ଶୁଙ୍କିଘାଟିରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ୮ଯବାନ ସହିଦ, ବହୁ ଆହତ

miningକୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଶୁଙ୍କିଘାଟିର ମୁଙ୍ଗାର ଭୂମି ନିକଟରେ ବୁଧବାର ସନ୍ଧ୍ୟାରେ ମାଓବାଦୀମାନେ ଏକ ବଡ଼ଧରଣର ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇଛନ୍ତି। ମାଓବାଦୀମାନଙ୍କ ଏହି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟଣାରେ ୮ଜଣ ଓଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲା ବେଳେ ଆହୁରି ବହୁ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ପୁଲିସ ସଶସ୍ତ୍ର ବାହିନୀର ୭୦ଜଣ ଯବାନ ଆଜି ଏକ ପୁଲିସ ବସ୍‌ରେ ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ କମ୍ବିଂ ଅପରେସନ୍‌ କରିବାକୁ ଯାଉଥିବା ବେଳେ ଶୁଙ୍କି ଘାଟି ନିକଟରେ ମାଓବାଦୀମାନେ ଆକସ୍ମିକ ଭାବେ ଏହି ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ଘଟାଇ ଥିଲେ। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ସଶସ୍ତ୍ର ପୁଲିସ ଯବାନଙ୍କୁ ନେଇ ଯାଉଥିବା ବସ୍‌ଟି ଘାଟିର ପ୍ରାୟ ୭୦ଫୁଟ ତଳକୁ ଖସି ପଡ଼ିଥିଲା। ବିଶାଖପାଟଣାକୁ ସଂଯୋଗ କରୁଥିବା ୨୬ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପରେ ସପୃକ୍ତ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ରାସ୍ତାର ଉଭୟପାର୍ଶ୍ୱରେ ଶହଶହ ଗାଡ଼ି ଠିଆ ହୋଇ ରହିଛି।

ଘଟଣା ସମ୍ପର୍କରେ ଖବର ପାଇଲା ପରେ ଜୟପୁର ଓ କୋରାପୁଟରୁ ବରିଷ୍ଠ ପୁଲିସ ଅଧିକାରୀମାନେ ଯାଇ ଘଟଣାସ୍ଥଳରେ ପହଞ୍ଚିବା ସହ ସମଗ୍ର ଅଞ୍ଚଳକୁ ସିଲ୍‌ କରି ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮ଜଣ ସହିଦ ଯବାନଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏବେବି ଘଟଣାସ୍ଥଳରେ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ରାତି ହୋଇ ଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ବାଧା ଉପୁଜିଛି।

Share in top social networks!