ପଂଚାୟତ ନିର୍ବାଚନ ପାଇଁ ବିଜେପି ଉନ୍ମୋଚନ କଲା ପ୍ରଚାର ସାମଗ୍ରୀ

bjppp୭ ବର୍ଷର ନବୀନ ସରକାରଙ୍କ ସ୍ଥାଣୁତା ଓ ଅପାରଗତାର କାରଣରୁ ଓଡିଆମାନେ ମୌଳିକ ସେବାରୁ ବଂଚିତ ହେବା ନବୀନ ଶାସନରେ ମହିଳାଙ୍କ ଇଜ୍ଜତ ଭୁଲୁଣ୍ଠିତ ହେବା, ୧୭ ବର୍ଷ ଶାସନରେ ଓଡିଆଙ୍କ ଆଶା ଧୁଳିସାତ ହେବା ସହିତ ଗାଁ ଶ୍ରୀହୀନ ପାଇଁ ନବୀନ ସରକାର ଦାୟୀ, ଦେଶ ବିଦେଶରେ ଓଡିଶା ନିନ୍ଦିତ ହେବା ରାଜ୍ୟ ସରକାରଙ୍କ ଯୋଜନା କେବଳ ଘୋଷଣା ସର୍ବସ୍ୱ ଓ ରୂପାୟନ କରିବାରେ ବିଫଳତା ଆଦି ପ୍ରସଙ୍ଗକୁ ନେଇ ଆଗାମୀ ୭ ଜାନୁଆରୀରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଗାଁ ମାନଙ୍କରେ ଛୋଟ ଛୋଟ ସଭାମାନ ଆୟୋଜିତ କରାଯିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି । ବିଜେପି କାର୍ଯ୍ୟାଳୟରେ ଏ ସମ୍ପର୍କରେ ପୋଷ୍ଟର, ଲିଫଲେଟ ଓ ପ୍ରଚାର ସାମଗ୍ରୀ ଉଦଘାଟନ କରିବା ଅବସରରେ ଦଳ ପକ୍ଷରୁ ବିଜେପି ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଏହି ସୂଚନା ଦେଇଛନ୍ତି ।
ଗାଁ ମାନଙ୍କରେ ହେବାକୁ ଥିବା ଏହି ସଭାମାନଙ୍କରେ ଦୀର୍ଘ ୧୭ ବର୍ଷର ନବୀନ ଶାସନ ପରେ ମଧ୍ୟ ଋଣ ବୋଝରେ ଚାଷୀ ମରୁଛି, ବଢୁଛି ଗରୀବୀ, ଜମିରେ ପହଂଚିନି ପାଣି, ଶତକଡା ୪୦ ଭାଗ ଘରେ ବର୍ତମାନ ଯାଏ ବିଜୁଳି ପହଂଚି ନ ଥିବା ଓ ଲଣ୍ଠନ ଜାଳିବାକୁ ବାଧ୍ୟ ହେଉଥିବା ଆଦି ପ୍ରସଙ୍ଗ ଉତଥାପନ କରାଯିବ । ସେହିପରି ଭାବେ ଦୀର୍ଘ ୧୭ ବର୍ଷ ଶାସନ ପରେ ମଧ୍ୟ ଗରା ମାଠିଆରେ ଗାଁ ଦାଣ୍ଡରେ ମା- ଭଉଣୀ ପିଇବା ପାଣି ପାଇଁ ଠିଆ ହେବା, ଖଟିଆରେ ରୋଗୀ ବୁହା ହେଉଥିବା, ଡାକ୍ତରଖାନାରେ ଡାକ୍ତର ନ ଥିବା ଓ ପଂଚାୟତ, ବ୍ଲକ ଓ ତହସିଲ ଅଫିସ ଦୁର୍ନୀତିର ହାଟ ହୋଇଥିବା ନେଇ ଲୋକଙ୍କୁ ଅବଗତ କରାଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।
ନବୀନଙ୍କ ଶାସନରେ ମହିଳାଙ୍କ ଇଜ୍ଜତ ଭୂଲୁଣ୍ଠିତ ହୋଇଛି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ କଳା ଓଢଣୀ ଖୋଲାଯିବା, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଳୟରେ ଯୈ÷ାନ କେଳେଙ୍କାରୀର ଖଳନାୟକ ରହିଥିବା ପ୍ରସଙ୍ଗ ମଧ୍ୟ ଉଠାଯିବ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ସେହିପରି ନବୀନ ସରକାରଙ୍କ କାରଣରୁ ଦେଶ ବିଦେଶରେ ଓଡିଶା ନିନ୍ଦିତ ହେଉଛି ବୋଲି ପାର୍ଟି ପକ୍ଷରୁ କୁହା ଯାଇଛି । ଶିଶୁ ଭବନ, ନଗଡା, ଜାପାନୀ ଜ୍ୱରରେ ଶିଶୁ ମଡକ, ଦାନ ମାଝୀ କାନ୍ଧରେ ସ୍ତ୍ରୀର ଶବ, ନବୀନ ନିବାସ ସାମନାରେ ଆତ୍ମାହୁତି ଓ ଗୁମୁଡୁମାହାରେ ଆଦିବାସୀ ଦଳିତଙ୍କ ହତ୍ୟା ଆଦି ଘଟଣା ବିଶ୍ୱ ଦରବାରରେ ରାଜ୍ୟକୁ ନିନ୍ଦିତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ବର୍ତମାନ ଯାଏ ରାସନ କାର୍ଡ ପାଇଁ ଲୋକଙ୍କ ତାଲିକା ଚୂଡାନ୍ତ ହୋଇ ପାରି ନ ଥିବା, ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ନ ଥିବା, ପକ୍କା ଘର ନ ଦେଇ ରାଜ୍ୟ ସରକାର ମିଛ ବାହାଦୁରୀ ନେବାକୁ ଚେଷ୍ଟା କରିବା ଆଦି ପ୍ରସଙ୍ଗ ଗୁଡିକୁ ମଧ୍ୟ ଏହି ସଭା ମାନଙ୍କରେ ଉଠାଯିବ ବୋଲି ସେ କହିଛନ୍ତି ।

୧୭ ବର୍ଷର ନବୀନ ସରକାର ଶାସନରେ ଓଡିଆଙ୍କ ଆଶା ଧୂଳିସାତ ହୋଇ ଯାଇଛି । ରାଜ୍ୟରେ ରୋଜଗାରର ଅଭାବ ଥିବାରୁ ଓଡିଆ ଯୁବକ ଦାଦନ ଖଟୁଥିବା, ତାଲିମପ୍ରାପ୍ତ ଶିକ୍ଷକମାନେ ଥାଇ ତାଙ୍କୁ ଚାକିରୀ ନ ଦିଆ ଯିବା, ଶିଳ୍ପରେ ସ୍ଥାନୀୟ ଯୁବକ ମାନଙ୍କୁ ଚାକିରୀ ନ ଦେବା, ଚିଟଫଣ୍ଡ ଦୂର୍ନୀତିରେ ବିଜେଡି ନେତା ଓ ଅଭିନେତା ଜେଲରେ ଓ ବେଲରେ ଥିବା ବେଳେ ଜମାକାରୀମାନଙ୍କୁ ଟଙ୍କାଟିଏ ନ ମିଳିବା ଆଦି ପ୍ରସଙ୍ଗକୁ ଉଠାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଗାଁକୁ ଶ୍ରୀହୀନ କରିବାକୁ ନବୀନ ସରକାର ଦାୟୀ ବୋଲି ଦଳ ପକ୍ଷରୁ ଅଭିଯୋଗ କରାଯାଇଛି । ପଂଚାୟତକୁ ମୋଦି ସରକାର ସିଧା ସିଧା ପ୍ରଚୁର ଅର୍ଥ ପଠାଉଥିବାବେଳେ ପଂଚାୟତ ପ୍ରତିନିଧିମାନଙ୍କ ଅଧିକାରକୁ ଛଡାଇ ନେଇ ନବୀନ ସରକାର ଶାସକ ଦଳ ବିଧାୟକ ଓ ସାଂସଦମାନଙ୍କୁ ପ୍ରଦାନ କରିବାକୁ ମସୁଧା କରୁଛି । ଏ ସବୁ ପ୍ରସଙ୍ଗକୁ ଦଳ ପକ୍ଷରୁ ଲୋକ ମାନଙ୍କ ନିକଟରେ ଉଠାଯିବ ବୋଲି ବିଜେପି କହିଛି ।
ଏହି ଅବସରରେ ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ଡ.ଲେଖାଶ୍ରୀ ସାମନ୍ତସିଂହାର, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ କାର୍ଯ୍ୟ ନିର୍ବାହୀ ସମିତି ସଦସ୍ୟ ନିରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!