ନୂଆଦିଲ୍ଲୀରେ ଅକ୍ଟୋବର ୨୫ ରୁ ୨୮ ପର୍ଯ୍ୟନ୍ତ ଜାତୀୟ ଆଦିବାସୀ ମହୋତ୍ସବ , ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟନ ।

jualoramକେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ଚଳିତ ମାସ ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀ ଠାରେ ଜାତୀୟ ଆଦିବାସୀ ମହୋତ୍ସବ (ନ୍ୟାସନାଲ ଟ୍ରାଇବାଲ କାର୍ଣ୍ଣିଭାଲ) ଆୟୋଜନ ହେବାକୁ ଯାଉଛି । ଆଜି ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ କହିଛନ୍ତି ଯେ, ଏହି ଜାତୀୟ ଆଦିବାସୀ ମହୋତ୍ସବକୁ ୨୫ ତାରିଖ ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଇନ୍ଡେ଼ାର ଷ୍ଟାଡ଼ିୟମ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଏହା ଉଦ୍ଘାଟିତ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଦେଶର ସମସ୍ତ ପ୍ରାନ୍ତରୁ ପାଖାପାଖି ୨୫ ହଜାରରୁ ଉଦ୍ଧ୍ୱର୍ ଆଦିବାସୀ ସମ୍ପ୍ରଦାୟର ଲୋକ ଅଂଶଗ୍ରହଣ କରିବେ । ଦେଶରେ ପ୍ରଥମଥର ପାଇଁ ଆୟୋଜିତ ଉକ୍ତ ମହୋତ୍ସବ ଦେଶର ସାଂସ୍କୃତିକ ଐକ୍ୟକୁ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀ ଓରାମ ପ୍ରକାଶ କରିଛନ୍ତି ।
ଉକ୍ତ ୪ ଦିନବ୍ୟାପି ମହୋତ୍ସବ ସମୟରେ ପ୍ରତ୍ୟେକ ଦିନ ପୂର୍ବାହ୍ନରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ପ୍ରଗତି ମୈଦାନର (ହଲ ନମ୍ବର ୭, ଏଫ, ଜି ଏବଂ ଏଚ) ଠାରେ ବିଭିନ୍ନ କର୍ମଶାଳାମାନ ଆୟୋଜନ କରାଯାଇଛି । ୨୬ ତାରିଖ ଦିନ ପେସା ଆକ୍ଟ ୧୯୯୬ ଏହାର କାର୍ଯ୍ୟକାରିତା ସହ ଜନଜାତି ସମୁଦାୟଙ୍କ ପାଇଁ ଏହାର ଉପାଦେୟତା ତଥା ଅନ୍ୟାନ୍ୟ ଦିଗ ବିଷୟରେ ଆଲୋଚନା ହେବ । ସେହିପରି ୨୭ ତାରିଖ ଦିନ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏବଂ ତାହାର କାର୍ଯ୍ୟକାରିତା ଏବଂ ୨୮ ତାରିଖ ଦିନ ଆଦିବାସୀ ମାନଙ୍କର ରାଜନୈତିକ, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ବିଷୟରେ ଆଳୋଚନା ହେବ । ଏହି କର୍ମଶାଳାମାନଙ୍କରେ ଦେଶର ବହୁ ଅଭିଜ୍ଞ ଓ ବିଶାରଦ ମାନେ ଅଂଶଗ୍ରହଣ କରି ଆବଶ୍ୟକୀୟ ପରାମର୍ଶ ଦେବେ ।
ସେହିପରି ପ୍ରତ୍ୟେକ ଦିନ ଅପରାହ୍ନ ୪ ଟାରୁ ୮ ପର୍ଯ୍ୟନ୍ତ ପ୍ରଗତି ମୈଦାନର ହଂସଧ୍ୱନୀ ମୁକ୍ତାକାଶ ରଙ୍ଗମଂଚ(ଆମ୍ଫିଥିଇଟର)ରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୧୫୦୦ କଳାକାରମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ଏହି ମହୋତ୍ସବରେ ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଷ୍ଟଲ ଖୋଲାଯିବ ଯେଉଁଥିରେ କି ଆଦିବାସୀମାନଙ୍କର କଳା, ସଂସ୍କୃତି, ବନଜାତ ସାମଗ୍ରୀ, ଜୈବିକ ଖାଦ୍ୟ, ଜନଜାତିମାନଙ୍କ ଦ୍ୱାରା ବ୍ୟବହୃତ ଦ୍ରବ୍ୟ ଆଦି ଉପଲବ୍ଧ ହେବ ।

Share in top social networks!