କେନ୍ଦ୍ରୀୟ ଅର୍ଥ ସତ୍ୱେ ନବୀନ ସରକାରଙ୍କ ଅପାରଗତା ପାଇଁ ରାଜ୍ୟବାସୀ ତାଙ୍କ ହକରୁ ବଂଚିତ ହେଉଛନ୍ତି : ରାମକୃପାଳ ଯାଦବ

- କେନ୍ଦ୍ରୀୟ ଯୋଜନାକୁ ନିଜର ବୋଲି କହି ପ୍ରଚାର କରୁଛନ୍ତି ନବୀନ
- ପକ୍କା ଘର ନିର୍ମାଣ ପାଇଁ ପ୍ରଚୁର ଅର୍ଥ ବ୍ୟବସ୍ଥା ଥିବା ବେଳେ ରାଜ୍ୟରେ ହୋଇଛି ୨୧ ପ୍ରତିଶତ ଲକ୍ଷ୍ୟ ପୂରଣ
- ଗରୀବ ଲୋକ ମାନଙ୍କର ସମସ୍ୟାର ସମାଧାନ ପାଇଁ ନବୀନ ସରକାରଙ୍କର ଆଗ୍ରହ ନାହିଁ
yadavପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବିଜୁ ପକ୍କା ଘର ଯୋଜନା ବୋଲି କହି ଓଡିଶାର ମୁଖ୍ୟମନ୍ତ୍ରୀ ପ୍ରଚାର ଚଳାଇଛନ୍ତି । ସେହିପରି ଗରୀବ ଲୋକମାନଙ୍କ ପାଇଁ ନରେନ୍ଦ୍ର ମୋଦି ସରକାର ଅନେକ କଲ୍ୟାଣକାରୀ ଯୋଜନାରେ ବିପୁଳ ଅର୍ଥର ବ୍ୟବସ୍ଥା କରୁଥିଲେ ସୁଦ୍ଧା ରାଜ୍ୟ ସରକାରଙ୍କ ଏ ଦିଗରେ ଅନାଗ୍ରହ କାରଣରୁ ରାଜ୍ୟର ଗରୀବ ଜନ ସାଧାରଣ ତାଙ୍କର ନ୍ୟାଯ୍ୟ ହକ୍ରୁ ବଂଚିତ ହେଉଛନ୍ତି ବୋଲି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ର ମନ୍ତ୍ରୀ ରାମକୃପାଳ ଯାଦବ ପ୍ରକାଶ କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁÂିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଯାଦବ କହିଛନ୍ତି ଯେ, ରାଜ୍ୟର ଜନ ସାଧାରଣ ଅତ୍ୟନ୍ତ ଆଶା ଓ ବିଶ୍ୱାସର ସହିତ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ରାଜ୍ୟବାସୀଙ୍କ ବିକାଶ ସହିତ ଦୁର୍ନୀତି ମୁକ୍ତ ଶାସନର ଲକ୍ଷ୍ୟ ନେଇ ଲୋକମାନେ ଭୋଟ ଦେଇଛନ୍ତି । ଦୀର୍ଘ ୧୭ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ଅଛନ୍ତି । ମାତ୍ର ରାଜ୍ୟର ଗରୀବ ଲୋକମାନଙ୍କର ସମସ୍ୟା ସମାଧାନ ନେଇ ତାଙ୍କର କୌଣସି ଆଗ୍ରହ ନାହିଁ ବୋଲି ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି ।
ପ୍ରତ୍ୟେକ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ସଂକଳ୍ପବଦ୍ଧ । ତେଣୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ୨୦୧୬-୧୭ ଆର୍ଥିକ ବର୍ଷରେ ୨ ଲକ୍ଷ ୯୬ ହଜାର ଘର ନିର୍ମାଣ ପାଇଁ ୨୨୧୭.୩୯ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିଲେ । ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଏଥିରୁ ମାତ୍ର ୨୧.୨୭ ପ୍ରତିଶତ ଲକ୍ଷ୍ୟ ହାସଲ କରି ପାରିଛନ୍ତି । ଏହା ରାଜ୍ୟ ସରକାରଙ୍କ ଗରୀବଙ୍କ ପାଇଁ ଆନ୍ତରିକତାକୁ ପ୍ରଦର୍ଶନ କରୁଛି ବୋଲି ଶ୍ରୀ ଯାଦବ କହିଛନ୍ତି ।
କେନ୍ଦ୍ରର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଇନ୍ଦିରା ଆବାସ ଯୋଜନାକୁ ନିଜ ନାଁରେ କରି ରାଜ୍ୟ ସରକାର ବାଃ ବାଃ ନେଉଛନ୍ତି । ରାଜ୍ୟ ସରକାର ଅଢେଇ ବର୍ଷରେ ୧୦ ଲକ୍ଷ ପକ୍କା ଘର ର୍ନିମାଣ କରିଛନ୍ତି ବୋଲି କହୁଛନ୍ତି । ବାସ୍ତବରେ ରାଜ୍ୟରେ ତିନି ବର୍ଷରେ ତିନି ଲକ୍ଷ ଘର ନିର୍ମାଣ ହୋଇଛି । ଏଥି ମଧ୍ୟରୁ ଅଧିକାଂଶ ଘର କେନ୍ଦ୍ରୀୟ ଯୋଜନାରେ ହୋଇଛି । ଦଶ ବର୍ଷ ପୁରୁଣା ୱାର୍କ ଅର୍ଡରକୁ ମଧ୍ୟ ରାଜ୍ୟ ସରକାର ଦେଖାଇ ଏହାକୁ ଏବେ ନିର୍ମାଣ କରା ଯାଇଥିବା ଦର୍ଶାଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆସୁଥିବା ଅର୍ଥ କେଉଁଠି ଯାଉଛି ବୋଲି ଶ୍ରୀ ଯାଦବ ପ୍ରଶ୍ନ କରିବା ସହ ଏହାର ହିସାବ ସାଧାରଣ ରାଜ୍ୟବାସୀଙ୍କ ପାଖରେ ଶାସକ ବିଜେଡି ଦେଉ ବୋଲି କହିଛନ୍ତି ।
ସେହିଭଳି ମହାତ୍ମା ଗାନ୍ଧୀ ନରେଗା କାର୍ଯ୍ୟକ୍ରମ ଓ ଅନ୍ୟ ଗରୀବ କଲ୍ୟାଣ ଯୋଜନାଗୁଡିକୁ ମଧ୍ୟ ରାଜ୍ୟ ସରକାର ଠିକ ଭାବେ କ୍ରିୟାନ୍ୱୟନ କରୁନାହାନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପିର ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।

Share in top social networks!