ଋଷିକୂଲ୍ୟା ମୁହାଣରେ ବିଦେଶାଗତ ବାର୍ ହେଡ଼େଡ୍ ଗୀଜ୍ ବତକ ପକ୍ଷୀ

geeseପ୍ରତିବର୍ଷ ଶୀତଦିନେ ସୁଦୂର ଉତ୍ତର ଗୋଲାର୍ଦ୍ଧରୁ ଅନେକ ପକ୍ଷୀ ଓଡ଼ିଶା ଆସିଥାନ୍ତି୤ ସେହି ମାନଙ୍କ ମଧ୍ୟରେ ଥାଆନ୍ତି ବାର୍ ହେଡ଼େଡ୍ ଗୀଜ ଶ୍ରେଣୀୟ ବତକ୤ ମଙ୍ଗୋଲିଆ, ହିମାଳୟ ଏବଂ ଚୀନରୁ ଆସୁଥିବା ଏହି ପକ୍ଷୀମାନେ ଶୀତଦିନରେ ଛଅ ହଜାର କିଲୋମିଟର ବାଟ ଉଡ଼ି ଆସି ଓଡ଼ିଶାର ଭିତରକନିକା ଏବଂ ଚିଲିକା ଅଞ୍ଚଳରେ ଦେଖାଯାଆନ୍ତି୤ ବିଗତ କିଛି ବର୍ଷ ହେବ ଏମାନେ ଋଷିକୂଲ୍ୟା ନଦୀ ମୁହାଣରେ ମଧ୍ୟ ଦେଖାଯାଉଥିବା କଥା ଶୁଣା ଯାଉଥିଲା୤ ବିଗତବର୍ଷ ବଣ୍ୟ ବିଭାଗ ତରଫରୁ ଏହି ପକ୍ଷୀକୁ ଦେଖାଯାଇଥିବା କଥା ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଥିଲା୤
ଆଜି ଅପରାହ୍ନରେ ବ୍ରହ୍ମପୁର ପକ୍ଷୀପ୍ରେମୀ ଦମ୍ପତ୍ତି ଶ୍ରୀମତି ଓ ଶ୍ରୀ ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ, ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବିଦେଶାଗତ ପକ୍ଷୀମାନଙ୍କର ନିରୀକ୍ଷଣ କରୁଥିବା ସମୟରେ ଏହି ପକ୍ଷୀମାନଙ୍କ ସମୁହକୁ ଦେଖିଥିଲେ୤ ଏହି ଦଳରେ ଅନ୍ୟୁନ ପାଞ୍ଚଶହ ବତକ ଥିଲେ ଏବଂ କିଛି ବତକଙ୍କ ବେକରେ ଓ ଗୋଡ଼ରେ ନମ୍ବର ଥିବା ଟ୍ୟାଗ୍ ଲାଗିଥିଲା୤ “ବ୍ରହ୍ମପୁର ବାର୍ଡ଼ସ୍” ନାମକ ଫେସବୁକ୍ ପେଜ୍‌ରେ ଏହି ଦମ୍ପତ୍ତି ବ୍ରହ୍ମପୁର ଏବଂ ଏହାର ଆଖପାଖ ଅଞ୍ଚଳର ଅନ୍ୟୁନ ଦୁଇଶହ ଶ୍ରେଣୀର ପକ୍ଷୀର ଛବି ଉତ୍ତୋଳନ କରି ପ୍ରଦର୍ଶିତ କରୁଛନ୍ତି୤
ଡା ପଟ୍ଟନାୟକଙ୍କ କହିବା ଅନୁସାରେ ଏହି ପକ୍ଷୀମାନେ ଚିଲିକା ଆସୁଥିବା ବେଳେ ନୁଆ ବସତି ଖୋଜି ଋଷିକୂଲ୍ୟା ମୁହାଣକୁ ଆସିଥାଇ ପାରନ୍ତି୤ ଏଠାରେ ପ୍ରଚୂର ମାତ୍ରାରେ ମାଛ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ମିଳୁଥିବା ହେତୁ ସେମାନେ ଦିନ ବେଳେ ଏଠାରେ ରହୁଥିବା ବେଳେ ସନ୍ଧ୍ୟା ହେବାପରେ ଚିଲିକା ଚାଲିଯାଆନ୍ତି ବୋଲି ସ୍ଥାନୀୟ ବାସିନ୍ଦା ମାନେ ମତ ଦେଇଛନ୍ତି

Share in top social networks!