ଶିଶୁ ହିଂସାମୁକ୍ତ ସମାଜ ଗଠନ ପାଇଁ ନାଗରିକ ସମାଜ, ସ୍ୱେଚ୍ଛାସେବୀ ସଙ୍ଗଠନ ଓ ସରକାରଙ୍କ ମିଳିତ ସହଯୋଗ ଲୋଡା

14212186_510297592503199_3598295157209270591_nଶିଶୁଙ୍କ ପ୍ରତି ହିଂସା ଆମ ସମାଜ ପାଇଁ ଏକ ଆହ୍ୱାନ । ଏହା ଉପରେ ଅଙ୍କୁଶ ପ୍ରୟୋଗ ପାଇଁ ମିଳିତ ପ୍ରଚେଷ୍ଟା ଆବଶ୍ୟକ । ବିଶେଷ କରି ନାଗରିକ ସମାଜ, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ସରକାରଙ୍କ ମିଳିତ ସହଯୋଗରେ ଶିଶୁଙ୍କ ପ୍ରତି ହେଉଥିବା ହିଂସାର ବିଲୋପ ସମ୍ଭବ ବୋଲି ଏଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାବେଶରେ ମତପ୍ରକାଶ ପାଇଛି ।
ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ସହଯୋଗରେ ଓଡ଼ିଶା ଆଲିଆନ୍ସ ଫର ଚାଇଲ୍ଡ ରାଇଟ୍ସ(ଓଏସିଆର) ଏବଂ ନାସନାଲ ଆକ୍ସନ ଆଣ୍ଡ କୋଡର଼୍ିନେସନ ଗ୍ରୁପ ଟୁ ଏଣ୍ଡ ଭାଇଓଲେନ୍ସ ଏଗେନଷ୍ଟ ଚିଲଡ୍ରେନ୍‍ ଓଡ଼ିଶା ଶାଖା ପକ୍ଷରୁ ମିଳିତ ଭାବେ ଆୟୋଜିତ ‘ଶିଶୁମାନଙ୍କ ପ୍ରତି ହିଂସାର ବିଲୋପ ’ ସମାବେଶରେ ଯୋଗଦେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ସଚିବ ବିଶାଳକୁମାର ଦେବ କହିଥିଲେ ଶିଶୁଙ୍କ ପ୍ରତି ହେଉଥିବା ନିର୍ଯାତନା ଓ ହିଂସାର ବିଲୋପ ପାଇଁ ଆଇନ ରହିଛି । ତେବେ ଏହାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯିବା ଦରକାର । ଶ୍ରମ ଓ ନିୟୋଜନ, ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ ସମେତ ବିଭିନ୍ନ ବିଭାଗ, ଶିଶୁଙ୍କ ପାଇଁ କାର୍ଯ୍ୟରତ ସ୍ୱେଚ୍ଛାସେବୀ ସଂସ୍ଥା ଏବଂ ନାଗରିକ ସମାଜର ମିଳିତ ପ୍ରଚେଷ୍ଟାରେ ଶିଶୁଙ୍କ ପ୍ରତି ହିଂସାର ବିଲୋପ ହୋଇପାରିବ । ଜିଲା ଶିଶୁ ସୁରକ୍ଷା ୟୁନିଟ, ଜୁଭେନାଇଲ ଜଷ୍ଟିସ ବୋଡର଼୍, ଶିଶୁ କଲ୍ୟାଣ କମିଟି ମଧ୍ୟ ଏ ଦିଗରେ କାର୍ଯ୍ୟ କରୁଛନ୍ତି । ରାଜ୍ୟ ସରକାଙ୍କ ଅପରେସନ ସ୍ମାଇଲ ଯୋଜନା ମାଧ୍ୟମରେ ରାଜ୍ୟ ଭିତରୁ ଓ ବାହାରୁ ଏ ପର୍ଯ୍ୟନ୍ତ ୨୦୦୦ ଶିଶୁଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ଭିତରୁ ୮୫ପ୍ରତିଶତଙ୍କୁ ଥଇଥାନ କରାଗଲାଣି । ଝିଅମାନଙ୍କୁ ବେଆଇନ ଭାବେ ଚାଲାଣ ରୋକିବା ଦିଗରେ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ।
ପୂର୍ବତନ କେନ୍ଦ୍ର ଶ୍ରମ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ ଲକ୍ଷ୍ମୀଧର ମିଶ୍ର ଓଡ଼ିଶାରେ ଶିଶୁ ଶ୍ରମିକଙ୍କ ସ୍ଥିତି ନେଇ ଆଲୋଚନା କରିବ ସହିତ ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ଓ ଶିଶୁ ଶୋଷଣମୁକ୍ତ ସମାଜ ଗଠନ ଉପରେ ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ହିଂସା ବିଲୋପ ପାଇଁ ଗଠିତ ଜାତୀୟ ସ୍ତରର ଆକ୍ସନ ଗ୍ରୁପ ଅଧ୍ୟକ୍ଷ ଡ.ଚିରଞ୍ଜିବ କାକୋଟି ଶିଶୁ ନିର୍ଯାତନା, ବାଲ୍ୟବିବାହ, ବାଳିକା ଚାଲାଣ ବିଷୟରେ ଆଲୋକପତ କରିଥିଲେ । ପ୍ରାୟ ୫୦ପ୍ରତିଶତ ଶିଶୁ ନିର୍ଯାତନାର ସମ୍ମୁଖୀନ ହେଉଥିବାବେଳେ ଏଥିନେଇ ସେ ଉଦ୍‍ବେଗ ପ୍ରକାଶ କରିବା ସହ ଶିଶୁଙ୍କ ପ୍ରତି ହିଂସାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରେଧରେ କଠୋର ଦଣ୍ଡବିଧାନ ପାଇଁ ମତ ରଖିଥିଲେ । ଶିଶୁ ନୀତି ପ୍ରସ୍ତୁତିବେଳେ ସେମାନଙ୍କୁ ସମ୍ପୃକ୍ତ କରାଯିବା ଉପରେ ଜୋର ଦେଇଥିଲେ ।
ୟୁନିସେଫର ଓଡ଼ିଶା ମୁଖ୍ୟ ୟୁମି ବେ ଶିଶୁ ହିଂସା ବିଲୋପ ନେଇ ଦେଖାଦେଇଥିବା ଆହ୍ୱାନର ମୁକାବିଲାରେ ତାଙ୍କ ସଙ୍ଗଠନ ସହଯୋଗ ଯୋଗାଇଦେବ ବୋଲି କହିଥିଲେ । ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ପ୍ରଦୀପ ବିଶ୍ୱାଳ ନିରନ୍ତର ବିକାଶ ଲକ୍ଷ୍ୟ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶହେବର୍ଷ ପୂର୍ତ୍ତି ବିଷୟରେ ଆଲୋଚନା କରିବା ସହିତ ୨୦୩୬ ପାଇଁ ପ୍ରସ୍ତୁତ ବିକାଶ ନକ୍ସାରେ ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ କରାଯିବାର ଯୋଜନା ରହିଛି ବୋଲି କହିଥିଲେ । ଆଇସିଏଆର ମୁଖ୍ୟ ରେଜିଆ ଇସମାଇଲ କହିଥିଲେ ଯେ ଶିଶୁମାନଙ୍କ ପ୍ରତି ହେଉଥିବା ନିର୍ଯାତନା ବିରୋଧରେ ସବୁସ୍ତରରେ ସ୍ୱର ଉତ୍ତୋଳନ ପାଇଁ ଆହ୍ୱାନ ଦେଇଥିଲେ । ଭବିଷ୍ୟକୁ ଦୃଷ୍ଟିରେ ରଖି ଶିଶୁମାନଙ୍କ ବିକାଶ ପାଇଁ ଅଧିକ ଦୃଷ୍ଟିଦେବାର ଅବଶ୍ୟକତା ରହିଛି । ପ୍ରଜ୍ୱଳାର ନିର୍ଦେଶକ ପଦ୍ମଶ୍ରୀ ସୁନିତା କ୍ରିଷ୍ଣନ୍‍ ବେଆଇନ ଶିଶୁ ଚାଲାଣ ସମସ୍ୟା ଓ ଏହାର ସାମ୍ପ୍ରତିକ ସ୍ଥିତିନେଇ ଆଲୋକପାତ କରିଥିଲେ ।
ପ୍ରାରମ୍ଭରେ ଏନଏସିଜିର ଆବାହକ ରଞ୍ଜନ ମହାନ୍ତି ତିନିଦିନ ବ୍ୟାପି ଆୟୋଜିତ ଶିଶୁ ହିଂସା ବିରୋଧୀ ଅଭିଯାନ ସମ୍ପର୍କରେ ସୂଚନା ଦେଇଥିଲେ । ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର କହିଥିଲେ ଯେ ଏଠାରେ ଆୟୋଜିତ ସମାବେଶର ନିର୍ଯାସ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ । କାର୍ଯ୍ୟକ୍ରମରେ ପୂର୍ବତନ ସିବିଆଇ ଜଜ୍‍ ହୃଦୟବଲ୍ଲଭ ଦାସ, ସି.ଜେ.ଜର୍ଜ, ଯୁଗ୍ମ ଶ୍ରମ କମିଶନର ଭାସ୍କର ପଣ୍ଡା, ଡ.ପ୍ରତାପ ରଥ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରମୋଦ ଆଚାର୍ଯ୍ୟ, ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା ରାଜଲକ୍ଷ୍ମୀ ଦାସ, ଦିଗନ୍ତ ରଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।
ଅପରାହ୍ନ ଅଧିବେଶନରେ ଅଧିବେଶନରେ ମଧୁମିତା ଦାସ, କଲ୍ୟାଣ ରଥ, ଡ.ଅମ୍ରିତା ପଟେଲ, ଓପେପା ନିର୍ଦେଶକ ମହେନ୍ଦ୍ର ମଲ୍ଲିକ, ୟୁଥ ସର୍ଭିସ ସେଣ୍ଟର ପକ୍ଷରୁ ଉମେଶ ପୁରୋହିତ ପ୍ରମୁଖ ଯୋଗଦେଇ ବେଆଇନ ଶିଶୁ ଚାଲାଣ, ପ୍ରବାସୀ ଶିଶୁଙ୍କ ସମସ୍ୟା ଓ ନିଖୋଜ ଶିଶୁଙ୍କ ଉପରେ ଆଲୋଚନା କରିଥିଲେ । ଓଭାର କ୍ଷମାକର ସ୍ୱାଇଁ ଧନ୍ୟବାଦ ଦେଇଥିଲେ । ପ୍ରଶାନ୍ତ କୁମାର ପାଲଟାସିଂହ, ଅନୁରାଧା ମହାନ୍ତି, ହରିହର ନାୟକ, ପ୍ରକାଶ ରଥ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ କିଶୋର ନ୍ୟାୟ ଆଇନର ଓଡ଼ିଆ ପୁସ୍ତକ ଉନ୍ମୋଚନ ହୋଇଥିଲା ।

Share in top social networks!