କଟକରେ ଜଣ୍ଡିସ୍ ଆକ୍ରାନ୍ତଙ୍କୁ ଭେଟିଲେ ବିଜେପି ନେତୃମଣ୍ଡଳୀ

16996511_1821119134771762_5814667011986223265_n
- ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ କଟକ ଯାଇ ସମୀକ୍ଷା କଲେ
- ସରକାରଙ୍କ ଅବହେଳା ଓ ଅପାରଗତା ହିଁ ଦାୟୀ : ବସନ୍ତ ପଣ୍ଡା
୨୦୧୫ରେ କଟକ ଯୋବ୍ରା ଅଂଚଳରେ ଯେଭଳି ଜଣ୍ଡିସ୍ ସାଙ୍ଘାତିକ ରୂପ ନେଇଥିଲା ତାହାର ପୁନରାବୃତି ହୋଇଛି । ଜଣ୍ଡିସ୍ରେ ଏପର୍ଯ୍ୟନ୍ତ ୨ ଜଣଙ୍କ ଜୀବନ ଗଲାଣି ଏବଂ ଦେଢ଼ଶହରୁ ଅଧିକ ଆକ୍ରାନ୍ତ ହେଲେଣି । କଟକର ନୂଆ ଅଂଚଳକୁ ଜଣ୍ଡିସ୍ ହୁ ହୁ ହୋଇ ବ୍ୟାପୁଛି । ଏହା ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, କଟକ ପୌରନିଗମ, ସର୍ବୋପରି ରାଜ୍ୟ ସରକାରଙ୍କ ଅବହେଳା ବୋଲି ରାଜ୍ୟ ବିଜେପି ସଭାପତି ତଥା ବିଧାୟକ ବସନ୍ତ ପଣ୍ଡା ଅଭିଯୋଗ କରିଛନ୍ତି । ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ସହ ବିଧାୟିକା ରାଧାରାଣୀ ପଣ୍ଡା, ଉପସଭାପତି ସମୀର ମହାନ୍ତି ଓ ନୟନ କିଶୋର ମହାନ୍ତି, ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ପୂର୍ବତନ ମନ୍ତ୍ରୀ ସମୀର ଦେ, ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ଓ ଦିଲୀପ ମଲ୍ଲିକ, କଟକ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଜିଣ୍ଡିସ୍ ଆକ୍ରାନ୍ତ ଅଂଚଳ ତୁଳସୀପୁର, ମଠସାହି, ହାଟୁଆ ସାହି, ବାଉରୀ ସାହି, ତଅଁଳା ସାହି, ବଙ୍ଗାଳି ସାହି ଏବଂ ୮ ଓ ୯ ନମ୍ବର ୱାଡର଼୍ ଅଂଚଳ ପରିଦର୍ଶନ କରି ଆକ୍ରାନ୍ତମାନଙ୍କୁ ଭେଟିଥିଲେ ।
ତୁଳସୀପୁର ଶ୍ରୀବିହାର କଲୋନୀର ମାର୍ବଲ ମିସ୍ତ୍ରୀ ରୋହିତ ଦାସ(୫୨ ବର୍ଷ) ମୃତୁ୍ୟବରଣ କରିଛନ୍ତି ଏବଂ ଜଣ୍ଡିସ୍ରେ ଆକ୍ରାନ୍ତ ଅଛନ୍ତି ମହେଶ୍ୱର ବାରିକ । ମଠସାହି ୱାଡର଼୍ ନଂ-୮ ଓ ୱାଡର଼୍ ନଂ-୯ରେ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇ ପୂର୍ଣ୍ଣିମା ରଣା(୬୨ ବର୍ଷ) ମୃତୁ୍ୟବରଣ କରିଛନ୍ତି । କଳାକାର ଜଗନ୍ନାଥ ମହାରଣାଙ୍କ ପୂରା ପରିବାର ଲୋକ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି । ଲକ୍ଷ୍ମଣ ମହାରଣାଙ୍କ ପରିବାରର ସମସ୍ତ ସଦସ୍ୟ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି । ବଙ୍ଗାଳି ସାହିର ରଣଜିତ୍ ସରକାରଙ୍କ ପୂରା ପରିବାର ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି । ହେଲେ ଏପର୍ଯ୍ୟନ୍ତ ଏମାନଙ୍କ ପାଖକୁ କୌଣସି ଡାକ୍ତର କିମ୍ବା ପ୍ରଶାସନ ପକ୍ଷରୁ କେହି ଆସିନାହାଁନ୍ତି । ଏ ଅଂଚଳର କୁନି କୁନି ପିଲା, ଛାତ୍ରଛାତ୍ରୀ ଏପରିକି ପରୀକ୍ଷାର୍ଥୀ ମଧ୍ୟ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଛନ୍ତି । ଶିଶୁପୁତ୍ର ବିଶ୍ୱଜିତ୍ ବେହେରା ମଧ୍ୟ ଆକ୍ରାନ୍ତ ହୋଇଛି । ଅନୂ୍ୟନ ୨୧ ଜଣ ଡାକ୍ତରଖାନାରେ ଚିକିତ୍ସାଧୀନ ଏବଂ ୨୦ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ଅଛନ୍ତି ।
କଟକ ସହରରେ ଜଣ୍ଡିସ୍ର କାରଣ ଖୋଜି ପାଇବାରେ ବିଫଳ ହୋଇଛି ପିଏଚ୍ଡି ବିଭାଗ । ପ୍ରଶାସନର ଉପର ଠାଉରିଆ ପ୍ରତିଷେଧକ ବ୍ୟବସ୍ଥା ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା କମୁନାହିଁ । ସୋମବାର ଦିନ ଆଉ ୨୩ ଜଣ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ରିପୋର୍ଟ ଦେଇଛି ଜିଲ୍ଲା ପ୍ରଶାସନ । ସେଥିମଧ୍ୟରୁ ତୁଳସୀପୁର ମଠସାହିରେ ସର୍ବାଧିକ ୪ଜଣ, ତଅଁଳା ସାହିର ଜଣେ, ବଙ୍ଗାଳି ସାହିର ଜଣେ, ବାଉରୀ ସାହିର ୩ଜଣ ଏବଂ ଜଗନ୍ନାଥ ମନ୍ଦିର ପାଖରୁ ୪ଜଣଙ୍କୁ ଚିହ୍ନଟ କରାଯାଇଛି । ତେବେ ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ନୂଆ ନୂଆ ଅଂଚଳରେ ଦେଖାଯିବା, ସାଧାରଣ ଲୋକଙ୍କୁ ଆତଙ୍କିତ କରିଦେଇଛି । ମଠସାହିରେ ସୋମବାର ଦିନ ଏକାବେଳେ ୧୪ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ସରକାରୀ ଭାବେ ସୋମବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୧୦୯ରେ ପହଂଚିଛି ଏବଂ ବେସରକାରୀଭାବେ ୧୫୦ରେ ପହଂଚିଛି ବୋଲି ଆକଳନ କରାଯାଇଛି । ହେଲେ କେଉଁ ଅଂଚଳରେ ପାଇପ୍ ଫାଟି ପାଣି ସଂକ୍ରମିତ ହେଉଛି, ତାହା ଖୋଜି ନ ପାଇବା ପ୍ରଶାସନର ଅପାରଗତାକୁ ପ୍ରମାଣିତ କରୁଛି ।
ଜଣ୍ଡିସ ପ୍ରଭାବିତ ଅଂଚଳରେ ଡ୍ରେନ୍ ଭିତରେ ବୁଡ଼ି ରହିଥିବା ପୁରୁଣା ପାଇପ୍ ବଦଳାଇବା, ମୁଖ୍ୟ ପାଇପ୍ରୁ ବେଆଇନ ଭାବେ ସଂଯୋଗ ନେଇଥିବା ବ୍ୟକ୍ତିଙ୍କ ନାମରେ ଅପରାଧିକ ମାମଲା ରୁଜୁ କରିବା ଆଦି ସିଏମ୍ସି ଓ ପିଏଚ୍ଡିକୁ କଡ଼ା ନିଦେ୍ର୍ଧଶ ଦେଇଛନ୍ତି ସଚିବ ଜି. ମାଥିଭାତନନ୍ । ନଗର ଉନ୍ନୟନ ସଚିବଙ୍କ ଏଭଳି ତରବରିଆ ପରିଦର୍ଶନ ପଦକ୍ଷେପକୁ ଶ୍ରୀ ପଣ୍ଡା ଏହା ପ୍ରଶାସନର ନାଟକବାଜି ବୋଲି କହିିଛନ୍ତି ।
କଟକରେ ଜନସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପିଏଚଡି, ସିଏମ୍ସି ଏବଂ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଏବଂ ରାଜ୍ୟ ସରକାରଙ୍କ ଉଦାସୀନତା ଲୋକଙ୍କୁ ଜଣ୍ଡିସ୍ ଭଳି ମହାମାରୀ ବେମାରୀର ଶିକାର କରିଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ପଣ୍ଡା । ଯଥାଶୀଘ୍ର ଏହାର ବିହିତ ପ୍ରତିକାର କରାନଗଲେ ଲୋକଙ୍କ ଅବସ୍ଥା ଶୋଚନୀୟ ହେବ, ଏଥିପାଇଁ ରାଜ୍ୟ ସକାର ହିଁ ଦାୟୀ ରହିବେ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ପଣ୍ଡା ।

Share in top social networks!