ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି ; ଚିଟଫଣ୍ଡ ଅଭିଯୁକ୍ତ ଦଳୀୟ ନେତାଙ୍କ ସପକ୍ଷରେ ବିକ୍ଷୋଭ କରି ତୃଣମୂଳ ରାସ୍ତାରେ ଯାଇଛି ବିଜେଡି

• ଆବାସିକ କାର୍ଯ୍ୟାଳୟର ପ୍ରମୁଖ କର୍ମଚାରୀଙ୍କ ଘର ରେଡ ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ପାଟି ଖୋଲୁ ନାହାନ୍ତି
• ତଦନ୍ତକୁ ତୁରନ୍ତ ନିର୍ଣାୟକ ମୋଡ ପର୍ଯ୍ୟନ୍ତ ସିବିଆଇ ନେବ ବୋଲି ଓଡିଶାବାସୀ ଆଶା କରି ବସିଛନ୍ତି
• ଶାସକ ଦଳର ସୁରକ୍ଷା କାରଣରୁ ଓଡିଶାରେ ଚିଟ ଫଣ୍ଡ ଠକ ମାନେ ସାଧାରଣ ଲୋକଙ୍କୁ ଲୁଟିଥିବା ସର୍ବଜନ ବିଦିତ
ଗରୀବ ଓଡିଆ ଲୋକଙ୍କୁ ଲୁଟିଥିବା ଚିଟ ଫଣ୍ଡ କମ୍ପାନୀ ଓ ସେମାନଙ୍କ ଠାରୁ ଲାଭାନ୍ୱିତ ହୋଇଥିବା ଶାସକ ଦଳର ନେତା ଓ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହଯୋଗୀଙ୍କ ଘର ଉପରେ ସିବିଆଇ ରେଡ ପ୍ରତିବାଦରେ ବିଜେଡି ତରଫରୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତଳିକା ଦାହ ରାଜ୍ୟ ଶାସକ ଦଳର ଔଷଧ ବିକଳରେ ତାଟିଆ କାମୁଡିବା ବୋଲି କହିଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ।
ତୃଣମୂଳ କଂଗ୍ରେସର ସାଂସଦ ମାନେ ଗିରଫ ହେବା ପରେ ତୃଣମୂଳ କଂଗ୍ରେସର ଓଡିଶାର ବିକ୍ଷୋଭକୁ ବିଜେଡି କର୍ମୀ ସହଯୋଗ ଯୋଗାଇ ଦେଇଥିଲା । ସିବିଆଇ ରେଡ ପରେ ବିଜେଡି ବିକ୍ଷୋଭ କରି ଚିଟ ଫଣ୍ଡ ମାମଲାରେ ତୃଣମୂଳ କଂଗ୍ରେସ ଓ ବିଜେଡିର ଆଭିମୁଖ୍ୟ ସମାନ ବୋଲି ସ୍ପଷ୍ଟ ସୂଚନା ଦେଇଥିବା ଶ୍ରୀ ମହାନ୍ତି କହିଛନ୍ତି । ଠକ ଚିଟଫଣ୍ଡ କମ୍ପାନୀ ଦ୍ୱାରା ଲାଭାନ୍ୱିତ ହୋଇଥିବା ଅଭିଯୁକ୍ତଙ୍କ ସମର୍ଥନରେ ବାହାରି ବିଜେଡି ରାଜ୍ୟର୨୦ ଲକ୍ଷରୁ ଉର୍ଧ ଗରୀବ ଚିଟ ଫଣ୍ଡ ଜମାକାରୀଙ୍କ ଲୁହ ଓ ସ୍ୱାର୍ଥର ବିରୁଦ୍ଧାଚରଣ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର କାର୍ଯ୍ୟ ସମ୍ଭାଳୁଥିବା ସରୋଜ ସାହୁଙ୍କ ଘରେ ସିବିଆଇ ରେଡ ମାମଲାରେ ମୁଖ୍ୟମନ୍ତ୍ରୀ ଶ୍ରୀ ସାହୁ ସଚ୍ଚୋଟ ଓ ଚିଟଫଣ୍ଡ ଦୁର୍ନୀତିରେ ସଂପୃକ୍ତ ନୁହନ୍ତି ବୋଲି ବୟାନ ନ ଦେଇଥିବା ପରିପ୍ରେକ୍ଷୀରେ ଚିଟଫଣ୍ଡ ଦୁର୍ନୀତିର ଚେର ନବୀନ ନିବାସ ପର୍ଯ୍ୟନ୍ତ ବ୍ୟାପିଥିବା ଏହାକୁ ସ୍ପଷ୍ଟ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସିବିଆଇ କେବଳ ରେଡ ନୁହେଁ ତଦନ୍ତକୁ ତୁରନ୍ତ ନିର୍ଣାୟକ ମୋଡ ପର୍ଯ୍ୟନ୍ତ ନେବ ବୋଲି ଓଡିଶାବାସୀ ଆଶା କରି ବସିଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଶାସକ ଦଳର ସୁରକ୍ଷା କାରଣରୁ ଓଡିଶାରେ ଚିଟ ଫଣ୍ଡ ଠକ ମାନେ ସାଧାରଣ ଲୋକଙ୍କୁ ଲୁଟିଥିବା ସର୍ବଜନ ବିଦିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Share in top social networks!