୍ ସିଂ, ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରଧର ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟବାସୀଙ୍କୁ ସ୍ୱଚ୍ଚ ପାନୀୟ ଜଳ ଓ ବିଜୁଳୁ ସେବା ଯୋଗାଇବାରେ ରାଜ୍ୟ ସରକାରଙ୍କ ବିଫଳତା, ଚାଷୀ ଓ ଚାଷ ସମସ୍ୟାକୁ ରାଜ୍ୟ ସରକାରଙ୍କ ଅବହେଳା ପ୍ରଦର୍ଶନ କରିବା, ବିପର୍ଯ୍ୟସ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଭଳି ମୁଖ୍ୟ ସମସ୍ୟାକୁ ମୁଖ୍ୟ ଇସୁ୍ୟ କରିବାକୁ ଏହି କାର୍ଯ୍ୟକାରିଣୀରେ ନିଷ୍ପତି ଗ୍ରହଣ କରାଯାଇଅଛି ।
ରାଜ୍ୟର ସାଧାରଣ ଜନତା ନବୀନ ପଟ୍ଟନାୟକଙ୍କ ସ୍ଥାଣୁତା ଓ ଅପାରଗତାରେ କ୍ଷୁବ୍ଧ । ଗତ ପଂଚାୟତ ନିର୍ବାଚନରେ ଓଡ଼ିଶାର ସାଧାରଣ ଜନତା ଏକ ବଡ ପରିବର୍ତନ ପାଇଁ ମନ ପ୍ରସ୍ତୁତ କଲେଣି , ଏହାର ସ୍ପଷ୍ଟ ସଙ୍କେତ ମିଳି ସାରିଛି । ଓଡିଶା ଲୋକଙ୍କର ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ ବିଜେପି ରାଜନୈତିକ ବିକଳ୍ପ ଭାବେ ନିଜ ଦାୟିତ୍ୱକୁ ଉପଲବ୍ଧି କରି ଜନ ଅଧିକାର ପାଇଁ ସଂଘର୍ଷକୁ ଆହୁରି ଦୁର୍ବାର କରିବାକୁ ଓଡ଼ିଶାବାସୀଙ୍କୁ ଏହି କାର୍ଯ୍ୟକାରିଣୀ ପ୍ରତିଶ୍ରୁତି ଦେଉଛି ।
ଏହି ଲଢେଇ ସାଢେ ଚାରି କୋଟି ଓଡ଼ିଶାବାସୀଙ୍କର । ଓଡ଼ିଶାବାସୀଙ୍କ ସ୍ୱାର୍ଥର ଏହି ଲଢେଇ ଲଢିବା ପାଇଁ ବିଜେପି କାର୍ଯ୍ୟକର୍ତା ମାନେ ଆୟୁଧ ହୋଇ କାମ କରିବା ପାଇଁ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆହ୍ୱାନ ଜଣାଇବା ସହିତ ସମ୍ପୂର୍ଣ୍ଣ ଓଡ଼ିଶାବାସୀ ଏଥିରେ ସାମିଲ ହୋଇ ସେମାନଙ୍କର ହକ୍ର ଲଢେ଼ଇରେ ଭାଗିଦାର ହେବାକୁ ଆହ୍ୱାନ୍ ଜଣାଇଛି ।
ନବୀନ ପଟ୍ଟନାୟକଙ୍କର ୧୭ ବର୍ଷର ସ୍ଥାଣୁତା, ଅପାରଗତା କାରଣରୁ ସାଧାରଣ ଗରିବ ଓଡିଆ ଲୋକ ତାର ହକ୍ ହରାଇଥିବାରୁ ରାଜ୍ୟ ସରକାରଙ୍କୁ ଦୃଢ ଶବ୍ଦରେ ସମାଲୋଚନା କରୁଛି । ଓଡ଼ିଶାର ସାଧାରଣ ଜନତା ନବୀନ ପଟ୍ଟନାୟକଙ୍କ ଉପରେ ବାରମ୍ବାର ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ଜନ ଆଶୀର୍ବାଦ ଦେଇଥିବା ସତ୍ୱେ ଲୋକମାନଙ୍କୁ ପ୍ରତାରିତ କରାଯାଉଛି । ରାଜ୍ୟବାସୀଙ୍କ ସାମ୍ନାରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତି ଓ ପ୍ରତାରଣାର ଦୃଷ୍ଟାନ୍ତମୂଳକ ଉଦାହରଣ ଉପସ୍ଥାପନ କରି ନବୀନ ପଟ୍ଟନାୟକଙ୍କ ସରକାରଙ୍କୁ କାଠଗଡାରେ ଠିଆ କରି କୈଫୟତ ମାଗିବା ପାଇଁ ଆହ୍ୱାନ କରୁଛି ରାଜ୍ୟ ଭାରତୀୟ ଜନତା ପାର୍ଟି ।