ଭୁବନେଶ୍ବରରେ ଓଡ଼ିଆ ଉଇକିପାଠାଗାରର ୨ୟ ଜନ୍ମତିଥି ପାଳନ

wikiodiaଆଜି ଭୁବନେଶ୍ବରରେ ଇନଷ୍ଟିଚ୍ଯୁଟ ଅନ ମ୍ୟାନେଜମେଣ୍ଟ ଅଫ ଆଗ୍ରିକଲଚରାଲ ଏକ୍ସଟେନସନଠାରେ ସନ୍ଧ୍ୟା ୫ ଘଟିକା ସମୟରେ ଇଣ୍ଟରନେଟରେ ଉପଲବ୍ଧ ଓଡ଼ିଆ ପାଠାଗାର ଓଡ଼ିଆ ଉଇକିପାଠାଗାରର ଦ୍ବିତୀୟ ଜନ୍ମ ବାର୍ଷିକୀ ଅନୁଷ୍ଠିତ ହୋଇଛି । ସ୍ୱେଚ୍ଛାସେବୀମାନଙ୍କୁ ନେଇ ତିଆରି ଏକ ବିଶ୍ୱସ୍ତରୀୟ ସମୁଦାୟ ଓଡ଼ିଆ ଉଇକିମିଡ଼ିଆ ସଂଘ ଦ୍ୱାରା ଆୟୋଜିତ ଏହି ଦିନିକିଆ ସଭାରେ ଓଡ଼ିଆ ଭାଷାରେ କିପରି ଅଧିକରୁ ଅଧିକ ବିରଳ ଓ ପୁରାତନ ତଥା ମୂଲ୍ୟବାନ ଅନେକ ନୂତନ ରଚନା ଉପଲବ୍ଧ କରାଯାଇପାରିବ ସେ ବାବଦରେ ଆଲୋଚନା ହୋଇଥିଲା । ଓ.ୟୁ.ଏ.ଟି. ର ପୂର୍ବତନ କୁଳପତି ଓ ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ, “ବହୁବର୍ଷ ତଳେ କପିରାଇଟକୁ ନେଇ ସରକାରୀ ମହଲରେ ମଧ୍ୟ ସଚେତନତା ନଥିଲା ଓ ଅଜ୍ଞତାବଶତଃ ଅନେକେ ସାରଳା ମହାଭାରତରେ ମଧ୍ୟ କପିରାଇଟ ରହିଛି ବୋଲି କହୁଥିଲେ । ଆଜି ବି ଆମ ଭାଷାର ଅନେକ ବିରଳ ଓ ମୂଲ୍ୟବାନ ବହି ଇଣ୍ଟରନେଟରେ ଉପଲବ୍ଧ ନାହିଁ ।” ଉଭୟ ପଠନ ଓ ନଥିକରଣର ଆବଶ୍ୟକତା ମେଣ୍ଟାଇବା ପାଇଁ ଏ ବହି ଓ ପୋଥିସବୁକୁ ଇଣ୍ଟରନେଟରେ ସାଇତିବା ପାଇଁ ସେ ସଭିଙ୍କୁ ଆହ୍ୱାନ ଦେଇଥିଲେ । ଏହି ସଭାରେ ଅନ୍ୟତମ ଅତିଥି ଲେଖକ ଲେଫ୍ଟନାଣ୍ଟ କଲୋନେଲ ଶିବରାମ ଶତପଥୀ ନିଜର ୭ଖଣ୍ଡ ବହି ଉଇକିପାଠାଗାରରେ ଡିଜିଟାଇଜ ପାଇଁ ଅନୁମତି ପ୍ରଦାନ କରିଥିଲେ । “ଓଡ଼ିଆ ଉଇକିପାଠାଗାର ୨୦୧୪ ମସିହାରେ ଓଡ଼ିଆ ଉଇକିପିଡ଼ିଆର ଏକ ସହ ପ୍ରକଳ୍ପ ଭାବରେ ଜନ୍ମ ନେଇଥୁଲା । ଏହା ଇଣ୍ଟରନେଟରେ http://or.wikisource.org ଠାରେ ମୁକ୍ତ ଭାବେ ଉପଲବ୍ଧ । ଉଇକିପାଠାଗାରରେ ଚର୍ଯ୍ୟାପଦ ଭଳି ପୁରୁଣା ପଦାବଳୀଠୁ ଆରମ୍ଭ କରି ୨୦୦ରୁ ଅଧିକ ନୂଆ ପୁରୁଣା ବହି ଓ ଲେଖା ରହିଛି । ତେବେ ସାଧାରଣ ପାଠାଗାରଠାରୁ ଉଇକିପାଠାଗାର ଅନେକ ପରିମାଣରେ ଭିନ୍ନ । ଏଥିରେ ବହିଗୁଡ଼ିକ କେବଳ ସ୍କାନ କରି ଛବି ଭାବେ ରଖାଯାଇନାହିଁ ବରଂ ବହିଗୁଡ଼ିକ ଟେକ୍ସଟ ଭାବେ ରହିଛି । ଫଳରେ ଜଣେ ଗୁଗଲରେ ଶବ୍ଦଟିଏ ଖୋଜି ମଧ୍ୟ ଉଇକିପାଠାଗାରରେ ଥିବା ବହିଟିଏ ପାଖରେ ପହଞ୍ଚି ପାରିବ”, ଜଣାଇଥିଲେ ଏହି ପ୍ରକଳ୍ପର ସକ୍ରିୟତମ ସଭ୍ୟ ପଙ୍କଜମାଳା ଷଡ଼ଙ୍ଗୀ । ସେ କହନ୍ତି, “ଦିଲ୍ଲୀରେ ଗତ ୨୦ ବର୍ଷ ଧରି ରହିବା ଫଳରେ ଓଡ଼ିଆ ଓ ଓଡ଼ିଶା ସହ ସମ୍ପର୍କ ଏକ ପ୍ରକାର ବିଚ୍ଛିନ୍ନ ହୋଇଯାଇଥିଲା । ତାହା ଏବେ ଉଇକିପାଠାଗାର ଜରିଆରେ ଫେରିପାଇଲି ।” “ଓଡ଼ିଶା ଇତିହାସ”, “ଆମ ଦେବଦେବୀ”, “ମାଣବସା ଲକ୍ଷ୍ମୀପୁରାଣ”, “ସାବିତ୍ରୀ ଓଷା” ଆଦି ବହିକୁ ଡିଜିଟାଲ ରୂପ ଦେବାରେ ସକ୍ରିୟ ଭୂମିକା ନିଭାଇଥିବା ସଂଗ୍ରାମ କେଶରୀ ସେନାପତି କହନ୍ତି, “ଏ ବହିଗୁଡ଼ିକ ଆଗରୁ ଇଣ୍ଟରନେଟରେ ନଥିଲା । ଆଉ ମୁଁ ଅନୁଭବ କଲି ଯେ ଅନେକେ ଏସବୁ ପଢ଼ିବାକୁ ଖୋଜୁଥିବେ ।”
“ଓଡ଼ିଆ ଉଇକିପାଠାଗାର କେବଳ ସ୍ଵେଚ୍ଛାସେବୀମାନଙ୍କୁ (ଉଇକିଆଳି ଭାବେ ଜଣା ) ନେଇ ତିଆରି । ଏହି ପ୍ରକଳ୍ପ ସ୍ଵତ୍ତ୍ୱାଧିକାର ସରିଯାଇଥିବା ଓଡ଼ିଆ ବହିର ବିଶାଳତମ ଭଣ୍ଡାର । ପୁରାତନ ବହି ଛଡ଼ା ଆମେ ଅନେକ ନୂତନ ଅନେକ ବହି ମଧ୍ୟ ଏଥିରେ ସାମିଲ କରୁଛୁ । ଜଣାଶୁଣା ଓଡ଼ିଆ ଲେଖକ ଓ ପ୍ରକାଶକମାନଙ୍କ ପାଖରେ ପହଞ୍ଚି ତାଙ୍କର କିଛି ରଚନାକୁ ଆମେ ଉଇକିପାଠାଗାର ମାଧ୍ୟମରେ ଇଣ୍ଟରନେଟରେ ଉପଲବ୍ଧ କରାଉଛୁ । ଫଳରେ ମୋବାଇଲ ମୁଖି ଆଗାମୀ ପିଢ଼ି ଓଡ଼ିଆ ରଚନାଠୁ ଆଉ ଦୂରେଇ ଯିବେ ନାହିଁ ବୋଲି ବଖାଣନ୍ତି ଏହି ପ୍ରକଳ୍ପର ପରିଚାଳକ ମୃତ୍ୟୁଞ୍ଜୟ କର । ଅଧୁନା ଦାମନଯୋଡ଼ିର ଏକ ସ୍କୁଲରେ ପଢୁଥିବା ପ୍ରତୀକ ପଟ୍ଟନାୟକ “ପୋଥି” ନାମକ ଏକ ପ୍ରକଳ୍ପ ଆରମ୍ଭ କରି କପିରାଇଟ ବାହାରେ ଥିବା ପୁରୁଣା ବହି ସଂଗ୍ରହ କରି ସେସବୁର ଡିଜିଟାଲ ରୂପ ଉଇକିପାଠାଗାରରେ ଉପଲବ୍ଧ କରାଇବା କାମରେ ଲାଗିଛନ୍ତି । ସଭିଙ୍କ ପାଇଁ ଖୋଲା ଏହି ସଭାରେ ଯୋଗଦେଇ ଓଡ଼ିଆ ପୋଥି ଓ ବହିକୁ ପାଠକମାନଙ୍କ ପାଖକୁ ଆଣିବାରେ ଇଚ୍ଛୁକ ଅନେକ ବ୍ୟକ୍ତି ଏହି ସଭାରେ ଯୋଗଦେଇଥିଲେ ।

Share in top social networks!