ତରଭା ବିଜେପି କର୍ମୀ ହତ୍ୟା ମାମଲା; ରାଜନୈତିକ ବିରୋଧର ଗଣତାନ୍ତ୍ରିକ ଉପାୟରେ ସାମନା ନ କରି ହତ୍ୟାର ଆଶ୍ରୟ ନେଇଛି ବିଜେଡି : ବିଜେପି

ଢେଙ୍କାନାଳ ଜିଲ୍ଲା ତରଭାରେ ବିଜେପିର କାର୍ଯ୍ୟକର୍ତା ସଲମନ ରାଉତଙ୍କୁ ରାଜନୈତିକ ଦୃଷ୍ଟିରୁ ଶାସକ ବିଜେଡି ଦଳର ସମର୍ଥକମାନଙ୍କ ଦ୍ୱାରା ନିର୍ମମ ହତ୍ୟାକୁ ଘୋର ନିନ୍ଦା କରିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡି ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେପି ଠାରୁ ଦୃଢ ରାଜନୈତିକ ବିରୋଧକୁ ସାମନା କରି ନ ପାରି ମଣିଷ ମାରିବା ପରି ହିଂସ୍ର ଆଚରଣ କରୁଛି ।
ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡିଶାରେ ରାଜନୈତିକ ହିଂସା ପୂର୍ବରୁ ଦେଖା ଯାଉ ନ ଥିବା ବେଳେ ବିଜେଡିର ମନ୍ତ୍ରୀ, ବିଧାୟକଙ୍କ ଏବଂ ନେତାଙ୍କ ପ୍ରତ୍ୟକ୍ଷ ସହାୟତାରେ ହିଂସାକାଣ୍ଡ ମାନ ଘଟିବାରେ ଲାଗିଛି । ତରଭାରେ ବିଜେପି କାର୍ଯ୍ୟକର୍ତା ସଲମାନ ରାଉତଙ୍କ ହତ୍ୟାକାଣ୍ଡର କେତେ ଜଣ ଅଭିଯୁକ୍ତଙ୍କୁ ଆଖି ଦେଖାଣିଆ ଗିରଫ କରି ହତ୍ୟାକାଣ୍ଡ ପଛର ପ୍ରଛଦପଟ ନାୟକ ମାନଙ୍କୁ ଛାଡି ଦେବାର ଷଡଯନ୍ତ୍ର କରାଯାଉଛି ବୋଲି ଶ୍ରୀ ମହାନ୍ତି ଗୁରୁତର ଅଭିଯୋଗ ଆଣିଛନ୍ତି ।
ସଲମନଙ୍କ ହତ୍ୟା ପରେ ଏଫଆଇଆରରେ ଉଲ୍ଲେଖ କରାଯାଇଥିବା ବ୍ୟକ୍ତିବିଶେଷ ମାନଙ୍କୁ କିଏ ଘଂଟ ଘୋଡଉଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଏହି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପୋଲିସ ପ୍ରଶାସନ ଉପରେ ଚାପ ପକାଇଥିବା ଅନେକ ସୂତ୍ରରୁ ଖବର ଆସୁଛି । ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କୁ ତଦନ୍ତ ପରିସରଭୁକ୍ତ କରି ଏହି ହତ୍ୟାକାଣ୍ଡ ପୂର୍ବରୁ ଓ ପରେ କାହା ସହିତ ଓ କଣ ଯୋଗାଯୋଗ କରିଛନ୍ତି, ଏହି ଆଧାରରେ ପୋଲିସ କାହିଁକି ଶ୍ରୀ ମଲ୍ଲିକଙ୍କୁ ଜେରା କରୁ ନାହିଁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।
ଓଡିଶାରେ ନବୀନ ପଟ୍ଟନାୟକ ଓ ବିଜେଡି ଓଡିଶାକୁ ନିଜର ଏକଚାଟିଆ ଅଧିକାର କ୍ଷେତ୍ର ଭାବେ ବିବେଚନା କରୁଛନ୍ତି । ଦୀର୍ଘ ବର୍ଷ ଧରି ମୁଖ୍ୟ ବିରୋଧୀ କଂଗ୍ରେସକୁ ପକେଟରେ ପୁରାଇ ସେଥିରୁ ରାଜନୈତିକ ଫାଇଦା ନେବାର ଯୁଗ ଶେଷ ହେବା କାରଣରୁ ବିଜେଡି ବ୍ୟତିବ୍ୟସ୍ତ ହୋଇ ହିଂସାର ଆଶ୍ରୟ ନେଉଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ବିଜେଡିର ହିଂସାତ୍ମକ ପଦକ୍ଷେପର ଜନ ଆନେ୍ଦାଳନ ମାଧ୍ୟମରେ ବିଜେପି ଜବାବ ଦେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!