ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟବ୍ୟାପୀ ଭୋଟର ସଚେତନତା କାର୍ଯ୍ୟକ୍ରମ; ଆରମ୍ଭ ହେଲା ମୋ ଭୋଟ, ମୋ ଗାଁ ଅଭିଯାନ

adrr2ଆଗକୁ ପଞ୍ଚାୟତ ନିର୍ବାଚନ । ନିର୍ବାଚନକୁ ଅବାଧ, ଦୁର୍ନୀତିମୁକ୍ତ ତଥା ଅର୍ଥ ଓ ବାହୁବଳରୁ ମୁକ୍ତ କରିବା ନିମନ୍ତେ ଓଡ଼ିଶା ଇଲେକ୍ସନ ୱାଚ ଏବଂ ଆସୋସିଏସନ ଫର ଡେ଼ମୋକ୍ରାଟିକ ରିଫର୍ମସ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଛି ‘ମୋ ଭୋଟ ମୋ ଗାଁ’ ଅଭିଯାନ । ଏଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଏହି ଅଭିଯାନକୁ ବିଶିଷ୍ଟ ଅତିଥିମାନେ ଉଦ୍‍ଘାଟନ କରିଥିଲେ । ଏହି ଅବସରରେ ‘ମୋ ଭୋଟ ସଉଦା ନୁହେଁ, ଆସ ଭୋଟ ଦେବା, ଭଲ ପ୍ରାର୍ଥୀଙ୍କୁ ଜିତାଇବା ଭଳି ସ୍ଲୋଗାନ ଥିବା ପୋଷ୍ଟର ଓ ଦୃଶ୍ୟସ୍ରାବ୍ୟ ଅଡ଼ିଓ ଉନ୍ମୋଚନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ଯୋଗଦେଇ ଆସୋସିଏସନ ଫର ଡେ଼ମୋକ୍ରାଟିକ ରିଫର୍ମସର ମୁଖ୍ୟ ମେଜର ଜେନେରାଲ ଅନିଲ ବର୍ମା କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବା ଆବଶ୍ୟକ । ତାଙ୍କ ସଙ୍ଗଠନ ପକ୍ଷରୁ ଭୋଟର ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ଭଲ ଲୋକ ଶାସନ ବା କ୍ଷମତାକୁ ଯାଉ ନଥିବାରୁ ପ୍ରଶାସନର ଉତ୍ତର ଦାୟିତ୍ୱ ରହୁନି । ପଞ୍ଚାୟତ, ଜିଲା ପରିଷଦକୁୁ ଯୋଗ୍ୟ ଲୋକଙ୍କୁ ଜିତାଇବା ନିମନ୍ତେ ଭୋଟର ସଚେତନ ନହେଲେ ବିକାଶ ଅସମ୍ଭବ । ଏହି ପରିପ୍ରେକ୍ଷୀରେ ନିର୍ବାଚନରେ ଅର୍ଥ ଓ ବାହୁବଳ ବିରୋଧରେ ଯିବା ପାଇଁ ସେ ଆହ୍ୱାନ ଦେଇଥିଲେ ।
କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖି ଓଡ଼ିଶା ଇଲେକ୍ସନ ୱାଚର ରାଜ୍ୟ ଆବାହକ ରଞ୍ଜନ ମହାନ୍ତି କହିଥିଲେ ଯେ ଏହି ଅଭିଯାନ ମାଧ୍ୟମରେ ସାରା ରାଜ୍ୟର ଭୋଟରଙ୍କୁ ସଚେତନ କରାଯିବ । ନିର୍ଭୟରେ ଯେପରି ଅଧିକ ଲୋକ ଭୋଟ ଦେବେ ସେ ଦିଗରେ ଜାଗରଣ ସୃଷ୍ଟି କରାଯିବ । ଏଥିପାଇଁ ପ୍ରତି ଗ୍ରାମରେ ଅଡ଼ିଓ ଭିଜୁଆଲ, ଏସଏମଏସ ଅଭିଯାନ, ପୋଷ୍ଟର ବ୍ୟାନର ମାଧ୍ୟମରେ ଭଲ ଲୋକଙ୍କୁ ନିର୍ବାଚିତ କରିବାକୁ ସଚେତନ କରାଯିବ ।
ସ୍ୱାଧୀନତା ସଂଗ୍ରାମୀ ଭବାନିଚରଣ ପଟ୍ଟନାୟକ କହିଥିଲେ ଯେ ଆମ ଭିତରୁ ଜାତୀୟତା ମନଭାବ କମିଗଲାଣି । ତ୍ୟାଗ ମନବୃତ୍ତି ନରହିଲେ ଦେଶ ରହିବନି । ଏବେ ତ୍ୟାଗ ଅପେକ୍ଷା ଭୋଗ ପାଇଁ ଅଧିକ ଲଢେ଼ଇ ଚାଲିଛି । ଦେଶକୁ ରକ୍ଷା କରିବା ପାଈଁ ସେ ଯୁବବର୍ଗଙ୍କୁ ଆହ୍ୱାନ ଦେଇଥିଲେ ।
ମୋ ଭୋଟ ମୋ ଗାଁ ଅଭିଯାନ ଉଦଘାଟନ ଅବସରରେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ କହିଥିଲେ ଯେ ଆଗାମୀ ପଞ୍ଚାୟତ ନିର୍ବାଚନରେ ୨କୋଟି ୬୦ଲକ୍ଷ ଭୋଟର ୧ଲକ୍ଷ ପାଞ୍ଚ ହଜାରରୁ ଅଧିକ ପ୍ରତିନିଧି ବାଛିବେ । ଅଧିକ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଏହା ଏକ ଭଲ ଉପାୟ । ୨୦୧୨ରେ ୭୪ପ୍ରତିଶତ ଭୋଟର ମତଦାନ କରିଥିଲେ । ଉପଯୁକ୍ତ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ସେ ଆହ୍ୱାନ ଦେଇଥିଲେ ।
ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅନନ୍ତଚରଣ ନାୟକ କହିଥିଲେ ଯେ ନିର୍ବାଚନରେ ଉପଯୁକ୍ତ ପ୍ରାର୍ଥୀ ବାଛିବା ଆବଶ୍ୟକ । ଏ ଦିଗରେ ସଚେତନ ନହେଲେ ଗଣତନ୍ତ୍ର ଦୁର୍ବଳ ହୋଇପଡ଼ିବ । ଏଥିପାଇଁ ଯୁବ, ଛାତ୍ର ଶକ୍ତି ଆଗେଇ ଆସିବା ସହିତ ଗ୍ରାମାଞ୍ଚଳରେ ସଚେତନତା ଅଭିଯାନ ତ୍ୱରାନ୍ୱିତ କରାଯିବା ଆବଶ୍ୟକ ।
କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପୂର୍ବତନ ଡିଜି ଅମିୟଭୂଷଣ ତ୍ରିପାଠୀ କହିଥିଲେ ଯେ ଭଲ ଲୋକ କିପରି ନିର୍ବାଚିତ ହେବେ ସେ ଦିଗ ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ । ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଏବେ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ ୩୦ପ୍ରତିଶତ ପ୍ରତିନିଧିଙ୍କ ପଛରେ ଅପରାଧ ରହିଛି । ଆମ ଭୋଟ ସଚ୍ଚୋଟ ଲୋକଙ୍କ ପାଖକୁ ଯିବା ଉଚିତ । ଭୋଟର ଟଙ୍କା ଦ୍ୱାରା ପ୍ରଲୋଭିତ ନହୋଇ ସେବା ମନବୃତ୍ତି ଥିବା ପ୍ରତିନିଧିଙ୍କୁ ଭୋଟଦେଇ ଜିତାଇବା ଆବଶ୍ୟକ । ଅପରାଧରେ ଲିପ୍ତ ବ୍ୟକ୍ତି ନିର୍ବାଚନରେ ଯେପରି ଲଢ଼ି ନପାରିବେ ସେଥିପାଇଁ ଆଇନ ହେବା ଆବଶ୍ୟକ ବୋଲି ସେ ମତ ରଖିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ବୈକୁଣ୍ଠନାଥ ପାଣିଗ୍ରାହୀ, ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ହାସ୍ୟ ଅଭିନେତା ହରିହର ମହାପାତ୍ର, ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଏନଏସସ କାର୍ଯ୍ୟକ୍ରମ ଅଧିକାରୀ ଅଶୋକ ସୁବୁଦ୍ଧି ପ୍ରମୁଖ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ । ସାମ୍ବାଦିକ ନାଗେଶ୍ୱର ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Share in top social networks!