ଗରୀବ, ଆଦିବାସୀ ଓ ଚାଷୀଙ୍କ ବ୍ୟାପକ ସମର୍ଥନ ବିଜେପିକୁ ଶକ୍ତିଶାଳୀ କରିଛି – ଧର୍ମେନ୍ଦ୍ର ପ୍ରଧାନ

- ରାହୁଲ ଗାନ୍ଧୀ କଳାହାଣ୍ଡି ଓ ବରଗଡ ଯାଇଥିଲେ, ଲୋକ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କଲେ
- ବିମୁଦ୍ରୀକରଣ ପରେ ଗରୀବଙ୍କ ମେଳି ମୋଦିଙ୍କ ସପକ୍ଷରେ
- ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ପ୍ରତି ଅନାସ୍ଥା ଓ ମୋଦିଙ୍କ ଜନକଲ୍ୟାଣ ପାଇଁ ଆସ୍ଥା
dpdpଓଡିଶାର ପଂଚାୟତ ନିର୍ବାଚନରେ ଗରୀବ ଓ ପଛୁଆ ଅଂଚଳର ଲୋକ ମାନଙ୍କ ସହିତ କୃଷକ ମାନେ ଭାରତୀୟ ଜନତା ପାର୍ଟୀ ସହିତ ଦୃଢତାର ସହିତ ଠିଆ ହୋଇଥିବା କାରଣରୁ ପାର୍ଟୀକୁ ଅଭୂତପୂର୍ବ ସଫଳତା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରୀକରଣ ପରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜନସାଧାରଣଙ୍କୁ ଆତଙ୍କିତ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ରାଜ୍ୟର ଜନସାଧାରଣ କଳାଧନ ବିରୁଦ୍ଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲଢେଇକୁ ସମର୍ଥନ କରିଛନ୍ତି । ତେଣୁ ଓଡିଶାର କଳାହାଣ୍ଡି,
ମାଲକାନଗିରି ଓ ମୟୁରଭଞ୍ଜ ପରି ଜିଲ୍ଲା ମାନଙ୍କରେ ବିଜେପିରୁ ଅପାର ସଫଳତା ମିଳିଛି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଜନଜାତୀୟ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଓ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ଅରୁଣ ସିଂହ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ନୂଆ ଦିଲ୍ଲୀ ଠାରେ ବିଜେପିର କେନ୍ଦ୍ରୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ ଜାପାନୀ ଜ୍ୱରରେ ଶତାଧିକ ଶିଶୁଙ୍କ ମୃତ୍ୟୁ ଘଟିଥିବା ମାଲକାନଗିରି ଜିଲ୍ଲାରେ ଭାରତୀୟ ଜନତା ପାର୍ଟୀ ୧୩ ଟି ଜିଲ୍ଲା ପରିଷଦ ଆସନ ମଧ୍ୟରୁ ୧୦ଟି ହାସଲ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ହାସଲ କରିବାରେ ସକ୍ଷମ
ହୋଇଛି । କଳାହାଣ୍ଡି ପରି ଦେଶର ସବୁଠୁ ପଛୁଆ ଜିଲ୍ଲା ଏହି ନିର୍ବାଚନରେ ବିଜେପି ସମର୍ଥନରେ ସମ୍ପୂର୍ଣ ଭାବେ ଠିଆ ହୋଇଛି । କଳାହାଣ୍ଡିର ଦାନ ମାଝୀ କାନ୍ଧରେ ସ୍ତ୍ରୀର ମର ଶରୀର ସମସ୍ତଙ୍କୁ ସ୍ତବ୍ଧ କରିଥିଲା । ଏହି ଜିଲ୍ଲାରେ ୩୬ଟି ଆସନ ମଧ୍ୟରୁ ବିଜେପିକୁ ୩୩ଟି ଆସନ ମିଳିଛି । ସେହିପରି ସାନ୍ତାଳ ଓ ମୁଣ୍ଡା ଜନଜାତି ବହୁଳ
ସଂଖ୍ୟାରେ ବସ ବାସ କରୁଥିବା ମୟୁରଭଂଜ ଜିଲ୍ଲାରେ ମଧ୍ୟ ବିଜେପି ୫୬ଟି ଆସନ ମଧ୍ୟରୁ ବିଜେପି ୪୯ଟି ଆସନ ହାସଲ କରିଛି ।

ସେମାନେ କହିଛନ୍ତି ଯେ ଦେଶର ସବୁଠାରୁ ଅଧିକ ପଛୁଆ ଅଂଚଳ ଭାବେ ପରିଗଣିତ ହେଉଥିବା କେବିକେ ଜିଲ୍ଲା ମାନଙ୍କରେ ମୋଟ ୧୮୭ଟି ଜିଲ୍ଲା ପରିଷଦ ଆସନରୁ ବିଜେପିକୁ ୯୦ଟି ଆସନ ହାସଲ ହୋଇଥିବା ବେଳେ ଏହି ଅଂଚଳରେ ପାରମ୍ପାରିକ ଭାବେ ଭଲ ପ୍ରଦର୍ଶନ କରୁଥିବା କଂଗ୍ରେସ ଚରମ ବିପର୍ଯ୍ୟୟର ସାମନା କରିଛି ।
ସେମାନେ କହିଛନ୍ତି ଯେ କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧୀ ପୂର୍ବରୁ କଳାହାଣ୍ଡ ି ଯାଇଥିଲେ ଓ ସେଠାରେ ସେ ନିଜକୁ ଆଦିବାସୀ ମାନଙ୍କର ସିପାହୀ ବୋଲି କହିଥିଲେ । ସେହିପରି ବରଗଡ ଜିଲ୍ଲାରେ ରାହୁଲ ଗାନ୍ଧୀ ଚାଷୀ ସମାବେଶ କରି ବିଜେପିକୁ କୃଷକ ବିରୋଧୀ ବୋଲି ଚିତ୍ରଣ କରିଥିଲେ । ମାତ୍ର ଉଭୟ ଜିଲ୍ଲାରେ କଂଗ୍ରେସ ଲୋକଙ୍କ
ଦ୍ୱାରା ପ୍ରତ୍ୟାଖ୍ୟାତ ହୋଇଛି ।

ବିଜେପି ତରଫରୁ କୁହା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ତିନିଥର ଓଡିଶା ଆସିଥିଲେ । ପ୍ର ପାରାଦୀପୁ
ଆଇଓସିଏଲର ରିଫାଇନାରୀର ଲୋକାର୍ପଣ କରିଥିଲେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା
ଆରମ୍ଭ ହେବା ପରେ ଚାଷୀ ମାନଙ୍କ ସହ ଏ ବିଷୟରେ ଚର୍ଚା କରିବାକୁ ବରଗଡରେ କୃଷକ ମାନଙ୍କର
ସମାବେଶରେ ଯୋଗ ଦେଇଥିଲେ । ସେହିପରି କେନ୍ଦ୍ର ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ସରକାରଙ୍କ ଦ୍ୱାରା
କରାଯାଇଥିବା କାମ ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ବାଲେଶ୍ୱରରେ ଏକ ଜନସଭାକୁ ସମ୍ବୋଧିତ
କରିଥିଲେ ।
ବିଶେଷ ଭାବରେ ୮ ନଭେମ୍ବର ବିମୁଦ୍ରୀକରଣ ପରେ ଦେଶର ଗରୀବ ଅଂଚଳର ଲୋକ ମାନେ ପ୍ରଧାନମନ୍ତ୍ରୀଙ୍କ
ସମର୍ଥନରେ ବାହାରିଥିବାର ପ୍ରମାଣ ଦେଶରେ ବିଭିନ୍ନ ସ୍ଥାନରେ ହେଉଥିବା ନିର୍ବାଚନ ଫଳରୁ ବେଶ ବାରି ହୋଇ
ପଡୁଛି । ଓଡିଶାର ଆଦିବାସୀ, ଗରୀବ ଓ ପଛୁଆ ବର୍ଗର ବିଜେପି ପ୍ରତି ବ୍ୟାପକ ଜନ ସମର୍ଥନ ଏହି ସତ୍ୟକୁ ପୁଣି
ସାମନାକୁ ଆଣିଛି ବୋଲି ସେମାନେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ନିର୍ବାଚନରେ ସେ ଓ ଅନ୍ୟତମ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ନିର୍ବାଚନ
ପ୍ରଚାରରେ ନବୀନ ସରକାରଙ୍କର ସ୍ଥାଣୁତା ଓ ଅପାରଗତା ପ୍ରସଙ୍ଗ ଉଠାଇବା ସହିତ ବିଭିନ୍ନ ସକାରାତ୍ମକ ପ୍ରସଙ୍ଗ
ମଧ୍ୟ ଉଠାଇଥିଲେ । ସେ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ଯେପରି
ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଯୋଜନା, ପ୍ରଧାନମନ୍ତ୍ରୀ
ଫସଲ ବୀମା ଯୋଜନା, ମୁଦ୍ରା ଯୋଜନା ପରି ଅନ୍ୟ ଯୋଜନା ଗୁଡିକ ବିଷୟରେ ମଧ୍ୟ ପ୍ରଚାରରେ ସେ ମାନେ
ଉଠାଇଥିଲେ ଯାହାକୁ ଓଡିଶାର ଜନ ସାଧାରଣ ସ୍ୱାଗତ କରିଛନ୍ତି ।

Share in top social networks!