ସବୁ ସମ୍ଭାବନା ସତ୍ୱେ ଓଡିଶା ବିକାଶର ସବୁ ମାପଦଣ୍ଡରେ ପଛୁଆ ହୋଇ ରହିବା ବିଡମ୍ବନାର ବିଷୟ: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

15844807_1229662530450657_8731862091899674423_oନୂଆ ଦିଲ୍ଲୀ ଠାରେ ଅନୁଷ୍ଠିତ ପ୍ରବାସୀ ଓଡିଆ ସମ୍ମିଳନୀରେ ଯୋଗ ଦେଲି । ସବୁ ସମ୍ଭାବନା ସତ୍ୱେ ଓଡିଶା ବିକାଶର ସବୁ ମାପଦଣ୍ଡରେ ପଛୁଆ ହୋଇ ରହିବା ବିଡମ୍ବନାର ବିଷୟ । ଓଡିଶାରେ ବ୍ୟାପକ ସମ୍ଭାବନା ଥିବା ଦୃଷ୍ଟିରୁ ଓଡିଶା କାହିଁକି ପ୍ରଗତିର ଦୌଡରେ ଆଗ ଧାଡିକୁ ଯିବ ନାହିଁ ସେଥି ପାଇଁ ମୋତେ କିଛି କାରଣ ଦେଖାଯାଉ ନାହିଁ । ଓଡିଶାର ଗୌରବମୟ ଇତିହାସ, ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ, କଳା –ଭାସ୍କର୍ଯ୍ୟର ଏନ୍ତୁଡିଶାଳ । ନୌବାଣିଜ୍ୟର ସମୃଦ୍ଧ ପରମ୍ପରା ଓ ବିଶ୍ୱ ଅର୍ଥନୀତିରେ ଏକ ସମୟରେ ପ୍ରମୁଖ ସ୍ଥାନ ରଖୁଥିବା କଳିଙ୍ଗ ଆଧୁନିକ ଯୁଗରେ ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିବ । ପ୍ରାକୃତିକ ସମ୍ପଦରେ ଓଡିଶା ବିଶ୍ୱର ପ୍ରମୁଖ 20ଟି ଦେଶ ମଧ୍ୟରୁ ଗୋଟିଏ ବୋଲି ଆକଳନ କରା ଯାଉଛି ।
ସୁଦୀର୍ଘ ବେଳାଭୂମି, କୃଷି ଉପଯୋଗୀ ପ୍ରଶସ୍ତ କ୍ଷେତ୍ର, ମଧୁର ଜଳର ଅମାପ ଭଣ୍ଡାର ଓ ପରିଶ୍ରମୀ ମାନବ ସମ୍ବଳ ଓଡିଶା ପାଖରେ ରହିଛି । ଆମେ ମାନୁ ବା ନ ମାନୁ ଏତେ ସମ୍ଭାବନାକୁ ଉପଯୋଗ ନ କରିବା କାରଣରୁ ଆମେ ବିକାଶର ମାପଦଣ୍ଡରେ ପଛରେ ରହିଛୁ । ଭୁବନେଶ୍ୱର ଦେଶର ଏକ ନମ୍ବର ସ୍ମାର୍ଟ ସିଟି । ମାତ୍ର ଓଡିଶାରେ ନଗଡା, ଦାନ ମାଝୀ ତଥା ମାଲକାନଗିରିର ଜାପାନୀ ଜ୍ବର ମଧ୍ୟ ଓଡିଶାରେ ରହିଛି । ଓଡିଶାର ସାଢେ ଚାରିକୋଟି ଜନ ସଂଖ୍ୟାର 2.5 କୋଟି 35 ବର୍ଷ ବୟସରୁ କମ । ଏକ କୋଟି ଯୁବକଙ୍କ ଦୁଇ କୋଟି ହାତକୁ ଆମକୁ ରୋଜଗାରର ସୁଯୋଗ ଦେବାକୁ ପଡିବ ।
ପ୍ରବାସୀ ଓଡିଆ ମାନଙ୍କୁ ସେମାନଙ୍କର ଅନୁଭବକୁ ଓଡିଆ ଯୁବ ପୀଢୀ ସହ ଯୋଡିବାର ଆବଶ୍ୟକତା ରହିଛି । ନରେନ୍ଦ୍ର ମୋଦିଙ୍କ ସରକାର ପୂର୍ବ ଭାରତର ବିକାଶ ବିନା ଭାରତର ସମ୍ପୂର୍ଣ ବିକାଶ ହୋଇ ପାରିବ ନାହିଁ ଆଧାରରେ ଓଡିଶା ସମେତ ପୂର୍ବ ଭାରତର ବିକାଶ ପାଇଁ ଗୁରୁତ୍ୱ ଦେଉଛନ୍ତି । ଓଡିଶାର ରେଳ ପଥ, ସଡକ ପଥ, ଅନ୍ତର୍ଦେଶୀୟ ଜଳପଥ, ପ୍ରଭୃତି ଭିତ୍ତିଭୂମି ତଥା ମାନବ ସମ୍ବଳ ବିକାଶ ପାଇଁ ଆଇଆଇଏମ, ଆଇଜର, ଆଇଆଇଟି ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରା ଯାଇଛି ।ପ୍ରଧାନମନ୍ତ୍ରୀଙ୍କ ଯୋଜନାର ଲାଭକୁ ଓଡିଶାରେ ସଦୁପଯୋଗର ଆବଶ୍ୟକତା ରହିଛି ।
କେବଳ ପେଟ୍ରୋଲିୟମ ବିଭାଗ ଓଡିଶାରେ 1.2 ଲକ୍ଷ କୋଟି ପୁଂଜି ନିବେଶ କରୁଛନ୍ତି । ପାରାଦୀପ କାହିଁକି ସିଙ୍ଗାପୁର ହୋଇ ପାରିବ ନାହିଁ ଏହାର କୌଣସି କାରଣ ନାହିଁ ।

Share in top social networks!