ରମଣ ସିଂହ ମହାନଦୀ ପ୍ରସଂଗରେ ଭୁଲ ତଥ୍ୟ ଦେଇ ଓଡ଼ିଶାର ଲୋକମାନଙ୍କୁ ବିଭ୍ରାନ୍ତି କରିଚାଲିଛନ୍ତି

bjd ବିକାଶ ନୁହେଁ, ବିକାଶର ପ୍ରହେଳିକା ସୃଷ୍ଟି କରିବାରେ ବିଜେପି ଓସ୍ତାଦ୍‍ । ଏକ ମିଥ୍ୟା ତଥ୍ୟକୁ ବାରମ୍ବାର ଲୋକଲୋଚନରେ ରଖିଲେ ତାହା ସତ୍ୟ ହୁଏ ନାହିଁ । କିନ୍ତୁ ବିଜେପି ଏହି ହୀନ ନୀତିକୁ ରାଜନୈତିକ ଆଦର୍ଶ ଭାବ ଗ୍ରହଣ କରି ଆସିଛି । ଯାହା ରମଣ ସିଂହଙ୍କ ବକ୍ତବ୍ୟରୁ ସ୍ପଷ୍ଟ ଜଣାପଡୁଛି । ରମଣ ସିଂହ ମହାନଦୀ ପ୍ରସଂଗରେ ଭୁଲ ତଥ୍ୟ ଦେଇ ଓଡ଼ିଶାର ଲୋକମାନଙ୍କୁ ବିଭ୍ରାନ୍ତି କରିଚାଲିଛନ୍ତି । ଗୃହଶତ୍ରୁ ବିଭୀଷଣ ଭାବରେ ରାଜ୍ୟ ବିଜେପି ଓଡ଼ିଶା ପ୍ରତି ନାକରାତ୍ମକ ମନୋଭାବ ପୋଷଣ କରୁଥିବା ରମଣ ସିଂହଙ୍କୁ ପଞ୍ଚାୟତ ନିର୍ବାଚନରେ ଯେଉଁଭଳି ଭାବରେ ଉପଯୋଗ କରୁଛି ତାହା ଓଡ଼ିଶାବାସୀଙ୍କ ପ୍ରତି ଅପମାନ । ଏହାର ଫଳ ରାଜ୍ୟ ବିଜେପି ନିଶ୍ଚୟ ଭୋଗିବ ଏବଂ ଖୁବ୍‍ଶୀଘ୍ର ପଞ୍ଚାୟତ ନିର୍ବାଚନରେ ଏହା ପ୍ରମାଣିତ ହେବ ।

ମହାନଦୀ ପ୍ରସଂଗରେ ମୂଳକଥାଟି ହେଉଛି, ଛତିଶଗଡ଼ ସରକାର ଶିଳ୍ପପତିମାନଙ୍କୁ ପାଣିଦେବା ପାଇଁ ଉପର ମୁଣ୍ଡରେ ବନ୍ଧ ବାନ୍ଧି ଚାଲିଛନ୍ତି । ବୃହତ୍ତର ଚାଷୀକୂଳର ସ୍ୱାର୍ଥକୁ ଉପେକ୍ଷା କରି ଶିଳ୍ପପତିଙ୍କ ପାଖରେ ନିଜକୁ ବିକି୍ର କରିଦେଇଥିବା ରମଣ ସିଂହ ନିଜ ପାପ ଘୋଡ଼ାଇବାକୁ ବାରମ୍ବାର ମିଛ କହି ଚାଲିଛନ୍ତି । ଓଡ଼ିଶାର ଦାବି ହେଉଛି ପ୍ରଥମେ ଉପର ମୁଣ୍ଡରେ ଚାଲିଥିବା କାର୍ଯ୍ୟ ବନ୍ଦ ହେଉ ଏବଂ ସାମ୍ବିଧାନିକ ବିଧିବ୍ୟବସ୍ଥା ମଧ୍ୟରେ ଟ୍ରିବୁ୍ୟନାଲ୍‍ ଗଠନ କରାଯାଇ ଏହାର ସମାଧାନ କରାଯାଉ । କିନ୍ତୁ ରମଣ ସିଂହ କାର୍ଯ୍ୟ ବନ୍ଦ କରିବା ସଂପର୍କରେ ପାଟି ଖୋଲୁନାହାନ୍ତି । ଏଥିରୁ ତାଙ୍କର ଭିତିରି ଉଦେ୍ଧଶ୍ୟ କାହାକୁ ଅଛପା ହୋଇ ରହିନାହିଁ । ଓଡ଼ିଶାର ବିକାଶ ସଂପର୍କରେ ସେ
ଯେଉଁ କଥା କହୁଛନ୍ତି ତା’ର କୌଣସି ଆଧାର ନାହିଁ । ଓଡ଼ିଶାର ଲୋକମାନେ ଜାଣିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ କିଭଳି ପ୍ରଗତି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ଏକ ଆଞ୍ଚଳିକ ଦଳ ଭାବରେ ବିଜେଡି ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ସୁରକ୍ଷା ଦେବା ପାଇଁ ଓଡ଼ିଶାର ସ୍ୱରକୁ ଶାଣିତ କରିପାରିଛି । ବିଜୁ ଜନତା ଦଳ ଦିଲ୍ଳୀର କୌଣସି ହାଇକମାଣ୍ଡଙ୍କ ଦ୍ୱାରା ପରିଚାଳିତ ହେଉଥିବା ଦଳ ନୁହେଁ । ଏହା ବାସ୍ତବରେ ଲୋକଙ୍କ ଦଳ ଏବଂ ଓଡ଼ିଶାବାସୀଙ୍କ ବଳ । ଓଡ଼ିଶାର ଲୋକମାନେ ପ୍ରଗତିର ପକ୍ଷଭୁକ୍ତ ହୋଇ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ ପୂର୍ଣ୍ଣମାତ୍ରାରେ ସହଯୋଗ ଓ ସମର୍ଥନ କରିଆସୁଛନ୍ତି । ଯାହା ବିଜୁ ଜନତା ଦଳ ପ୍ରତି ବର୍ଦ୍ଧିଷ୍ଣୁ ଲୋକପ୍ରିୟତା
ମାଧ୍ୟମରେ ପ୍ରମାଣିତ ହୋଇଛି । ରାଜ୍ୟ ବିଜେପି ନେତୃତ୍ୱ ଯେଉଁଭଳି ଭାବରେ ଓଡ଼ିଶାର ସ୍ୱାର୍ଥ ଓ ସ୍ୱାଭିମାନକୁ ଜଳାଞ୍ଜଳି ଦେଇ କେନ୍ଦ୍ର ନେତୃତ୍ୱରେ ବୋଲକରା ସାଜିଛି ତାହାକୁ ଓଡ଼ିଶାବାସୀ କଦାପି କ୍ଷମା କରିବେ ନାହିଁ । ରମଣ ସିଂହଙ୍କୁ ଆଣି ପ୍ରଚାର କରିବା ବିଜେପିର କଫିନ୍‍ରେ ଶେଷ କଣ୍ଟା ହୋଇଛି ।

ନିଜ ରାଜ୍ୟର ବିକାଶର ଗୋଲାପି ଚିତ୍ର ଦେଖାଉଥିବା ରମଣ ସିଂ ବାସ୍ତବରେ ନିଜର ଲୋକପ୍ରିୟତା ହରାଇ ଚାଲିଛନ୍ତି । ରମଣ ସିଂହଙ୍କ
ସରକାର ପ୍ରତି ୨୦୦୩ ମସିହାରେ ଭୋଟ ହାର ଯେତିକି ଥିଲା ୨୦୦୮ ମସିହାରେ ତାହା କମିଯାଇଥିଲା ଏବଂ ୨୦୧୩ ନିର୍ବାଚନରେ
ମାତ୍ର ୧% ଭୋଟ ଅଧିକା କଂଗ୍ରେସ ଠାରୁ ପାଇ ସେ କ୍ଷମତାକୁ ଆସିଛନ୍ତି । ଏଥିରୁ ତାଙ୍କର ଲୋକପ୍ରିୟତା କିଭଳି ତାହା ଜଣାପଡୁଛି ।
ରମଣଙ୍କ ପାଦତଳୁ ନିଜ ରାଜ୍ୟରେ ମାଟି ଖସିବାରେ ଲାଗିଥିବା ବେଳେ ଓଡ଼ିଶାରେ ଆସି ଯେଉଁ ବାହାସ୍ଫୋଟ ମାରୁଛନ୍ତି ଏବଂ ସତ୍ୟର
ଅପଳାପ କରୁଛନ୍ତି ତାହାକୁ ଓଡ଼ିଶାର ଲୋକମାନେ ଆଦୌ ଗ୍ରହଣ କରିବେ ନାହିଁ । ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେପିର ଓଡ଼ିଶା
ବିରୋଧୀ ଷଡ଼ଯନ୍ତ୍ର ଓ ଚକ୍ରାନ୍ତକୁ ରାଜ୍ୟବାସୀ ଉଚିତ୍‍ ଜବାବ ଦେବେ ବୋଲି ଆଜି ବିଜୁ ଜନତା ଦଳ କାର୍ଯ୍ୟାୟଳରେ ଆୟୋଜିତ
ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ
ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ ତଥା ମୁଖପାତ୍ର ବିଜୟ ନାୟକ ଉପସ୍ଥିତ ଥିଲେ ।

Share in top social networks!