ଖଇନୁ ବଗର୍ତୀର ଆତ୍ମହତ୍ୟା ଫସଲହାନୀ ଜନିତ ଏବଂ ଏହି ଫସଲହାନୀ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ : ସୁରେଶ ପୁଜାରୀ

- ଚାଷୀର ଆତ୍ମହତ୍ୟା ଏକ ଅଘଟଣ ନୁହେଁ ବରଂ ଏହା ସମାଜରେ ଏକ ବିଲକ୍ଷଣ ଘଟଣା; ରାଜ୍ୟ ସରକାର ଏହି ବିଲକ୍ଷଣ ଘଟଣା ପାଇଁ ସଂପୂର୍ଣ୍ଣ ଦାୟୀ
- ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ମକଦ୍ଧମା ରୁଜୁ କରାଯାଉ
- ସରକାରୀ କାରଣରୁ ଫସଲହାନୀ ଓ ଆତ୍ମହତ୍ୟା ହୋଇଥିବା କାରଣରୁ ସ୍ୱର୍ଗତ ଖଇନୁ ବଗର୍ତୀଙ୍କ ପରିବାରକୁ କ୍ଷତିପୁରଣ ଦିଆଯାଉ

ଭୁବନେଶ୍ୱର,ତା.୦୨/୦୩ : ଚାଷୀର ଆତ୍ମହତ୍ୟା ଏକ ଅଘଟଣ ନୁହେଁ ବରଂ ଏହା ସମାଜରେ ଏକ ବିଲକ୍ଷଣ । ରାଜ୍ୟ ସରକାର ଏହି ବିଲକ୍ଷଣର ଜନକ ବୋଲି ବିଜେପି ରାଷ୍ଟ୍ରୀୟ ସଂପାଦକ ଶ୍ରୀ ସୁରେଶ ପୁଜାରୀ କହିଛନ୍ତି ।
ଆଜି ଶ୍ରୀ ପୁଜାରୀ ବରଗଡ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କେନ୍ଦପାଲି ଗ୍ରାମ ଗସ୍ତ କରି ଗତ ଫେବୃଆରୀ ୨୭ତାରିଖରେ ଆତ୍ମହତ୍ୟା କରିଥିବା ଚାଷୀ ସ୍ୱର୍ଗତ ଖଇନୁ ବଗର୍ତୀଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ପ୍ରଦାନ କରିବା ସହ ଏହି ଘଟଣା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।
ଆଲୋଚନା ପରେ ଶ୍ରୀ ପୁଜାରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଖଇନୁ ବଗର୍ତୀର ଆତ୍ମହତ୍ୟା ଫସଲହାନୀ ଜନିତ ଏବଂ ଏହି ଫସଲହାନୀ ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ ।
ଶ୍ରୀ ପୁଜାରୀ କହିଛନ୍ତି ଯେ, ବରଗଡ ଜିଲ୍ଲାରେ ୮୩୦୦ଟି ବୋରୱେଲ ଖନନ ପାଇଁ ଜିଲ୍ଲାର ଚାଷୀସମୁହ ଅଗ୍ରୀମ ଟଙ୍କା ପଇଠ କରିସାରିଛନ୍ତି । ଅନ୍ୟପଟେ ରାଜ୍ୟ ଉଠା ଜଳସେଚନ ନିଗମ (ଓଏଲସି)ର ଜିଲ୍ଲାରେ ବୋରୱେଲ ଖନନ କ୍ଷମତା ବାର୍ଷିକ ମାତ୍ର ୩୦୦ ଅଟେ । ଅର୍ଥାତ ଜଣେ ଯଦି ବାପ ଅମଳରେ ଅର୍ଥ ପଇଠ କରେ ତେବେ ନାତି ଅମଳରେ ବୋରୱେଲ ଖନନ ହେବ ଏବଂ ଏହା ଏହି ରାଜ୍ୟ ସରକାରଙ୍କ କାର୍ଯ୍ୟକ୍ଷମତା ଓ କାର୍ଯ୍ୟଦକ୍ଷତା ବୋଲି ଶ୍ରୀ ପୁଜାରୀ ତାତ୍ସଲ୍ୟ କରି କହିଛନ୍ତି ।
ସ୍ୱର୍ଗତ ବଗର୍ତୀଙ୍କ ଗ୍ରାମ କେନ୍ଦପାଲିରେ ଶତାଧିକ ଚାଷୀ ବୋରୱେଲ ଖନନ ପାଇଁ ଅର୍ଥ ପଇଠ କରିସାରିଛନ୍ତି । ବର୍ତମାନ ସୁଦ୍ଧା ଅର୍ଦ୍ଧାଧିକ ବୋରୱେଲ ଖନନ ହୋଇ ନାହିଁ । ଯେଉଁ କେତୋଟି ଖନନ ହୋଇଛି, ସେଥିରେ ବିଦୁ୍ୟତ ସଂଯୋଗ ହୋଇନାହିଁ । ଯେଉଁ କେତୋଟିରେ ବିଦୁ୍ୟତ ସଂଯୋଗ ହୋଇଛି, ସେଗୁଡିକ ମଧ୍ୟ ବିଦୁ୍ୟତ କାଟ ଏବଂ ଲୋ ଭୋଲଟେଜ କାରଣରୁ ମୋଟର କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ମୋଟର ନ ଚାଲିବା ହେଉଛି ଫସଲ ହାନୀର ମୁଖ୍ୟ କାରଣ ଏବଂ ସେହିପରି ଫସଲ ହାନୀ ହିଁ ଚାଷୀ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ଶ୍ରୀ ପୁଜାରୀ କ୍ଷୋଭ ପ୍ରକାଶ କରି କହିବା ସହ ଚାଷୀ ଆତ୍ମହତ୍ୟା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ ଦାୟୀ ବୋଲି ପ୍ରମାଣିତ ହେଉଥିବାର କହିଛନ୍ତି ।
କାର୍ଯ୍ୟରେ ଅବହେଳା କାରଣରୁ ଚାଷୀ ଆତ୍ମହତ୍ୟା କଲେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ମକଦ୍ଧମା ରୁଜୁ କରିବା ହେଲା ଆଇନର ଧର୍ମ । ତେଣୁ ଏହି ପ୍ରସଙ୍ଗରେ ଅବହେଳା ପ୍ରଦର୍ଶନ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ତୁରନ୍ତ ମକଦ୍ଧମା ରୁଜୁ କରାଯିବାକୁ ଶ୍ରୀ ପୁଜାରୀ ଦାବୀ କରିଛନ୍ତି ।
ସରକାରୀ କାରଣରୁ ଫସଲହାନୀ ଓ ଆତ୍ମହତ୍ୟା ହୋଇଥିବା କାରଣରୁ ସ୍ୱର୍ଗତ ଖଇନୁ ବଗର୍ତୀଙ୍କ ପରିବାରକୁ କ୍ଷତିପୁରଣ ଦେବାକୁ ଶ୍ରୀ ପୁଜାରୀ ଦାବୀ କରିବା ସହ ଭବିଷ୍ୟତରେ ଏଭଳି ଅଘଟଣର ପୁନାରିବୃତି ନ ହେବା ଏବଂ ସୃଷ୍ଟି ହେଉଥିବା ସମସ୍ୟାର କାରଣର ତୁରନ୍ତ ନିରାକରଣ ପାଇଁ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ନଚେତ ଆଗାମୀ ଅଘଟଣ ପାଇଁ ରାଜ୍ୟ ସରକାର ହିଁ ଅପରାଧି ହେବେ ବୋଲି ଶ୍ରୀ ପୁଜାରୀ କହିଛନ୍ତି ।

Share in top social networks!