“ବିଜେଡି ସରକାର ରାଜ୍ୟକୁ ଲଜ୍ଜା” ପ୍ରତିବାଦରେ ସବୁ ସବଡିଭିଜନ ସଦର ମହକୁମାରେ ପବିତ୍ର ଗାନ୍ଧୀ ଜୟନ୍ତୀରେ ସତ୍ୟାଗ୍ରହ ଆୟୋଜନ କରିବ ବିଜେପି

bjpmediaପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ “ବିଜେଡି ସରକାର ରାଜ୍ୟକୁ ଲଜ୍ଜା” ପ୍ରତିବାଦରେ ସବୁ ସବଡିଭିଜନ ସଦର ମହକୁମାରେ ସତ୍ୟାଗ୍ରହର ଆୟୋଜନ କରିବ ବୋଲି ବିଜେପି ତରଫରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ନବୀନ ସରକାର ସ୍ଥାଣୁ, ଅପାରଗ ଓ ଅସମ୍ବେଦନଶୀଳ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ , ମନ୍ତ୍ରୀ ଓ ବିଧାୟକଙ୍କ ଅପକର୍ମ , ଅପରାଧ ଓ ଅପାରଗତାକୁ ଘୋଡାଇବାକୁ ଶାସକ ବିଜେଡି ବିଭିନ୍ନ ପ୍ରସଙ୍ଗରେ ଆନେ୍ଦାଳନର ସୁଆଙ୍ଗ କରୁଛି ବୋଲି ବିଜେପି କହିଛି। ବିଜେଡିର ଏହି ସୁଆଙ୍ଗର ପର୍ଦାଫାସ କରି ରାଜ୍ୟରେ ୧୭ ବର୍ଷର ବିଜେଡି ସରକାର କାରଣରୁ ଲୋକଙ୍କ ଦୁଃଖ ଓ ଦୁର୍ଦଶାକୁ ଲଜ୍ଜା ଗଣଧାରଣା ମାଧ୍ୟମରେ ଦଳ ଲୋକଙ୍କ ପାଖକୁ ଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ମିଥ୍ୟା ତଥ୍ୟର ସୌଦାଗର ସାଜିଛନ୍ତି। ତିନି ବର୍ଷରେ ତିନି ଲକ୍ଷ ଘର ନିର୍ମାଣ କରି ଦଶ ଲକ୍ଷ ଘରର ମିଛ ଦାବି କରୁଛନ୍ତି। ତିନି ଲକ୍ଷ ଘରରୁ ଅଢେଇ ଲକ୍ଷ ଘର କେନ୍ଦ୍ରୀୟ ଯୋଜନାରେ ନିର୍ମିତ ହୋଇଛି। ଗତ ଦୁଇ ବର୍ଷରେ ତିନି ଲକ୍ଷ ହେକ୍ଟର ଜମିକୁ ଜଳ ସେଚନ ସୁବିଧା ପହଂଚି ସାରିଥିବାର ଦାବି କରୁଥିବା ବେଳେ ମାତ୍ର ୫୦ ହଜାର ହେକ୍ଟର ଜମିକୁ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ଜଳ ସେଚନ ପହଂଚିଥିବା ବିଧାନସଭାରେ ସ୍ୱୀକାର କରିଛନ୍ତି।
ଚାଷୀଙ୍କୁ ଏକ ପ୍ରତିଶତ ହାରରେ ସୁଧ ମିଥ୍ୟା ପ୍ରହସନ। କେନ୍ଦ୍ର ସରକାର ୮ ପ୍ରତିଶତ ସୁଧ ପ୍ରଦାନ କରୁଥିବା ବେଳେ ରାଜ୍ୟ ସରକାର ମାତ୍ର ୩ ପ୍ରତିଶତ ସୁଧ ପ୍ରଦାନ କରୁଛି ହିତାଧିକାରୀ ୧ ପ୍ରତିଶତ ସୁଧ ଦେଉଛି। ଏହା ସତ୍ୱେ ରାଜ୍ୟ ସରକାର ଚାଷୀଙ୍କୁ ୧ ପ୍ରତିଶତ ହାରରେ ସୁଧ ଯୋଗାଇଦେଉଥିବା ଦାବି କରିବା ମିଥ୍ୟା ତଥ୍ୟର ସୌଦାଗରଙ୍କ କାମ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
୪୨ ପ୍ରତିଶତ ଲୋକଙ୍କ ଘରେ ବିଜୁଳି ପହଂଚି ନାହିଁ। ମୋଟ ୨ ପ୍ରତିଶତ ଲୋକଙ୍କ ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଂଚିଛି। ଗ୍ରାମାଂଚଳରେ ୮୫ ପ୍ରତିଶତ ଘରେ ପାଇଖାନା ନାହିଁ। ଏହା ରାଜ୍ୟର ବିକାଶର ଲଜ୍ଜାକର ସ୍ଥିତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ରାଜରାସ୍ତାରେ ମହିଳାମାନେ ପ୍ରସବ ବେଦନାରେ ଛଟପଟ ହୋଇ ସନ୍ତାନ ଜନ୍ମ କରିବା ଦୈନିକ ସାମ୍ନାକୁ ଆସୁଛି । ବେତା ଓ ଖଟିଆରେ ମଣିଷଙ୍କ କାନ୍ଧରେ ରୋଗୀ ମାନେ ଡାକ୍ତରଖାନା ବୁହା ହେବା ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳର ନିତିଦିନିଆ ଚିତ୍ର ରାଜ୍ୟକୁ ଲଜ୍ଜା ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ସ୍କୁଲରେ ଶିକ୍ଷକ ନାହାନ୍ତି, ଡାକ୍ତରଖାନା ଡାକ୍ତରଶୂନ୍ୟ, ପିଇବା ପାଣିର ଘୋର ସମସ୍ୟା, ମହିଳା ମାନଙ୍କ ସୁରକ୍ଷା ଓ ଆଇନ ଶୃଙ୍ଖଳା ସଙ୍କଟରେ ଏହା ରାଜ୍ୟର ଅସଲ ଚିତ୍ର । ୧୭ ବର୍ଷର ଶାସନରେ ଓଡିଶାର ଲୋକ ମାନଙ୍କ ପାଖରେ ବିକାଶ ପହଂଚାଇବା ପାଇଁ ବିଜେଡି ସରକାର ସମ୍ପୂର୍ଣ ରୂପେ ବିଫଳ ହୋଇଥିବା ବେଳେ ଦଳ ଜନମତକୁ ବିଭ୍ରାନ୍ତ କରିବା ପାଇଁ ନାଟକ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଚିଟ ଫଣ୍ଡ ଦଲାଲୀ ମାମଲାରେ ଦଳର ଏମପି ଜେଲରେ ଓ ବିଧାୟକ ବେଲରେ ଅଛନ୍ତି। ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବିଧାୟକଙ୍କ ଅପକର୍ମ, ଅପରାଧ ଓ ଅପାରଗତାକୁ ଘୋଡାଇବାକୁ ଶାସକ ବିଜେଡି ବିଭିନ୍ନ ପ୍ରସଙ୍ଗରେ ଆନେ୍ଦାଳନର ସୁଆଙ୍ଗ କରୁଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ନିକଟରେ ନବୀନ ନିବାସ ସାମନାରେ ଆତ୍ମାହୁତି ଦେବା ପରେ ମୃତ୍ୟୁବରଣ କରିଥିବା ହୋମଗାର୍ଡ ସନ୍ଦୀପ ହାତୀ, କଳାହାଣ୍ଡିର ଦାନ ମାଝି ପତ୍ନୀର ମୃତ ଶରୀରକୁ କାନ୍ଧରେ ବୋହିବା, ଶିଳ୍ପ ସମୃଦ୍ଧ ଯାଜପୁରର ନଗଡାର ଶିଶୁ ମଡକ ଓ ପରେପରେ ନଗଡା ପରି ଅନେକ ଗ୍ରାମର ଚିତ୍ର, କନ୍ଧମାଳ ଜିଲ୍ଲା ଗୁମୁଡୁମାହାରେ ପୋଲିସ୍ ଦ୍ୱାରା ଆଦିବାସୀ ଓ ଦଳିତଙ୍କୁ ଗୁଳିକରି ହତ୍ୟା ପରର ଚିତ୍ର ରାଜ୍ୟ ସରକାରଙ୍କ ବିଫଳତାକୁ ସ୍ପଷ୍ଟ କରୁଛି । ଏପରିକି ରାଜ୍ୟ ଗୃହ ବିଭାଗ ମୁଖ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବାସଭବନରୁ ମାତ୍ର ଅଳ୍ପ ଦୂରରେ ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଲୁଟ ଘଟଣା ରାଜ୍ୟର ବିପର୍ଯ୍ୟସ୍ଥ ଆଇନ ଶୃଙ୍ଖଳାକୁ ସ୍ପଷ୍ଟ କରିଛିବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଏହା କେବଳ ଘୋଷଣା ସର୍ବସ୍ୱ ସରକାର। ବିକାଶର ଲାଭ ତଳସ୍ତରରେ ଥିବା ଗାଁ- ଗରୀବ ମହିଳା, କୃଷକ, ବେକାର, ଆଦିବାସୀ- ଦଳିତ ପାଖରେ ପହଂଚୁ ନ ଥିବାରୁ ଓଡିଶାର ଏହି ଲଜ୍ଜାଜନକ ସ୍ଥିତିର ଖଳନାୟକ ନବୀନ ପଟ୍ଟନାୟକ ସରକାରଙ୍କର ୧୭ ବର୍ଷର ଶାସନ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନଙ୍କ ସହିତ ରାଜ୍ୟ ସଂପାଦକ ଶ୍ରୀ କାଳନ୍ଦୀ ସାମଲ ଏବଂ ଶ୍ରୀ ଦିଲୀପ ମଲ୍ଲିକ ଉପସ୍ଥିତ ଥିଲେ।

Share in top social networks!