ରାଜ୍ୟକୁ ମିଳିବାକୁ ଥିବା ଔଷଧୀୟ ମଶାରୀ ଏକକାଳୀନ ପ୍ରଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ପତ୍ର

ରାଜ୍ୟରେ ମ୍ୟାଲେରିଆ ନିରାକରଣ ଦିଗରେ ଜାତୀୟ ଭେକ୍ଟର ବାହୀତ ରୋଗନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟମ ଜାରି ରହିଛି । ଏ ନେଇ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ମ୍ୟାଲେରିଆ ନିୟନ୍ତ୍ରଣ ଦିଗରେ ଔଷଧୀୟ ମଶାରୀ ବ୍ୟବହାର ଉପରେ ଗୁରୁତ୍ୱ ଆରୋପକରାଯାଇଛି । ରାଜ୍ୟକୁ ଗ୍ଲୋବାଲ ଫଣ୍ଡ୍ ଫର୍ ଏଡସ୍ , ଟିବି ଏବଂ ମ୍ୟାଲେରିଆ (ଜି.ଏଫ୍.ଏ.ଟି.ଏମ୍ ) ସଂସ୍ଥା ତରଫରୁ କେନ୍ଦ୍ର ସରକାରଙ୍କ ଜରିଆରେ ଏକ କୋଟି ୧୩ ଲକ୍ଷ ଔଷଧୀୟ ମଶାରୀ ମିଳିବାକୁ ଯାଉଛି । ଏତଦ୍ବ୍ୟତିତ କେନ୍ଦ୍ରସରକାର ମଧ୍ୟ ୪୦ଲକ୍ଷ ଔଷଧୀୟ ମଶାରୀ ପ୍ରଦାନ କରିବାକୁ ପ୍ରତିଶୃତି ଦେଇଛନ୍ତି । ତେବେ ଜି.ଏଫ୍.ଏ.ଟି.ଏମ୍ ତରଫରୁ ୧କୋଟି ୧୩ ଲକ୍ଷ ଏବଂ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୪୦ ଲକ୍ଷ ମଶାରୀକୁ ଏକକାଳୀନ ପ୍ରଦାନ କରିବା ନିମନ୍ତେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଧା କେନ୍ଦ୍ର ସ୍ୱାସ୍ଥ୍ୟ ସଚିବକୁ ପତ୍ରଲେଖି ଅନୁରୋଧ କରିଛନ୍ତି ।
ଡାଃ ମେହେର୍ଦ୍ଧା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟରେ ରାଜ୍ୟର ୧୭ ଟି ଜିଲ୍ଲାର ୨୦୮ ମ୍ୟାଲେରିଆ ପ୍ରବଣ ବ୍ଲକ୍ର ପ୍ରାୟ ୨ କୋଟି ୮ ଲକ୍ଷ ୪୩ ହଜାର ଏବଂ ଆଉ ୧୦ ଟି ଜିଲ୍ଲାର ୬୨ ଟି ବ୍ଲକ୍ର ପ୍ରାୟ ୭୦ ଲକ୍ଷ ଯେଉଁଠାରେ ବାର୍ଷିକ ମ୍ୟାଲେରିଆ ସୂଚୀ ( ଏ.ପି.ଆଇ) ଏକ ରୁ ଉଦ୍ଧ୍ୱର୍ ରହିଛି ସେହି ସବୁ ଅଂଚଳର ଲୋକଙ୍କୁ ମ୍ୟାଲେରିଆ କବଳରୁ ସୁରକ୍ଷିତ ରଖିବା ନିମନ୍ତେ ଏକ କୋଟି ୫୬ ଲକ୍ଷ ଔଷଧୀୟ ମଶାରୀ ଆବଶ୍ୟକତା ରହିଛି । ଏହି ମଶାରୀ ପ୍ରଦାନ କରାଗଲେ ସେସବୁକୁ ଠିକଣା ଭାବେ ମହଜୁଦ ରଖିବା , ନିର୍ଦ୍ଧିଷ୍ଟ ଅଂଚଳକୁ ପରିବହନ ଏବଂ ସୂଚାର ରୂପେ ବଂଟନ କରାଯିବା ଇତ୍ୟାଦି ଦିଗରେ ସମସ୍ତ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ଏହି ମର୍ମରେ ମିଳିବାକୁ ଥିବା ଏକ କୋଟି ୫୩ ଲକ୍ଷ ମଶାରୀକୁ ଯଥାଶୀଘ୍ର ଏକସଙ୍ଗରେ ପ୍ରଦାନ କରାଯିବାକୁ ଅନୁରୋଧ କରି ମ୍ୟାଲେରିଆ ପ୍ରବଣ ଅଂଚଳର ପରିବାର ଗୁଡିକୁ ସୁରକ୍ଷିତ ରଖିବା ଦିଗରେ ସହାୟକ ହୋଇପାରିବ ବୋଲି ସେ ଦର୍ଶାଇଛିନ୍ତି ।

Share in top social networks!