ମାଲକାନଗିରିରେ ଜାପାନୀ ଏନସେଫାଲାଇଟିସରେ ଶିଶୁ ମଡକ ପ୍ରସଙ୍ଗ

suramapadhii
- ରାଜ୍ୟ ସରକାରଙ୍କ ଦାବି ଓ ସରଜମିନ ବାସ୍ତବିକତାରେ ଆକାଶ ପାତଳ ଫରକ
- ୪୩ ଜଣ ଶିଶୁ ମରିଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ବାସ୍ତବରେ ବର୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୭୫ ରୁ ଉର୍ଦ୍ଧ
- ପରିସ୍ଥ୍ିତିକୁ ଦେଖି ଶିଶୁ ରୋଗ ବିଶେଷଜ୍ଞଙ୍କ ସଂଖ୍ୟା ଯଥେଷ୍ଟ ନୁହେଁ
- ଆଭ୍ୟନ୍ତରୀଣ ଅଂଚଳର ପିଏଚସି ଓ ସିଏଚସିକୁ ଡାକ୍ତରଶୂନ୍ୟ କରିବା ଠିକ ନୁହେଁ
- ୫୦ ହଜାର ଔଷଧଯୁକ୍ତ ମଶାରୀ ପ୍ରଦାନ କରିଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଜିଲ୍ଲା ପ୍ରଶାସନକୁ ମିଳି ନାହିଁ ମଶାରୀ
- ଟୀକାକରଣ ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସୁଚିନ୍ତିତ ଭାବେ ଅପପ୍ରଚାର କରୁଛନ୍ତି ରାଜ୍ୟ ସରକାର
- ୨୦୧୧ରୁ ୨୦୧୬ର ଅନୁୁକୂଳ ସମୟରେ ରାଜ୍ୟ ସରକାର କାହିଁକି ଅନୁଭବ କଲେନି ଟୀକାକରଣର ଆବଶ୍ୟକତା ?
ଜାପାନୀ ଏନସେଫାଲାଇଟିସ ବ୍ୟାପିବା କାରଣରୁ ମାଲକାନଗିରି ଜିଲ୍ଲାରେ ଶିଶୁ ମାନଙ୍କର ଅକାଳ ମୃତ୍ୟୁ ହେଉଥିବା ବେଳେ ଏହାକୁ ରୋକିବା ଓ ପ୍ରତିକାର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଦାବି ଓ ସରଜମିନ୍ ଦତନ୍ତ ବେଳେ ମିଳିଥିବା ତଥ୍ୟ ମଧ୍ୟରେ ଆକାଶ ପାତାଳ ଫରକ ରହିଛି ବୋଲି ମାଲକାନଗିରି ଜିଲ୍ଲା ଗସ୍ତ କରି ଫେରିଥିବା ବିଜେପି ପ୍ରତିନିଧି ଦଳ ପକ୍ଷରୁ କୁହାଯାଇଛି। ଏହି ରୋଗକୁ ପିଲା ମାନଙ୍କୁ ରକ୍ଷା କରିବା ଓ ଏହାର ପ୍ରତିକାର କରିବା ଦିଗରେ ରାଜ୍ୟ ସରକାର ଗୁରୁତର ତ୍ରୁଟି କରୁଛନ୍ତି ବୋଲି ବିଜେପି ପ୍ରତିନିଧି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।
ଏହି ପ୍ରତିନିଧି ଦଳରେ ସାଧାରଣ ସମ୍ପାଦକ ଭୃଗୁ ବକ୍ସି ପାତ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ. ପ୍ରଦୀପ୍ତ ନାୟକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, କମଳାକାନ୍ତ ପାଣ୍ଡେ, ରମେଶ ସାହୁ, ଶିବଶଙ୍କର ଉଲାକା, ବିଜୟ ମିଶ୍ର ସାମିଲ ଥିଲେ। ବିଜେପିର ଏହି ପ୍ରତିନିଧି ମଣ୍ଡଳ ମାଲକାନଗିରି ଜିଲ୍ଲାର ପାଲକୋଣ୍ଡା ଓ କୋଇମେଟଲା ଗାଁକୁ ଯାଇ ସେଠାକାର ସ୍ଥିତି ଅନୁଧାନ କରିଥିଲା।
ଏହି ରୋଗରେ ୪୩ ଜଣ ଶିଶୁ ପ୍ରାଣ ହରାଇଥିବା କଥା ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହୁଥିବା ବେଳେ ବାସ୍ତବ କ୍ଷେତ୍ରରେ ବର୍ତମାନ ସୁଦ୍ଧା ୭୫ରୁ ଉର୍ଦ୍ଧ ଶିଶୁ ପ୍ରାଣ ହରାଇଛନ୍ତି। କିନ୍ତୁ ମୃତ୍ୟୁକୁ ରୋକିବାରେ ବିଫଳ ରାଜ୍ୟ ସରକାର ମୃତ୍ୟୁସଂଖ୍ୟାକୁ ଲୁଚାଇବା ପାଇଁ ଅପଚେଷ୍ଟା କରୁଛନ୍ତି ଏବଂ ଅନ୍ୟ ମୃତ୍ୟୁ ଗୁଡିକୁ ଏହି ରୋଗଜନିତ ନୁହେଁ ବୋଲି ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଆଜି ଏହି ସାମ୍ବାଦିକ ସମ୍ମିଳନିରେ ଦଳର ବରିଷ୍ଠ ସଦସ୍ୟା ଶ୍ରୀମତୀ ସୁରମା ପାଢୀ କହିଛନ୍ତି।
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାତ୍ର ଜଣେ ଶିଶୁରୋଗ ବିଶେଷଜ୍ଞ ରହିଛନ୍ତି। ବର୍ତମାନର ସ୍ଥିତିରେ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ ଓ କଟକସ୍ଥିତ ଏସସିବି ମେଡିକାଲ କଲେଜ ଓ ହସପିଟାଲରୁ ଆଉ ତିନି ଜଣ ଶିଶୁ ରୋଗ ବିଶେଷଜ୍ଞଙ୍କୁ ଅଣା ଯାଇଛି। ତେବେ ଏଭଳି ମହାମାରୀ ଭଳି ସ୍ଥିତିରେ ଚାରି ଜଣ ଶିଶୁ ରୋଗ ବିଶେଷଜ୍ଞ ଯଥେଷ୍ଟ ନୁହନ୍ତି ବରଂ ଅଧିକ ଶିଶୁ ରୋଗ ବିଶେଷଜ୍ଞଙ୍କର ଆବଶ୍ୟକତା ରହିଛି ବୋଲି ଶ୍ରୀମତୀ ପାଢୀ କହିଛନ୍ତି।

ଏହା ବ୍ୟତୀତ ପ୍ରଶାସନ ଜିଲ୍ଲାର ଆଭ୍ୟନ୍ତରୀଣ ଅଂଚଳରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରୁ ଏମବିବିଏସ ଡାକ୍ତରମାନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆଣିଛନ୍ତି। ଏହା ଦ୍ୱାରା ଉକ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଡାକ୍ତରଶନ୍ୟ ହୋଇ ଯାଇଛି। ବର୍ତମାନ ଯେଭଳି ପରିସ୍ଥିତି ରହିଛି ସେଥିରେ ଆଭ୍ୟନ୍ତରୀଣ ଅଂଚଳରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ଡାକ୍ତରଶୂନ୍ୟ ହେବା ଅତ୍ୟନ୍ତ ବିପଦପୂର୍ଣ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୩ ଜଣ ଡାକ୍ତର ରହିବା କଥା ମାତ୍ର ସେଠାରେ ବିଶେଷଜ୍ଞ ଡାକ୍ତରମାନଙ୍କ ସମେତ ମୋଟ ୭ ଜଣ ଡାକ୍ତର ଅଛନ୍ତି। ସେହିପରି ମାଲକାନଗିରି ଜିଲ୍ଲାରେ ମୋଟ ୧୧୫ ଟି ଡାକ୍ତର ପଦବୀ ରହିଥିବା ବେଳେ ମାତ୍ର ୫୨ ଜଣ ଡାକ୍ତର କାମ କରୁଛନ୍ତି। ରାଜ୍ୟ ସରକାର ମାଲକାନଗିରି ଜିଲ୍ଲାରେ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ ୫୦ ହଜାର ଔଷଧଯୁକ୍ତ ମଶାରୀ ବଂଟନ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିଥିବା ଦାବି କରୁଥିବା ବେଳେ ଜିଲ୍ଲା ଚିକିତ୍ସାଧିକାରୀ ଏପରି ମଶାରୀ ସେମାନଙ୍କୁ ମିଳି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଦ୍ୱାରା ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ତରଫରୁ ସ୍ଥାନୀୟ ବଜାରରୁ ୩ ହଜାର ମଶାରୀ କିଣି ତାହାକୁ ବିତରଣ କରିଛନ୍ତି। ଏପରି ସ୍ଥିତିରେ ବିନା ମଶାରୀରେ ଏହି ରୋଗକୁ ପ୍ରତିକାର କିପରି କରାଯାଇ ପାରିବ ବୋଲି ଶ୍ରୀମତୀ ପାଢୀ ପ୍ରଶ୍ନ କରିଛନ୍ତି।
ଘୁଷୁରୀ ମାନଙ୍କୁ ଜନବସତିରୁ ସର୍ବନିମ୍ନ ୩ କିମି ଯାଏ ଅଲଗା କରିବା ପାଇଁ ପଦକ୍ଷେପ ନେଇଥିବା କଥା ରାଜ୍ୟ ସରକାର ଦାବି କରୁଥିବା ବେଳେ ବାସ୍ତବରେ ସ୍ଥିତି ଏପରି ନାହିଁ। ପଶୁ ପାଳନ ବିଭାଗ ଓ ଜଙ୍ଗଲ ବିଭାଗ ପକ୍ଷରୁ ଏହି କାମ କରାଯିବାର ଦାୟିତ୍ୱ ଥିବା ବେଳେ ବିଭାଗ ଦ୍ୱୟ ଏ ସମ୍ପର୍କରେ କାମ ଆରମ୍ଭ କରି ନାହାନ୍ତି। ସ୍ଥାନୀୟ ଲୋକମାନେ ନିଜସ୍ୱ ଉଦ୍ୟମରେ ଘୁଷୁରୀମାନଙ୍କୁ ସ୍ଥାନାନ୍ତରିତ କରୁଥିବାବେଳେ କିଛି ସରକାରୀ କର୍ମଚାରୀଙ୍କ କଥାରେ ପଡି ବ୍ୟାପକ ଭାବେ ଗୃହପାଳିତ ଘୁଷୁରିମାନଙ୍କୁ ହତ୍ୟା କରୁଛନ୍ତି।
ରାଜ୍ୟ ସରକାର ସୁଚିନ୍ତିତ ଭାବେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଅପପ୍ରଚାର ଚଳାଇଛି ଯେ ମାଲକାନଗିରି ଜିଲ୍ଲାରେ ଏହି ରୋଗର ଟୀକାକରଣ କେନ୍ଦ୍ର କରାଇ ଦେଉ ନାହିଁ। ଏଠାରେ ଉଲ୍ଲେଖ କରିବା ଆବଶ୍ୟକ ଯେ ରାଜ୍ୟ ସରକାରଙ୍କର ନିର୍ଦେଶକ (ସ୍ୱାସ୍ଥ୍ୟ ସେବା) ସ୍ପଷ୍ଟ ଭାବେ କହି ସାରିଛନ୍ତି ଯେ ବର୍ତମାନ ପରିସ୍ଥିତିରେ ଟୀକାକରଣ କରାଯାଇ ପାରିବ ନାହିଁ। ଏହା ପରେ ମଧ୍ୟ ଏପରି ଅପ ପ୍ରଚାର କରାଯିବା ରାଜ୍ୟ ସରକାରଙ୍କ ହୀନ ମାନସିକତା ବୋଲି ଶ୍ରୀମତୀ ପାଢୀ କହିଛନ୍ତି।
ଏହି ରୋଗ ପ୍ରଥମ ଥର ପାଇଁ ମାଲକାନଗିରି ଜିଲ୍ଲାରେ ୨୦୧୧ ମସିହାରେ ଦେଖା ଦେଇଥିଲା। ୨୦୧୨ରେ ଏହି ରୋଗରେ ଅନେକ ଶିଶୁ ପୀଡିତ ହୋଇଥିଲେ। ଏଭଳି ପରିସ୍ଥିତିରେ ୨୦୧୧ରୁପ ୨୦୧୬ ମଧ୍ୟରେ ଅନୁକୂଳ ସମୟରେ କାହିଁକି ଟୀକାକରଣ ରାଜ୍ୟ ସରକାର କରାଇଲେ ନାହିଁ ବୋଲି ଶ୍ରୀମତୀ ପାଢୀ ପ୍ରଶ୍ନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କଲେଜ ନିର୍ବାଚନ ପାଇଁ ଦଳୀୟ ନେତା ଏବଂ ମନ୍ତ୍ରୀମାନଙ୍କୁ ଦାୟୀତ୍ୱ ଦେଉଥିବାବେଳେ ରାଜ୍ୟରେ ଶିଶୁମଡକ ଭଳି ସମ୍ବେଦନ ଘଟଣା ପାଇଁ ଆଦୈା ଚିନ୍ତିତ ନୁହନ୍ତି। ଏଭଳି ସଂକଟ ସମୟରେ ମୁଖ୍ୟମନ୍ତ୍ରୀ ଛୁଟି କଟେଇବା ପାଇଁ ରାଜ୍ୟ ବାହାରେ ଅଛନ୍ତି। ଏହା ତାଙ୍କର ଅସମ୍ବେଦନଶୀଳତା ଏବଂ ଦାୟୀତ୍ୱହୀନତାର ପରିଚୟ ବୋଲି ଶ୍ରୀମତୀ ପାଢୀ କହିଛନ୍ତି।
ଉକ୍ତ ସମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ସୁରମା ପାଢୀ, ରାଜ୍ୟ ପ୍ରବକ୍ତା ସଜ୍ଜନ ଶର୍ମା, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ଏବଂ ରାୟଗଡା ଜିଲ୍ଲା ସଭାପତି ଓ ପ୍ରତିନିଧି ଦଳର ସଦସ୍ୟ ଶିବଶଙ୍କର ଉଲାକା ପ୍ରମୁଖ ଉପସ୍ଥିତ ଥିଲେ।

Share in top social networks!