ସି ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂରେ ଉଦ୍ଘାଟିତ ହେଲା ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୧୭ ଗ୍ରାଣ୍ଡ ଫିନାଲେ

hackthon

୧ ଏପ୍ରିଲ ସକାଳ ୭.୩୦ ମିନିଟ ସମୟରେ ଭୁବନେଶ୍ୱରସ୍ଥିତ ସି. ଭି ରମଣ କଲେଜ ଅଫ୍ ଇଞ୍ଜିନିୟରିଂ, ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୧୭ର ଗ୍ରାଣ୍ଡ ଫିନାଲେ ଉଦ୍ଘାଟିତ ହୋଇଯାଇଛି । ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ନ୍ୟାଶନାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏଂଟରପ୍ରିନୁ୍ୟରସିପ୍ ଡେଭେଲପମେଂଟ ବୋର୍ଡ(ଏନ୍ଏସ୍ଟିଇଡିବି)ର ଉପଦେଷ୍ଟା ଶ୍ରୀ ହରକେଷ କୁମାର ମିତଲ, ଏଆଇସିଟିଇର ମେମ୍ବର ସେକ୍ରେଟାରୀ ଶ୍ରୀ ଏ. ପି. ମିତଲ, ବାୟୋଟେକ୍ନୋଲୋଜି ବିଭାଗର ଉପଦେଷ୍ଟା ଡଃ ସୁମନ ଗୋଭିଲ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ବିଜେପି ସଂସଦୀୟ ଦଳର ନେତା ଶ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଜେପି ଯୁୂବମୋର୍ଚ୍ଚାର ସଭାପତି ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଉକ୍ରଳ ଦିବସ ଅବସରରେ ମୁଖ୍ୟଅତିଥି ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଯୁବପିଢୀ ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ବାର୍ତାକୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ହ୍ୟାକାଥନ ଅବସରରେ ଉପସ୍ଥାପିତ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସମସ୍ୟାର ସମାଧାନ କ୍ଷେତ୍ରରେ ନୂତନ ରାସ୍ତା ବାହାର କରିପାରିବେ । ଏହି ଅବସରରେ ଆଡଭାନ୍ସ ସେଂଟର ଅଫ ଏକ୍ସିଲେନ୍ସ ଅନ ଏଆର କଂଡିସନିଙ୍ଗ ଆଣ୍ଡ ରେଫ୍ରିଜରେସନ କୁ ମନ୍ତ୍ରୀ ଶ୍ରୀ ପ୍ରଧାନ ଉଦ୍ଘାଟନ କରିଥିଲେ ।
ସି.ଭି ରମଣ କଲେଜ୍ ଅଫ୍ ଇଞ୍ଜିନିୟରିଂର ଅଧ୍ୟକ୍ଷ ଶ୍ରୀ ସଞ୍ଜୀବ ରାଉତ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ଗ୍ରାଣ୍ଡ ଫିନାଲେରେ ପହଂଚିଥିବା ଏବଂ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ଜିତିବା ସମସ୍ତଙ୍କ ପାଇଁ ବଡ଼ ନ ହୋଇ ଭାଗ ନେବା ସମସ୍ତଙ୍କ ପାଇଁ ବଡ଼ ହେବା ଆବଶ୍ୟକ ବୋଲି ସେ ତାଙ୍କ ବାର୍ତାରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।
ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ଏବଂ ଏଆଇସିଟିଇ ଦ୍ୱାରା ପରିଚାଳିତ ଏହି ଦୁଇ ଦିନିଆ ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ କାର୍ଯ୍ୟକ୍ରମର ସୁଯୋଗ ନେଇ ଛାତ୍ରଛାତ୍ରୀମାନେ ନିଜର ଦକ୍ଷତାକୁ ପ୍ରମାଣିତ କରିବା ପାଇଁ ଉପସ୍ଥିତ ଅନ୍ୟ ଅତିଥିମାନେ ମଧ୍ୟ ଉତ୍ସାହିତ କରିଥିଲେ ।
ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଭିଡ଼ିଓ ସ୍ପିଚ୍ ମାଧ୍ୟମରେ ମାନ୍ୟବର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡେ଼କର, ଏଆଇସିଟିଇର ସଭାପତି ଶ୍ରୀ ଅନିଲ ଡି. ସହସ୍ରବୁଦେ୍ଧ ଏବଂ ଉପସଭାପତି ଶ୍ରୀ ଆନନ୍ଦ ଦେଶପାଣ୍ଡେ ଯୋଗ ଦେଇଥିଲେ ।
ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ହେଉଛି ଭାରତ ସରକାରଙ୍କର ଶିକ୍ଷା ଦିଗରେ ଏକ ଭିନ୍ନ ଓ ନୂତନ ପଦକ୍ଷେପ ଯାହା ଆମ ଦେଶର ବିକାଶ କ୍ଷେତ୍ରରେ ଯୁବପିଢୀଙ୍କୁ ଏକ ଦିଗ୍ଦର୍ଶନ ଦେଇପାରିବେ ।
ସ୍ମାର୍ଟ ଇଣ୍ଡିଆ ହ୍ୟାକାଥନ ୨୦୧୭ ‘ବିଶ୍ୱର ସର୍ବ ବୃହତ୍ ମୁକ୍ତ ଶିକ୍ଷା ମଡେଲ’ ଯାହାକୁ ଅନ୍ୟ ଦେଶରେ ମଧ୍ୟ ସ୍ଥାନିତ କରାଯାଇ ପାରିବ ବୋଲି ଆଶା କରାଯାଉଛି ।
ହ୍ୟାକାଥନ ହେଉଛି ଭାରତ ପାଇଁ ସମ୍ପୂର୍ଣ୍ଣ ଭାବେ ଏକ ନୂତନ ପରିକଳ୍ପନା, ଏଆଇସିଟିଇ ତରଫରୁ ଯୁବପିଢୀଙ୍କୁ ଏ ସମ୍ପର୍କରେ ଅବଗତ କରିବା ନିମନ୍ତେ ସମଗ୍ର ଭାରତରେ ୨୬ଟି ସଚେତନତା କର୍ମଶାଳା ଆୟୋଜନ କରାଯାଇଛି । ଏହି କର୍ମଶାଳା ଗୁଡ଼ିକ ଆମ ରାଷ୍ଟ୍ରର ବିଭିନ୍ନ ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିପାରିଛି । ଏହି କର୍ମଶାଳାଗୁଡ଼ିକ ଦ୍ୱାରା ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସମସ୍ୟା ସହ ପରିଚିତ ହୋଇ ପାରିବେ ।
୭୫୩୧ ଟି ଭିନ୍ନ ଭିନ୍ନ ପ୍ରସ୍ତାବ ମଧ୍ୟରୁ ମୋଟ ୫୯୮ ଟି ସମସ୍ୟା ୨୯ଟି ସରକାରୀ ବିଭାଗ ଦ୍ୱାରା ପଠାଯାଇଛି, ଏପ୍ରିଲ ୧ ଓ ୨ ତାରିଖ ପାଇଁ ୧୨୬୬ଟି ପ୍ରସ୍ତାବକୁ ଚୟନ କରାଯାଇଛି ଯାହା ଉପରେ ଭାରତର ଭିନ୍ନ ଭିନ୍ନ ୨୬ ଟି ଅଂଚଳରେ ଛାତ୍ରଛାତ୍ରୀମାନେ ନିରନ୍ତର ୩୬ ଘଂଟା ଧରି ବିଭିନ୍ନ ପ୍ରସ୍ତାବିତ ଉପାୟ ମାଧ୍ୟମରେ କାମ କରିବା ସହ ଦେଶର ପ୍ରଗତି କ୍ଷେତ୍ରରେ ନିଜର ବିଚାର ଉପସ୍ଥାପନ କରିବେ । ଏହି ୨୬ଟି କେନ୍ଦ୍ର ମଧ୍ୟରୁ ସି.ଭି. ରମଣ କଲେଜ ଅଫ୍ ଇଞ୍ଜିନିୟରିଂ ହେଉଛି ଓଡ଼ିଶାର ଏକମାତ୍ର କେନ୍ଦ୍ର ।

Share in top social networks!