ଦାବି ପୂରଣ ପାଇଁ ରାସ୍ତାକୁ ଓଲ୍ଲାଇବ ଓଡିଶା ଫାର୍ମାସିଷ୍ଟ ସେବା ସଂଘ

pharamaଫାର୍ମାସିଷ୍ଟମାନଙ୍କ ଦୀର୍ଘ ଦିନର ଦାବିକୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି। ଏହାର ପ୍ରତିବାଦରେ ଓଡିଶା ଫାର୍ମାସିଷ୍ଟ ସେବା ସଂଘ ରାଜ ରାସ୍ତାକୁ ଓହ୍ଲାଇବ। ଆସନ୍ତା ମାସ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବାସ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସୂଚନା ଦେଇଛନ୍ତି ସଂଘର ସଭାପତି ଜଳଧର ସେଠୀ ଓ ସଂପାଦକ ଦିପ୍ତୀରଞ୍ଜନ ସ୍ୱାଇଁ।
ଗୁରୁବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସେଠୀ ଓ ଶ୍ରୀ ସ୍ୱାଇଁ କହିଛନ୍ତି ଯେ, ରାଜ୍ୟରେ ୧୨୨୮ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟରୁ ପ୍ରାୟ ୯୦୦ କେନ୍ଦ୍ରରେ ଡାକ୍ତର ନଥାନ୍ତି। ଏଠାରେ ରୋଗୀମାନଙ୍କ ସ୍ୱାସ୍ଥ୍ୟସେବାରେ ସହାୟକ ହୁଅନ୍ତି ଫାର୍ମାସିଷ୍ଟ। ସେହିପରି ୧୫୦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା। ବିନା ଛୁଟିରେ ଫାର୍ମାସିଷ୍ଟମାନେ କର୍ତ୍ତବ୍ୟ ସଂପାଦନ କରନ୍ତି। ଏହାସତ୍ତ୍ୱେ ଫାର୍ମାସିଷ୍ଟମାନଙ୍କ ନ୍ୟାର୍ଯ୍ୟ ଦାବି ପୂରଣ ହେଉନି। ଏ ସଂପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ହେଁ ତାହାକୁ ଅଣଦେଖା କରାଯାଉଛି। ଏହାର ପ୍ରତିବାଦରେ ଫାର୍ମାସିଷ୍ଟ ସେବା ସଂଘ ରାଜ ରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। ଆଗାମୀ ଅକ୍ଟୋବର ୩ ତାରିଖ ଦିନ ଫାର୍ମାସିଷ୍ଟମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବେ। ଏହାଛଡା ସଂଘର କର୍ମକର୍ତ୍ତମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନବୀନ ନିବସ ସମ୍ମୁଖରେ ଧାରଣା ଦେବେ ବୋଲି ନିଷ୍ପତ୍ତି ହୋଇଛି।
ସେମାନେ କହିଲେ ଯେ, ୧୯୮୬ ମସିହା ରାଜ୍ୟ ବେତନ ନିର୍ଦ୍ଧାରଣ ପରଠାରୁ ଫାର୍ମାସିଷ୍ଟମାନଙ୍କ ଦରମା ହାରରେ ଅସଙ୍ଗତି ରହିଛି। ସେହିପରି ଗ୍ରେଡେସନ ତାଲିକା ୧୬ବର୍ଷ ହେଲା ହୋଇନଥିବାରୁ ପଦୋନ୍ନତି ମିଳୁନାହିଁ। ଠିକା ନିଯୁକ୍ତି ପାଇଥିବା ଫାର୍ମାସିଷ୍ଟମାନଙ୍କୁ ୬ବର୍ଷରେ ସ୍ଥାୟୀ କରାଯିବାର ବ୍ୟବସ୍ଥା ଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଉନି। ୧୨ବର୍ଷ କାର୍ଯ୍ୟ କରିଥିବା ଫାର୍ମାସିଷ୍ଟମାନଙ୍କୁ ଏବେବି ଠିକା କର୍ମଚାରୀଭାବେ ବିବେଚନା କରାଯାଉଛି। ପାରିଶ୍ରମିକ ବୃଦ୍ଧି କରାଯାଉନାହିଁ। ଏହିପରି ସଂଘର ଅନେକ ଦାବି ରହିଛି। ଯାହା ପୂରଣ କରିବାକୁ ପ୍ରୟାସ କରାଯାଇନଥିବାରୁ ଫାର୍ମାସିଷ୍ଟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜ୍ୟ ସରକାର ଦାବି ଗୁଡିକୁ ବିଚାରକୁ ନେଇ ତୁରନ୍ତ ପୂରଣ କରିବାକୁ ପଦକ୍ଷେପ ନେବାକୁ ସଂଘର କର୍ମକର୍ତ୍ତମାନେ ଦାବି କରିଛନ୍ତି। ନଚେତ୍‌ ରାଜରାସ୍ତାକୁ ଓହ୍ଲାଇବାକୁ ସେମାନେ ବାଧ୍ୟହେବେ ବୋଲି ଉଭୟ ଶ୍ରୀ ସେଠୀ ଓ ଶ୍ରୀ ସ୍ୱାଇଁ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସଂଘର କୋଷାଧ୍ୟକ୍ଷ ବନିତା ଜେନା ପାଟ୍ଟଶାଣୀ, ସହ ସଂପାଦକ ଶକ୍ତିକାନ୍ତ ତରାଇ ଓ ଉପଦେଷ୍ଟା ଅକ୍ଷୟ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ।

Share in top social networks!