ବିଜେପି ଉଠାଇଥିବା ମୌଳିକ ପ୍ରଶ୍ନର ଉତର ନ ଦେଇ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ଯୋଗାଣମନ୍ତ୍ରୀ : ସମୀର ମହାନ୍ତି

• ଦୁର୍ନୀତିର ପର୍ଦାଫାସ ହେବା ପରେ ସେ ନିଜର ଦୋଷ ଘୋଡାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ଦାସବର୍ମା
• ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ରାଜ୍ୟର ଏକ କୋଟିରୁ ୮୬ ଲକ୍ଷ ପରିବାରକୁ କିରୋସିନ ଯୋଗାଣର ବ୍ୟବସ୍ଥା ରେ ସାମିଲ କରା ଯିବା ଦାସବର୍ମାଙ୍କ ମିଥ୍ୟା ତଥ୍ୟ
• ଗ୍ୟାସ ଓ ବିଜୁଳି ବା ଉଭୟ ନ ପହଂଚିଥିବା ୬୦ ଲକ୍ଷ ପରିବାରକୁ ରିହାତି କିରୋସିନ ଯୋଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ରାଜି ହୋଇଛନ୍ତି , ଏବେ ସଂଜୟ ଦାସବର୍ମା ବିଭ୍ରାନ୍ତ କରୁଛନ୍ତି କାହିଁକି ?
• ଗ୍ୟାସ ପରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ କିରୋସିନକୁ ସାମିଲ କରି ସ୍ୱଚ୍ଛତା ଅବଲମ୍ବନ କରିବା ସହ କେନ୍ଦ୍ର ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନ ରାଶି ନେବା ପାଇଁ ରାଜ୍ୟ ସରକାର ରାଜି ନ ହେବା ରାଜ୍ୟ ସରକାରଙ୍କର ଦୁଇ ନମ୍ବରୀ କାରବାର ପ୍ରତି ଆଗ୍ରହର ପ୍ରମାଣ ଦେଉଛି

ରାଜ୍ୟର ଗରୀବ ପରିବାର ମାନଙ୍କୁ ରିହାତି ଯୁକ୍ତ କିରୋସିନ ଯୋଗାଣ ମାମଲାରେ ବିଜେପି ଉଠାଇଥିବା ମୌଳିକ ପ୍ରଶ୍ନ ହିତାଧିକାରୀ କିଏ ଓ ସେମାନଙ୍କୁ କେତେ ମାତ୍ରାରେ କିରୋସିନ ଦେବାର ବ୍ୟବସ୍ଥା କରା ଯାଇଛି, ଏ ବାବଦରେ ଯୋଗାଣ ବିଭାଗ ମନ୍ତ୍ରୀ ସଂଜୟ ଦାସବର୍ମା ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ରାଜ୍ୟ ଯୋଗାଣ ବିଭାଗ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଦୁର୍ନୀତିର ପର୍ଦାଫାସ ହେବା ପରେ ସେ ନିଜର ଦୋଷ ଘୋଡାଇବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଅଧିକ ଆକ୍ରମଣାତ୍ମକ ହୋଇ ପଡିଛନ୍ତି ବୋଲି ସେ କହିଛନ୍ତି ।
ଶ୍ରୀ ମହାନ୍ତି କହିଛନ୍ତି ଯେ ଦେଶର ନିୟମ ହେଉଛି ରିହାତି ଯୁକ୍ତ କିରୋସିନ ଆଲୋକ ଓ ରୋଷେଇ ବାବଦରେ ଗରୀବ ପରିବାରଙ୍କୁ ଯୋଗାଇ ଦିଆଯିବା ପାଇଁ ରାଜ୍ୟ ସରକାର ମାନେ ଓ କେନ୍ଦ୍ର ସରକାର ମିଳିତ ଭାବେ ସହମତି ପ୍ରକାଶ କରିଛନ୍ତି । ଏହାର ଅର୍ଥ ହେଉଛି ଯେଉଁ ପରିବାରକୁ ବିଜୁଳି ଓ ରୋଷେଇ ଗ୍ୟାସ ମିଳି ନାହିଁ ସେହି ପରିବାର ମାନେ ହିଁ ରିହାତି ଯୁକ୍ତ କିରୋସିନ ପାଇବାକୁ ହକଦାର ।
ଯୋଗାଣ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ୮୬ ଲକ୍ଷ ପରିବାରଙ୍କୁ ରାଜ୍ୟ ସରକାର ରିହାତିଯୁକ୍ତ କିରୋସିନର ହିତାଧିକାରୀ ତାଲିକାଭୁକ୍ତ କରାଇଛନ୍ତି । ଏହାର ମାନେ ଶ୍ରୀ ଦାସବର୍ମା କଣ କହିବାକୁ ଚାହୁଁଛନ୍ତି ଯେ ମାତ୍ର ୧୫ ପ୍ରତିଶତ ଘରକୁ ବିଜୁଳି ଓ ଗ୍ୟାସ ସଂଯୋଗ ଉଭୟ ପହଂଚିଛି ।
(ପୃÂା: ୧/୨)

ସରକାରୀ ତଥ୍ୟ ଅନୁସାରେ ରାଜ୍ୟରେ ୪୦ ପ୍ରତିଶତ ଘରକୁ ଏଲପିଜି ଓ ୬୦ ପ୍ରତିଶତ ଘରକୁ ବିଜୁଳି ଯୋଗାଇ ଦିଆ ଯାଇଛି । ତେଣୁ ୬୦ ପ୍ରତିଶତ ଘରକୁ ରିହାତି ଯୁକ୍ତ କିରୋସିନ ପହଂଚାଇବାର ଆବଶ୍ୟକତା ରହିଛି ।
ଓଡିଶାକୁ ଚଳିତ ଆର୍ଥିକ ବର୍ଷରେ ୨.୯୨ ଲକ୍ଷ କିଲୋ ଲିଟର କିରୋସିନ ଯୋଗାଣର ବ୍ୟବସ୍ଥା କରା ଯାଇଛି । ଯଦି ୬୦ ଲକ୍ଷ ଘରକୁ ହିସାବକୁ ନିଆ ଯାଏ ତେବେ ପ୍ରତି ଘରକୁ ବାର୍ଷିକ ୫୫ ଲିଟର କିରୋସିନ ଉପଲବ୍ଧ କରାଯାଇ ପାରିବ । ଏହି କିରୋସିନରେ ରାଜ୍ୟର ଗରୀବ ଓ ଆଦିବାସୀ ପରିବାରଙ୍କ ଆବଶ୍ୟକତାକୁ ପୂରଣ କରାଯାଇ ପାରିବ ।
ଗରୀବଙ୍କୁ କିରୋସିନ ପହଂଚାଇବା ବଦଳରେ ଯୋଗାଣ ମନ୍ତ୍ରୀ ଓ ବିଜେଡିର ନେତା ମାନେ କଳାବଜାରରେ ବିକ୍ରୀ କରି ପ୍ରଚୁର ଅର୍ଥ ରୋଜଗାର କରୁଥିବା କାରଣରୁ କିରୋସିନ ନେଇ ମିଛ କେନ୍ଦ୍ର ଅବହେଳାର ଡ୍ରାମା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ମୋଦି ସରକାରରେ ଜନ ଧନର ଅଧିକାରୀ ସାଧାରଣ ଜନତା । ଠକ, ଟାଉଟର ଓ ଦଲାଲ ମାନଙ୍କୁ ସାଧାରଣ ଗରୀବ ଲୋକର ଝାଳ ବୁହା ଟିକସ ଅର୍ଥରେ ଦିଆ ଯାଉଥିବା ରିହାତିକୁ ବାଟମାରଣା କରିବାକୁ ଦିଆ ଯିବ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ତାଙ୍କ ପୁରୁଣା ବକ୍ତବ୍ୟକୁ ଦୋହରାଇ କହିଛନ୍ତି ଯେ ଆଜି ଦିନରେ ରାଷ୍ଟ୍ରୀୟ ସ୍ତରରେ ପରିବାର ପିଛା ୨୫ ଲିଟର କିରୋସିନ ଉପଲବ୍ଧ ଥିବା ବେଲେ ଓଡିଶାରେ ଏହା ୨୮ ଲିଟରରେ ରହିଛି ।
ଶ୍ରୀ ମହାନ୍ତି ଆହୁରି କହିଛନ୍ତି ଯେ ବିନା ରିହାତିରେ କିରୋସିନ ବିକ୍ରୟ ପାଇଁ ରାଉରକେଲା, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ବଲପୁର ଠାରେ ବିକ୍ରୟ କେନ୍ଦ୍ର ଖୋଲା ଯାଇଥିବା ବେଳେ ଏହି ସବୁ ସ୍ଥାନରେ ବହୁତ କମ ପରିମାଣର କିରୋସିନ ବିକ୍ରୀ ହେଉଛି ।
ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ଓଡିଶାର ଗରୀବ ମାନଙ୍କ ପାଇଁ ପର୍ଯ୍ୟାପ୍ତ କିରୋସିନ ଉପଲବ୍ଧ ଅଛି । ମାତ୍ର ମନ୍ତ୍ରୀ ଶ୍ରୀ ଦାସବର୍ମା ଓ ତାଙ୍କର ବିଜେଡିର ବନ୍ଧୁ ମାନେ କିରୋସିନ କଳାବଜାରୀ ପାଇଁ ଅଧିକ ଆଗ୍ରହ କାରଣରୁ କିରୋସିନ ଅଭାବର ଡ୍ରାମା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟକୁ ମାସିକ ପ୍ରଦାନ କରାଯାଇଥିବା କୋଟାର କିରୋସିନକୁ ରାଜ୍ୟ ସରକାର କେତେକ ମାସରେ ସମ୍ପୂର୍ଣ ଉଠାଇ ନ ଥିବା ପ୍ରମାଣ ମଧ୍ୟ ରହିଛି ।
ଗ୍ୟାସ ପରି ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ଯୋଜନାରେ କିରୋସିନକୁ ସାମିଲ କରି ସ୍ୱଚ୍ଛତା ଅବଲମ୍ବନ କରିବା ସହ କେନ୍ଦ୍ର ସରକାରଙ୍କ ଠାରୁ ଅଧିକ ପ୍ରୋତ୍ସାହନ ରାଶି ନେବା ପାଇଁ ରାଜ୍ୟ ସରକାର ରାଜି ନ ହେବା ରାଜ୍ୟ ସରକାରଙ୍କର ଦୁଇ ନମ୍ବରୀ କାରବାର ପ୍ରତି ଆଗ୍ରହର ପ୍ରମାଣ ଦେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଉପସ୍ଥିତ ଥିଲେ ।

Share in top social networks!