ରାଜ୍ୟ ବଜେଟ ଉପରେ ଆଲୋଚନା: କ୍ରମାଗତ ଭାବେ ରାଜ୍ୟ ବଜେଟରେ ରାଜ୍ୟର ନିଜସ୍ୱ ଆୟ କମୁଥିବା ନେଇ ଚିନ୍ତା ବ୍ୟକ୍ତ କଲେ ବିଶେଷଜ୍ଞ

cysd
• ରାଜ୍ୟର ବିକାଶ ହାର ବଢି ଥିବା ସତ୍ୱେ ରାଜ୍ୟର ଟିକସ ବୃଦ୍ଧିରେ ପ୍ରତିଫଳିତ ନ ହେବା ଏକ ବିରୋଧାତ୍ମକ ବିଷୟ
• ସାମାଜିକ କ୍ଷେତ୍ର ପାଇଁ ବଢିଛି ବ୍ୟୟବରାଦ
• ଶିକ୍ଷା ବଜେଟ ବଢିଲେ ମଧ୍ୟ ମାନବ ସମ୍ବଳ ଉପରେ ଗୁରୁତ୍ୱ ନ ଥିବାରୁ ଚିନ୍ତା
• ଜଳସେଚନକୁ ଗୁରୁତ୍ୱ ମାତ୍ର ୨୦୧୯ ସୁଦ୍ଧା ୩୫ ପ୍ରତିଶତ ଜଳସେଚନ ନ ଥିବା ୧୦୨ ବ୍ଲକକୁ ଗୁରୁତ୍ୱ ପାଇଁ ମତ
ରାଜ୍ୟ ବଜେଟ ୨୦୧୭-୧୮ର ବିଭିନ୍ନ ଦିଗ ଉପରେ ବିଶେଷଜ୍ଞ ଓ ବିଶିଷ୍ଟ ବ୍ୟକ୍ତି ମାନେ ଆଲୋଚନା କରି ରାଜ୍ୟ ବଜେଟରେ ବିକାଶ କାମକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ନିଜସ୍ୱ ସମ୍ବଳ ସଂଗ୍ରହ ମୋଟ ବଜେଟରେ ପ୍ରତି ବର୍ଷ କମୁଥିବା ହାରକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି ।
ସିବାଇଏସଡି ଦ୍ୱାରା ଆୟୋଜିତ ଏହି ଆଲୋଚନା ଚକ୍ରରେ ପୂର୍ବତନ ଅର୍ଥ ମନ୍ତ୍ରୀ ପଂଚାନନ କାନୁନଗୋ, ବରିÂ ଅର୍ଥନୀତିଜ୍ଞ ପ୍ରଫେସର ଭାଗବତ ପାତ୍ର, ବରିÂ ସାମ୍ବାଦିକ ରାଜାରାମ ସତପଥୀ, ଦିଲ୍ଲୀପ ଶତପଥୀ, ତପନ ମିଶ୍ର, ଡ. ଅସିତ ମହାନ୍ତି ପ୍ରମୁଖ ଯୋଗ ଦେଇ ବଜେଟର ବିଭିନ୍ନ ଦିଗ ଉପରେ ଗୁରୁତ୍ୱ ଓ ଏହାର ସାଧାରଣ ଲୋକଙ୍କ ଉପରେ ପ୍ରଭାବକୁ ନେଇ ଆଲୋଚନା କରିଥିଲେ ।
ଆଲୋଚନାରୁ ସ୍ପଷ୍ଟ ହୋଇଥିଲା ଯେ ରାଜ୍ୟ ବଜେଟରେ ରାଜ୍ୟର ନିଜସ୍ୱ ରାଜସ୍ୱ ମୋଟ ବଜେଟର ୩୩ ପ୍ରତିଶତରେ ସୀମିତ ହୋଇଛି । ଅପର ପକ୍ଷରେ ରାଜ୍ୟ ବଜେଟରେ କେନ୍ଦ୍ରୀୟ ଭାଗ ୪୯ ପ୍ରତିଶତରେ ପହଂଚିଛି । ଅର୍ଥନୈତିକ ସର୍ଭେରେ ୨୦୧୫-୧୬ ଆର୍ଥିକ ବର୍ଷରେ ରାଜ୍ୟର ବିକାଶ ଦର ୬.୧ ପ୍ରତିଶତ ରହିଥିବା ବେଳେ ୨୦୧୬-୧୭ ଆର୍ଥିକ ବର୍ଷରେ ଏହା ପାଖାପାଖି ୮ ପ୍ରତିଶତକୁ ବୃଦ୍ଧି ପାଇଛି । ରାଜ୍ୟର ବିକାଶ ହାର ବଢିବା ସତ୍ୱେ ରାଜ୍ୟର ଟିକସ ବୃଦ୍ଧିରେ ପ୍ରତିଫଳିତ ନ ହେବା ଏକ ବିରୋଧାତ୍ମକ ବିଷୟ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀ କାନୁନଗୋ ଓ ବରିÂ ସାମ୍ବାଦିକ ଦିଲ୍ଲୀପ ସତପଥୀ କହିଛନ୍ତି ।
ସିବାଇଏସଡି ଦ୍ୱାରା ପରିଚାଳିତ ଓଡିଶା ବଜେଟ ଏଂଡ ଆକାଉଂଟେବିଲିଟି ସେଂଟର ଦ୍ୱାରା ଏହି ବଜେଟର ବିଶ୍ଲେଷଣ କରି ସଂଯୋଜକ ବସନ୍ତ ନାୟକ କହିଥିଲେ ଯେ ସାମାଜିକ କ୍ଷେତ୍ରରେ ରାଜ୍ୟ ବଜେଟରେ ବ୍ୟୟ ମୋଟ ବଜେଟର ୩୬.୬୪ ପ୍ରତିଶତ ରହିଛି । ଅର୍ଥନୈତିକ ସର୍ଭେରେ ରାଜ୍ୟର ବିକାଶ ପାଇଁ ଏହି ତ୍ତକ୍ଷେତ୍ରରେ ଅଧିକ ଅର୍ଥ ବ୍ୟୟ ପାଇଁ ସୁପାରିଶ କରାଯାଇଥିଲା ।
ସେହିପରି ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ମୋଟ ବଜେଟର ୫.୪ ପ୍ରତିଶତ ଅର୍ଥ ବ୍ୟୟବରାଦ କରାଯାଇଥିବା ବେଳେ ଦଶ ହଜାର ଜନ ସଂଖ୍ୟାରେ ଦଶଟି ବେଡ ରହିବାର ମାନକ ସ୍ଥିର ହୋଇଥିବା ବେଳେ ରାଜ୍ୟରେ ଏହା ମାତ୍ର ଚାରି ଅଛି । ଦୀର୍ଘ ୫ ବର୍ଷ ଧରି ଏହି ସ୍ଥିତିରେ ପରିବର୍ତନ ଆସି ନାହିଁ । ଚଳିତ ବଜେଟରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆ ଯାଇ ନାହିଁ ।
ଶିକ୍ଷା କ୍ଷେତ୍ର ପାଇଁ ଏହି ବଜେଟରେ ସମୁଦାୟ ୧୮,୫୪୬.୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ ୨୦୧୬-୧୭ ବଜେଟ ଠାରୁ ଏହା ୩, ୨୨୭ କୋଟି ଟଙ୍କା ଅଧିକ । ମାତ୍ର ଏହି ବଜେଟରେ ରାଜ୍ୟରେ ପ୍ରାଥମିକ ଶିକ୍ଷାରେ ମାନବ ସମ୍ବଳ ସମ୍ପର୍କିତ ସମସ୍ୟା ପ୍ରତି ଗୁରୁତ୍ୱ ଆରୋପ କରାଯାଇ ନ ଥିବା ବିଶ୍ଳେଷଣରେ କୁହାଯାଇଛି ।
ଚଳିତ ବଜେଟରେ ଗ୍ରାମୀଣ ପରିମଳ ଓ ପାନୀୟ ଜଳ ପାଇଁ ଯଥେଷ୍ଟ ଗୁରୁତ୍ୱ ଦେଇ ୨୩୪୫ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଥିଲେ ମଧ୍ୟ ସ୍ୱଚ୍ଛ ଭାରତ ଲକ୍ଷ୍ୟ ଠାରୁ ରାଜ୍ୟ ବହୁ ଦୂରରେ ରହିଛି ।
ଜଳସେଚନକୁ ବୃଦ୍ଧି କରିବାକୁ ରାଜ୍ୟ ସରକାର ଯଥେଷ୍ଟ ଗୁରୁତ୍ୱ ଦେବା ସହ ୯୨୧୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ତେବେ ଏବେ ସୁଦ୍ଧା ରାଜ୍ୟର ୧୦୨ଟି ବ୍ଲକରେ ୩୫ ପ୍ରତିଶତରୁ କମ ଜଳସେଚନ ହୋଇଥିବାରୁ ୧୯ ମସିହା ସୁଦ୍ଧା କିପରି ଏହି ଲକ୍ଷ୍ୟ ହାସଲ କରାଯିବ ଏହା ଉପରେ ଅଧିକ ଗୁରୁତ୍ୱ ପାଇଁ ବିଶ୍ଲେଷଣରେ କୁହା ଯାଇଛି ।
ରାଜ୍ୟରେ ମୋଟ ୧୪୦୦ ଗ୍ରାମକୁ ବିଜୁଳି ବ୍ୟବସ୍ଥା ନ ପହଂଚି ଥିବା ବେଳେ ବିଜୁଳି କ୍ଷେତ୍ରରେ ବଜେଟରେ ମୋଟ ବ୍ୟୟବରାଦ ୩୮୫ କୋଟି ଟଙ୍କା କରାଯାଇଥିବା ଏହି ବିଶ୍ଳେଷଣରେ କୁହାଯାଇଛି ।
ଅନେକ ସମୟରେ ବଜେଟରେ ବ୍ୟୟବରାଦ କାର୍ଯ୍ୟରେ ପରିଣତ ନ ହେବା ପଛରେ ଏହାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ମାନଙ୍କର ଦକ୍ଷତା ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରୁଛି ।
ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସାମାଜିକ କର୍ମୀ ଜଗଦାନନ୍ଦ, ନୂଆଦିଲ୍ଲୀ ସ୍ଥିତ ବଜେଟ ଏକାଉଂଟେବିଲିଟି ସେଂଟରର କାର୍ଯ୍ୟକାରୀ ନିର୍ଦେଶକ ସୁବ୍ରତ ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସବୁ ବର୍ଗର ଲୋକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
୰୰୰୰୰

Share in top social networks!