ବିଜେପି ଜନମତକୁ ପ୍ରଭାବିତ କରିଛି କହିବା ଏକ ଧୂଆଁବାଣ: ବିଜେଡି

pratapdebବିଜେପି ପଞ୍ଚାୟତ ନିର୍ବାଚନରେ ପ୍ରଚୁର ଅର୍ଥ ବ୍ୟୟ କରିଛି । ପଡେ଼ାଶୀ ରାଜ୍ୟମାନଙ୍କରୁ ବିପୁଳ ଟଙ୍କାର ସୁଅ ଛୁଟାଇଛି । ଏ ସଂପର୍କରେ ଆମେ ବାରମ୍ବାର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛୁ । ଗତ ଦୁଇଦିନ ପୂର୍ବେ ରାୟଗଡ଼ା ଟାଉନ୍‍ରେ ଛତିଶଗଡ଼ର ପୂର୍ବତନ ମେୟର ଅଟକ ଏବଂ ଆଜି କଳାହାଣ୍ଡିର ଡୁମେରପଦର ଠାରେ ୨ଲକ୍ଷ ୧୧ ହଜାର ଟଙ୍କା ଓ ନବରଙ୍ଗପୁରର ମଇଦଲ୍‍ପୁର ଥାନା ଠାରେ ଛତିଶଗଡ଼ର ବିଜେପି ନେତାଙ୍କ ଠାରୁ ୧ଲକ୍ଷ ଟଙ୍କା ଜବତ ହେବା ଘଟଣାରେ ଆମ ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି । ଯଦି ନିର୍ବାଚନ କମିଶନ ଆଗରୁ ସତର୍କତାମୂଳକ ପଦକ୍ଷେପ ନେଇଥାନ୍ତେ ବିଜେପିର ଏହି କଳା କାରନାମା ବହୁ ସଂଖ୍ୟାରେ ଧରାପଡିଥାନ୍ତା । ବିଜେପି ଜନମତକୁ ପ୍ରଭାବିତ କରିଛି ବୋଲି କହିବା ଏକ ଧୂଆଁବାଣ ।

ବିଜେପି ଯେଭଳି ଭାବରେ ଅର୍ଥ ଏବଂ ବାହୁବଳ ପ୍ରୟୋଗ କରି ଅନ୍ୟ ମୁଣ୍ଡରେ ଦୋଷ ଲଦିବାକୁ ଅପଚେଷ୍ଟା କରୁଛି ତାହା କଦାପି ସଫଳ ହେବନାହିଁ ।
ଅର୍ଥ ଓ ହିଂସା ହେଉଛି ବିଜେପିର ଦୁଇଟି ଆୟୁଧ । ଏହା କେବଳ ଓଡ଼ିଶାରେ ନୁହେଁ, ସାରା ଭାରତରେ ବିଜେପି ଏହାର ପ୍ରୟୋଗ କରିଆସିଛି । ଏହାର ଯଥେଷ୍ଟ ପ୍ରମାଣ ରହିଛି । ଶାନ୍ତିପ୍ରିୟ ସ୍ୱାଭିମାନୀ ଓଡ଼ିଶା ଲୋକଙ୍କୁ ଏଭଳି ଭଣ୍ଡାଇ ହେବନାହିଁ । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତି ଓ ପ୍ରଗତି ଉପରେ ବିଶ୍ୱାସ ରଖନ୍ତି । ଗାଁ ଗାଁରେ ବିଜେପି ଯେଉଁ ବିଷ ମଞ୍ଜି ପୋତୁଛି ତାହା ଓଡ଼ିଶାର ପ୍ରଗତି ପ୍ରକ୍ରିୟାରେ ବାଧକ ହେବ । ଚଳିତ ପଞ୍ଚାୟତ ନିର୍ବାଚନରେ ସାମାନ୍ୟ ସଫଳତାରେ ଉଲ୍ଲସିତ ହୋଇ ବିଜେପି ନେତା ଓ କର୍ମୀମାନେ ଯେଭଳି ଔଦ୍ଧତ୍ୟପୂର୍ଣ୍ଣ ହିଂସ୍ର ଆଚରଣ କରୁଛନ୍ତି ତାହାକୁ କଦାପି ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ।

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଇତିହାସରେ ପ୍ରଥମଥର ପାଇଁ ଶହ ଶହ ସଂଖ୍ୟାରେ ପଡେ଼ାଶୀ ରାଜ୍ୟରୁ ବିଜେପି କର୍ମକର୍ତ୍ତା ଏବଂ କର୍ମୀମାନଙ୍କୁ ଆଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିୟୋଜିତ କରାଇ ବିଜେପି ସମଗ୍ର ରାଜ୍ୟରେ ଏକ ଘୃଣ୍ୟ ପରମ୍ପରା ସୃଷ୍ଟି କରିଛି । ଏହାର ଜବାବ ବିଜେଡି ଦେଇ ଶିଖିଛି ଓ ଆଗକୁ ଦେବ ବୋଲି ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ଅନୁÂିତ ସାମ୍ବାଦିକ
ସମ୍ମିଳନୀରେ ଦଳର ମୁଖପାତ୍ର ଶ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ ଉପସ୍ଥିତ ଥିଲେ ।

Share in top social networks!