ଶାସକ ବିଜେଡି ଦଳ ଖୋଲାଖୋଲି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛି : ବିଜେପି

bjpsajjanରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ସାଧାରଣ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ଦଳ ସମସ୍ତ ପ୍ରକାର ଉଦ୍ୟମ ଜାରି ରଖିଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ଆଚରଣ ବିଧି ଲାଗୁ ହେବା ସତ୍ୱେ ଶାସକ ବିଜେଡି ଦଳର ନେତା ଓ କର୍ମୀମାନେ ପ୍ରଶାସନକୁ ଅପବ୍ୟବହାର କରି ଆଚାର ସଂହିତାକୁ ବାରମ୍ବାର ଉଲ୍ଲଂଘନ କରି ଚାଲିଛନ୍ତି । ଏଭଳି ଆଇନକୁ ଉଲ୍ଲଂଘନ କରିବା ଗଣତନ୍ତ୍ରରେ କେବେହେଲେ ଗ୍ରହଣୀୟ ନୁହେଁ ବୋଲି ବିଜେପି କ୍ଷୋଭ ପ୍ରକାଶ କରିଛି ।
ଆଜି ରାଜ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କରି ଶାସକ ବିଜେଡି ଦଳ ଦ୍ୱାରା କରାଯାଇଥିବା ଆଇନ ଉଲ୍ଲଂଘନ ବାବଦରେ ଅବଗତ କରିଛନ୍ତି । ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କ ପକ୍ଷରୁ ୱାର୍କ ଅଡର ବାହାର କରାଯିବା ସଂପୂର୍ଣ୍ଣ ଆଇନ ଉଲ୍ଲଂଘନ । ମାତ୍ର କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କୋଟଗଡ ବ୍ଲକର କୋଟଗଡ ଗ୍ରାମରେ ସରକାର ଆଇନକୁ ଉଲ୍ଲଂଘନ କରି “ମୋ କୁଡିଆ” ଯୋଜନାରେ ବାସଗୃହ ନିର୍ମାଣ ପାଇଁ ୱାର୍କ ଅର୍ଡର ଦେଇଛନ୍ତି । ଏହା ଦ୍ୱାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ହୋଇଥିବାର ଅଭିଯୋଗ କରାଯାଇ ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଆୟୋଗଙ୍କ ନିକଟରେ ଅନୁରୋଧ କରାଯାଇଅଛି ବୋଲି ଶ୍ରୀ ଶର୍ମା କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିରଂଚି ତ୍ରିପାଠୀ, ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ଠାକୁର ରଣଜିତ୍ ଦାଶ, ଆଡଭୋକେଟ ସୂର୍ଯ୍ୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!