ବିଜେପି ନେତୃବୃନ୍ଦମାନଙ୍କର ମନ୍ତବ୍ୟ ସେମାନଙ୍କର ଆସ୍ପର୍ଦ୍ଧା ଏବଂ ଅହଂକାର ଦର୍ଶାଇବା ସହିତ ସେମାନଙ୍କୁ ଔଦ୍ଧତ୍ୟର ଚରମ ସୀମାରେ ପହଞ୍ଚାଇଛି: BJD

bjdbjd ଆଜି ଭାରତୀୟ ଜନତା ପାର୍ଟି ପକ୍ଷରୁ ପୁଣିଥରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସରକାରୀ କର୍ମଚାରୀମାନଙ୍କୁ ଧମକ ଦିଆଯାଇ ଏ କଥା କୁହାଯାଇଛି ଯେ ଯେଉଁମାନେ ଶାସକ ଦଳର ଇଙ୍ଗିତରେ ନିର୍ବାଚନ କାର୍ଯ୍ୟରେ ଶାସକ ଦଳକୁ ସହଯୋଗ କରୁଛନ୍ତି ସେମାନଙ୍କୁ ବିଜେପି ୨୦୧୯ ମସିହାରେ କ୍ଷମତାକୁ ଆସିଲେ କମିଶନ ବସାଇ ଉଚିତ୍‍ ଦଣ୍ଡବିଧାନ କରିବ । ଏଥି ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଫଳାଫଳ ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏହିଭଳି
ମନ୍ତବ୍ୟ ଗଣମାଧ୍ୟମ ଜରିଆରେ ରାଜ୍ୟର ଜନସାଧାରଣଙ୍କ ସମ୍ମୁଖରେ ରଖିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହେବା ପରେ ମଧ୍ୟ କଂଗ୍ରେସର ଭୋଟ କିଣି ମାତ୍ର ୩୦% ଜିଲ୍ଲା ପରିଷଦ ଆସନ ଜିଣିଥିବା ବିଜେପି ଏବଂ ଏହାର ନେତୃବୃନ୍ଦମାନଙ୍କର ଏଭଳି ମନ୍ତବ୍ୟ ସେମାନଙ୍କର ଆସ୍ପର୍ଦ୍ଧା ଏବଂ ଅହଂକାର ଦର୍ଶାଇବା ସହିତ ସେମାନଙ୍କୁ ଔଦ୍ଧତ୍ୟର ଚରମ ସୀମାରେ ପହଞ୍ଚାଇଛି । ସାମାନ୍ୟତମ ସଫଳତାରେ ଏଭଳି ଆସ୍ପର୍ଦ୍ଧା ଏବଂ ଅହଂକାରକୁ ଓଡ଼ିଆ ସଂସ୍କୃତି ଗ୍ରହଣ କରେ ନାହିଁ, ଓଡ଼ିଶାବାସୀ ଏଭଳି ଅପରିଣାମଦର୍ଶୀ ମନ୍ତବ୍ୟର ଦୃଢ଼ ଜବାବ ଦେବେ ବୋଲି ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା
କହିଛନ୍ତି ।

ପଞ୍ଚାୟତ ନିର୍ବାଚନ ଏକ ତୃଣମୂଳସ୍ତରୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ଏହା ଗ୍ରାମାଞ୍ଚଳରେ ଜନସାଧାରଣଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ହାସଲ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ । ମାତ୍ର ଏଥରର ପଞ୍ଚାୟତ ନିର୍ବାଚନରେ ପଡେ଼ାଶୀ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟର ପୂର୍ବତନ ତଥା ବର୍ତ୍ତମାନର ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ବିଧାନସଭା ସଦସ୍ୟ, ଲୋକସଭା ସଦସ୍ୟ, ଗଣ୍ଡା ଗଣ୍ଡା ତୁଙ୍ଗ ନେତା ଏବଂ ସଂଖ୍ୟାଧିକ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେପି ଏହି ତୃଣମୂଳ ସ୍ତରୀୟ ନିର୍ବାଚନ ପ୍ରଚାର କାର୍ଯ୍ୟରେ ଲଗାଇଛି । ପେଟ୍ରୋଲିୟମ୍‍
ମନ୍ତ୍ରାଳୟର ମୂଳରୁ ଶେଷ ପର୍ଯ୍ୟନ୍ତ ସମସ୍ତ କର୍ମକର୍ତ୍ତା ଏହି ନିର୍ବାଚନରେ ବିଜେପି ପାଇଁ ଖୋଲାଖୋଲି ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି । ଏତିକିରେ ସନ୍ତୁଷ୍ଟ ନହୋଇ ବିଜେପି ଉଭୟ ଛତିଶଗଡ଼ ଏବଂ ଝାଡ଼ଖଣ୍ଡର ସଂଖ୍ୟାଧିକ ତହସିଲଦାର ଏବଂ ବିଡିଓଙ୍କୁ ଜୋର୍‍ ଜବରଦସ୍ତି ଏହି ନିର୍ବାଚନ କାର୍ଯ୍ୟରେ ଓଡ଼ିଶା ମାଟିରେ ନିୟୋଜିତ କରିଛି । ଏଭଳି ଏକ ତୃଣମୂଳସ୍ତରୀୟ ନିର୍ବାଚନରେ ସଫଳତା ହାସଲ କରିବା ପାଇଁ ଏକ ଜାତୀୟ ସ୍ତରର ରାଜନୈତିକ ଦଳ କେତେ ତଳକୁ ଯାଇପାରେ, ତାହା ଏଥିରୁ ସ୍ପଷ୍ଟ ଭାବରେ ଅନୁମେୟ ।

ଓଡ଼ିଶାବାସୀ ଏଭଳି ଆକ୍ରୋଶମୂଳକ ରାଜନୈତିକ ଆଭିମୁଖ୍ୟର ଉଚିତ୍‍ ଜବାବ ଦେବେ ବୋଲି ଓଡ଼ିଶାବାସୀଙ୍କ ସ୍ୱାର୍ଥ ଏବଂ ସ୍ୱାଭିମାନ ପାଇଁ ନିରନ୍ତର ସଂଗ୍ରାମ ଜାରି ରଖିଥିବା ବିଜୁ ଜନତା ଦଳ ଦୃଢ଼ ଭାବରେ ବିଶ୍ୱାସ କରେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ ଉପସ୍ଥିତ ଥିଲେ ।

Share in top social networks!