କୃଷିମନ୍ତ୍ରୀଙ୍କ ବାଡ଼ିପଟେ ଆତ୍ମହତ୍ୟା କରିଥିବା ଚାଷୀ ତ ଅଣଦେଖା, ରାଜ୍ୟର ଉପାନ୍ତ ଅଂଚଳରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କୁ ନ୍ୟାୟ ମିଳିବ କେମିତି : ବିଜେପି

krushakmorcha
କୃଷିମନ୍ତ୍ରୀଙ୍କ ବାଡ଼ିପଟେ ଜଣେ ଚାଷୀ ଆତ୍ମହତ୍ୟା କରିଛି । ରାଜଧାନୀ ଭୁବନେଶ୍ୱରରୁ ମାତ୍ର ୫୦ କି.ମି ଦୂରରେ ଅର୍ଥାତ୍ ନିଆଳି ଅଂଚଳ ଅନ୍ତର୍ଗତ କଂଟାପଡ଼ା ତହସିଲର ଚାଷୀ ସୁରେଶ ସ୍ୱାଇଁ(୩୬ବର୍ଷ) ଆତ୍ମହତ୍ୟା କରିଛନ୍ତି । ଫସଲ ନଷ୍ଟ ତଥା ଋଣ ବୋଝ ସହିନପାରି ଆତ୍ମହତ୍ୟା କରିବା ପାଇଁ ବାଧ୍ୟ ହୋଇଥିଲେ ସୁରେଶ । ମୃତ ସୁରେଶ ତାଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ଅସହାୟ କରି ଛାଡ଼ି ଚାଲିଯାଇଛନ୍ତି । ସୁରେଶଙ୍କ ବିଧବା ସ୍ତ୍ରୀ ସହିତ ଦୁଇ ଜଣ ଛୋଟ ଝିଅ ଆଉ ୭୦ ବର୍ଷ ବୟସର ବୃଦ୍ଧ ବାପା ମାଆ ଏବେ ନିଃସହାୟ । ମୃତ ଚାଷୀ ଜଣକ ୩ ଏକର ଜମି ପରିବା ଚାଷ କରିବା ପାଇଁ ଗାଁ ସାହୁକାରଙ୍କ ଠାରୁ ହାତ ଉଧାରି କରି ପ୍ରାୟ ୨ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ପାଣି ଅଭାବରୁ ସୁରେଶ କରିଥିବା ସମ୍ପୂର୍ଣ୍ଣ ଫସଲ ଉଜୁଡ଼ି ଯାଇଥିଲା । ସେହି ଋଣ ସୁଝିବା ଚିନ୍ତାରେ ଶେଷରେ ସୁରେଶ ଆତ୍ମହତ୍ୟା କଲା ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ଶିବାଜୀ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାର ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ଅସହାୟ ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରନ୍ତୁ । ଚାଷୀ ଜଣଙ୍କ ନାମରେ ଅନୁମୋଦିତ ହୋଇଥିବା ବିଜୁ ପକ୍କାଘର ତିଆରି କରିବାର ବ୍ୟବସ୍ଥା କରନ୍ତୁ । ଆତ୍ମହତ୍ୟା କରିଥିବା ଚାଷୀ ସୁରେଶ ସ୍ୱାଇଁଙ୍କ ପାଇଁ ଏସବୁ ସୁବିଧା ତୁରନ୍ତ ଯୋଗାଇ ଦିଅନ୍ତୁ ବୋଲି ଭାରତୀୟ ଜନତା ପାର୍ଟିର କୃଷକମୋର୍ଚ୍ଚା ପକ୍ଷରୁ ଦାବି କରୁଛୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବିଜେଡି କର୍ମାମାନେ ଚାଷୀ ଆତ୍ମହତ୍ୟାକୁ ଭିନ୍ନ ରୂପ ଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ସୁରେଶଙ୍କ ଆତ୍ମହତ୍ୟାର କାରଣ ଅନୁସନ୍ଧାନ କରିବାକୁ ଯାଇଥିବା ପ୍ରତିନିଧି ଦଳକୁ ବିଭ୍ରାନ୍ତ କରିବା ପାଇଁ ଅପଚେଷ୍ଟା କରିଛନ୍ତି ବିଜେଡି କର୍ମୀ । ଆତ୍ମହତ୍ୟାର କାରଣ ପାରିବାରିକ କଳହ ଦର୍ଶାଇ ଅନୁସନ୍ଧାନକାରୀ ପ୍ରତିନିଧି ଦଳ ପାଖରେ ସତ୍ୟାସତ୍ୟ ପ୍ରଘଟ ଭୟରେ ମୃତକ ଚାଷୀ ପରିବାର ସଦସ୍ୟଙ୍କ ସହ ସାକ୍ଷାତ୍ ନ କରାଇବାକୁ ଚକ୍ରାନ୍ତ କରୁଛନ୍ତି । ଚକ୍ରାନ୍ତ କରି ମୃତଚାଷୀ ସୁରେଶଙ୍କ ପରିବାରକୁ କୌଣସି ସରକାରୀ ଅନୁଦାନ ଦିଆଯାଇନାହିଁ । ଏପରିକି ମୃତକ ଚାଷୀ ସୁରେଶ ସ୍ୱାଇଁଙ୍କ ଶବ ସକ୍ରାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ମିଳୁଥିବା ସହାୟତା ରାଶି ମାତ୍ର ୨ ହଜାର ଟଙ୍କା ମଧ୍ୟ ପ୍ରଦାନ କରାଯାଇନାହିଁ ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି ।
କୃଷିମନ୍ତ୍ରୀଙ୍କ ବାଡ଼ିପଟେ ଚାଷୀ ଆତ୍ମହତ୍ୟା କରୁଛନ୍ତି । ନିଜର ଅପାରଗତା ଧରାପଡ଼ିଯିବା ଭୟରେ କୃଷିମନ୍ତ୍ରୀ ତଥ୍ୟ ଲୁଚାଉଛନ୍ତି । ରାଜଧାନୀ ଉପକଣ୍ଠରେ ଯଦି ମୃତକ ଚାଷୀର ଅବସ୍ଥା ଏମିତି, ତେବେ ରାଜ୍ୟର ଉପାନ୍ତ ଅଂଚଳରେ ଆତ୍ମହତ୍ୟା କରୁଥିବା ଚାଷୀର ଅବସ୍ଥା କ’ଣ ହେବ? ଋଣ ବୋଝ, ଫସଲହାନୀ, ଅଭାବୀ ବିକ୍ରୀ ଆଦିର ଶିକାର ହୋଇ ଆତ୍ମହତ୍ୟା କରୁଥିବା ହେଉଥିବା ଚାଷୀମାନେ ନ୍ୟାୟ ପାଇବେ କେମିତି ? ମୃତଚାଷୀ ସୁରେଶ ସ୍ୱାଇଁଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ଆଗାମୀଦିନରେ ବିଜେପିର ରାଜ୍ୟ କୃଷକମୋର୍ଚ୍ଚା ଆନେ୍ଦାଳନ କରିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି । ଏହି ବୈଠକରେ କୃଷକ ମୋର୍ଚ୍ଚା ରାଜ୍ୟ ସଂପାଦିକା ସୁଶ୍ରୀ ମନୀଶାଚିନ୍ମୟୀ ବେହେରା ,ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ଶ୍ରୀ ଅଶୋକ ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!