ଓସ୍କାର ଚିଟଫଣ୍ଡର ପ୍ରଚାରକ ଉତମ ମହାନ୍ତିଙ୍କ ବିଜେଡିରେ ସାମିଲ ହେବା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ କି ସଙ୍କେତ ଦେବାକୁ ଚାହୁଁଛନ୍ତି : ସଜ୍ଜନ ଶର୍ମା

BJPSAMEERଅଭିନେତା ଉତମ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଦଳ ବିଜେଡିକୁ ଶଙ୍ଖୁଳି ନେବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ କି ସଙ୍କେତ ଦେବାକୁ ଚାହୁଁଛନ୍ତି ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ।
ଶ୍ରୀ ଶର୍ମା କହିଛନ୍ତି ଯେ, ଅଭିନେତା ଉତମ ମହାନ୍ତି ଥିଲେ ଚିଟ ଫଣ୍ଡ କମ୍ପାନୀ ଓସ୍କାରର ବ୍ରାଣ୍ଡ ଆମ୍ବାସଡର । ଓସ୍କାରର ମାଲିକ ପ୍ରଭାସ ରାଉତଙ୍କୁ ସାର୍ବଜନୀନ ଭାବେ ସାନ ଭାଇ ବୋଲି ସମ୍ବୋଧିତ କରିବା ସହ ଏହି ଠକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଜମାକାରୀମାନଙ୍କର ଭରସା ଯେପରି ପ୍ରଭାସ ରାଉତ ଓ ତାଙ୍କ କମ୍ପାନୀ ଓସ୍କାର ଉପରେ ବଢିବ ସେଥି ପାଇଁ ଉତମ ମହାନ୍ତି ଭରପୂର ପ୍ରୟାସ କରିଥିଲେ । ଓସ୍କାରର ଲକ୍ଷ ଲକ୍ଷ ଜମାକାରୀଙ୍କୁ ଠକିବାର ପର୍ଦାଫାସ ହେବା ପରେ ଏଥିରେ ଉତମ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଚିତ୍ର ତାରକାମାନଙ୍କର ସଂପୃକ୍ତ ତାଲିକା ପ୍ରସ୍ତୁତ କରାଯାଉଛି ଓ ସେମାନଙ୍କୁ ତଦନ୍ତର ପରିସରଭୁକ୍ତ କରାଯିବ ବୋଲି କ୍ରାଇମ ବ୍ରାଂଚ ତରଫରୁ ସୂଚନା ଦିଆ ଯାଇଥିଲା । ଏ ସଂକ୍ରାନ୍ତରେ ଗୋଟିଏ ପକ୍ଷରେ ପୋଲିସ ନୀରବଦ୍ରଷ୍ଟା ସାଜିଲା ଓ ଅପର ପକ୍ଷରେ ଖୋଦ ମୁଖ୍ୟମନ୍ତ୍ରୀ ଉତମ ମହାନ୍ତିଙ୍କ ସହିତ ଫଟୋ ପୋଜ ଦେଇ ତାଙ୍କୁ ଶାସକ ଦଳକୁ ପାଛୋଟି ନେବା ସ୍ୱୟଂ ମୁଖ୍ୟମନ୍ତ୍ରୀ ଏବଂ ଶାସକ ବିଜେଡିର ଦୋମୁହାଁ ନୀତିକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ଶର୍ମା ତାତ୍ସଲ୍ୟ କରି କହିଛନ୍ତି ।
ଆଗାମୀ ପଂଚାୟତ ନିର୍ବାଚନରେ ଚିଟଫଣ୍ଡ ଏକ ପ୍ରମୁଖ ପ୍ରସଙ୍ଗ ହେବ । ଚିଟଫଣ୍ଡ ସଂକ୍ରାନ୍ତରେ ସର୍ବଦା ମିଛ କହିବା ସହ ଭୂଆଁ ବୁଲାଇ ପ୍ରତାରଣା ଦେଇ ଆସୁଥିବା ଶାସକ ବିଜେଡିର ଏହି ପ୍ରହସନ ଦ୍ୱାରା ରାଜ୍ୟର ଲକ୍ଷ ଲକ୍ଷ ଚିଟ ଫଣ୍ଡ କ୍ଷତିଗ୍ରସ୍ତଙ୍କ ଭାବନାକୁ ଘୋର ଆଘାତ ଲାଗିଛି । ଗତ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୩ ମସିହାରେ ରାଜ୍ୟ ସରକାର ଏହି ମାମଲାରେ ସଂପୃକ୍ତ ସମସ୍ତ ଦୋଷୀକୁ ଦଣ୍ଡ ପ୍ରଦାନ ଏବଂ ନିରୀହ ଜମାକାରୀଙ୍କୁ ଅର୍ଥ ଫେରସ୍ତର ପ୍ରତିଶ୍ରୁତି ଦେଇ କର୍ପସ ଫଣ୍ଡ ଗଠନ କରିଥିଲେ । ମାତ୍ର ଲୋକଙ୍କୁ ଅର୍ଥ ଫେରାଇବେ କଣ ସଂପୃକ୍ତ ଅଭିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ସ୍ୱୟଂ ସୁରକ୍ଷା ଦେଉଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଚିଟଫଣ୍ଡରେ ସଂଶ୍ଲିଷ୍ଟ ଉତମ ମହାନ୍ତିଙ୍କ ପରି ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେଇ ନିଜ ଦଳର ପ୍ରଚାରରେ ଲଗାଉଛନ୍ତି । ବିଜେଡି ସାଂସଦ ତଥା ସିନେ ଅଭିନେତା ଅନୁଭବ ମହାନ୍ତି, ବିଧାୟକ ତଥା ଅଭିନେତା ଆକାଶ ଦାଶନାୟକ, ଅଭିନେତାରୁ ନେତା ହୋଇଥିବା ପପୁପମ୍ ଏହି ଚିଟଫଣ୍ଡରେ ସଂପୃକ୍ତ ଥିବାର ଅଭିଯୋଗ ଅଛି । ଏହା ସହିତ ମୟୁଭଂଜ ସାଂସଦ ରାମଚନ୍ଦ୍ର ହାଂସଦା ଚିଟଫଣ୍ଡ କେଳେଙ୍କାରୀରେ ସଂପୃକ୍ତ ଥିବା କାରଣରୁ ଜେଲରେ ଥିବାବେଳେ ଅନ୍ୟତମ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ବର୍ତମାନ ଫେରାର ଅଛନ୍ତି । ଓଡିଶାର ସାଧାରଣ ମତଦାତା ଏହାର ଜବାବ ଭୋଟ ବାକ୍ସରେ ଦେବେ ବୋଲି ଶ୍ରୀ ଶର୍ମା କହିଛନ୍ତି ।
ନବୀନ ନିବାସରେ ମିଶିବା ସମୟରେ ଶ୍ରୀ ଉତମ ମହାନ୍ତି କହିଥିଲେ ଯେ, ମୟୁରଭଂଜ ଜିଲ୍ଲା ଅବହେଳିତ ହୋଇ ପଡିଥିବାରୁ ସେ ମୟୁରଭଂଜର ବିକାଶ ପାଇଁ ସେ ବିଜେଡିରେ ଯୋଗ ଦେଇଛନ୍ତି । ଗତ ୧୭ ବର୍ଷ ଧରି ବିଜେଡି ଶାସନରେ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସାମନାରେ ମୟୁରଭଂଜ ଅବହେଳିତ ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ଘରେ ଆଇନା ଦେଖାଇବା ସହ ଏହା ରାଜ୍ୟର ଅନ୍ୟ ପଛୁଆ ଓ ଆଦିବାସୀ ବହୁଳ ଜିଲ୍ଲାମାନଙ୍କରେ କୈାଣସି ବିକାଶ ହୋଇନଥିବାର ପ୍ରମାଣ କରୁଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।

Share in top social networks!