ସରିଗଲା ‘ଅପରେସନ ମୁଷ୍କାନ’: ପୁଣି ଘୁଷୁରି ପଛରେ ହି ହୃ କରି ଜୀବନ ସଂଗ୍ରାମ କରୁଛନ୍ତି ଶିଶୁ ଶ୍ରମିକ

childdଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ସରକାରଙ୍କ ପକ୍ଷରୁ ଅପରେସନ ମୁଷ୍କାନ ଜରିଆରେ ପଦକ୍ଷେପ ନିଆଯାଇଥିଲା। ଯାହା ଫଳରେ ବିଭିନ୍ନ ସ୍ଥାନରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବହୁ ନାବାଳକ ଶ୍ରମିକ ମାନଙ୍କୁ ଜିଲା ପୁଲିସ ବିଭିନ୍ନ ଥାନା ଅଂଚଳରୁ ଉଦ୍ଧାର କରି କିଛି ଜଣଙ୍କୁ ସେମାନଙ୍କ ପରିବାର ଜିମା ଦେବା ସହିତ ୧୭୪ ଜଣ ନାବାଳକଙ୍କୁ ଶିଶୂ ମଙ୍ଗଳ କମିଟି ନିକଟରେ ହାଜର କରିଥିଲା। ପୁଲିସ ତାର କ୍ଷମତା ଭିତରେ ଏତିକି କାମ କରି ନିଜ ଦାୟିତ୍ୱ ନିର୍ବାହ କରି ସାରିଛି।

ହେଲେ ପୁଲିସ ପାଖରେ ଏହା ଛଡା ଅଧିକ କିଛି କ୍ଷମତା ନଥିବାରୁ ଆଉ କିଛି କରି ପାରିନାହିଁ। ଅପରେସନ ମୁଷ୍କାନ ଜରିଆରେ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ଦ୍ୱାରା ଶିଶୁ ମାନଙ୍କୁ କାମରେ ନିୟୋଜିତ କରୁଥିବା ବ୍ୟକ୍ତି ବିଶେଷ ପୁଲିସ ଭୟରେ ସେମାନଙ୍କୁ କାମରେ ରଖୁନଥିବା ଦେଖିବାକୁ ମିଳିଥିଲା। କିଛି ଦିନ ହେଲା ଏହି କାର୍ଯ୍ୟକ୍ରମ ବନ୍ଦ ହେବା ଦ୍ୱାରା ଶିଶୁ ମାନଙ୍କୁ କାମରେ ନିୟୋଜିତ କରୁଥିବା ବ୍ୟକ୍ତିମାନେ ପୁଣି ଚଳ ଚଂଚଳ ହୋଇ ଉଠିଛନ୍ତି। ଫଳରେ ବହୁ ସ୍ଥାନରେ ଏହି ଶିଶୁ ଶ୍ରମିକମାନେ ପୁନର୍ବାର କାମରେ ନିୟୋଜିତ ହେଉଥିବା ଦେଖିବାକୁ ମିଳିଲାଣି। ହୋଟେଲ ଓ ଜଲଖିଆ ଦୋକାନରେ ପୁଣି ଏହି ଗରିବ ଶିଶୁ ମାନେ ଅଇଁଠା ବାସନ ଉଠାଇବା ସହିତ ଟେବୁଲ ପୋଛିବା କାର୍ଯ୍ୟରେ ନିୟୋଜିତ ହେଲେଣି। ଏହା ଛଡା ପୁନର୍ବାର ଏହି ଶିଶୁ ଶ୍ରମିକମାନେ ଘୁଷୁରି ଜଗିବା କାର୍ଯ୍ୟରେ ମଧ୍ୟ ନିୟୋଜିତ ହେଲେଣି। ଆଜି ମଧ୍ୟାହ୍ନରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା

ବରୁଆଁ-ଯାଜପୁର ରାସ୍ତା କଡରେ। ଦୁଇଜଣ ନାବାଳକ ଶିଶୁ ଶ୍ରମିକ ଶହେରୁ ଉଦ୍ଧ୍ୱର୍ ଘୁଷୁରିଙ୍କୁ ଗୋଡାଇ ଚାଲିଥିଲାବେଳେ ସେମାନଙ୍କ ଗୋଟିଏ ହାତରେ ଚପଲ ଓ ଅନ୍ୟ ହାତରେ ବାଡି ଥିଲା। ଉଭୟ ହି ହୃ କହି ଛିଣ୍ଡା ଜାମା ପ୍ୟାଂଟ ପିନ୍ଧି ନିଜ ଜୀବନ ସଂଗ୍ରାମକୁ ଠିକ ଭାବରେ ପାଲନ କରିବାକୁ ଏ ବିଲରୁ ସେ ବିଲ ଘୁଷୁରି ପଛରେ ଦୈାଡୁଥିଲେ। ରାସ୍ତା କଡକୁ ଆସିଲାବେଳେ ଜଣେ ନାବାଳକ ଶ୍ରମିକର ଟିକିଏ ଭୁଲ ପାଇଁ ମାଲିକ ଖୁବ ବିରକ୍ତ ହେବା ଦେଖିବାକୁ ମଧ୍ୟ ମିଳିଥିଲା। ଘୁଷୁରି ବ୍ୟବସାୟ ଏକ ଲାଭ ଜନକ ବ୍ୟବସାୟ ହୋଇଥିଲାବେଳେ ଜିଲାର ବହୁ ସ୍ଥାନରେ ଏହି ବ୍ୟବସାୟ କରାଯାଉଛି। ଏହି କାମରେ ନିୟୋଜିତ ହେଉଥିବା ଶ୍ରମିକ ଅଧିକ ଟଙ୍କା ନେଉଥିବାରୁ ମାଲିକମାନେ ଅଳ୍ପ ଖର୍ଚ୍ଚରେ ଶିଶୁ ଶ୍ରମିକ ମାନଙ୍କୁ ନିୟୋଜିତ କରି ଅଧିକ ଅର୍ଥ ରୋଜଗାର କରୁଛନ୍ତି।

ବିଶେଷ କରି ଭଦ୍ରକ ଅଂଚଳର ଗରିବ ପିଲାମାନଙ୍କୁ ଦଲାଲଙ୍କ ଜରିଆରେ ଆଣି ଏହି କାର୍ଯ୍ୟରେ ନିୟୋଜିତ କରାଯାଉଛି। କିଛି ଦଳାଲ ଏହି କାରବାରରେ ସଂପୃକ୍ତ ରହି ବେଶ ଭଲ ଅର୍ଥ ନେଇ ଏହି ନାବାଳକ ମାନଙ୍କୁ କାମରେ ନିୟୋଜିତ କରୁଥିବା ଅନୁସନ୍ଧାନରୁ ଜଣାଯାଇଛି। ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ଗରିବ ପିଲାମାନଙ୍କୁ ଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ସ୍ୱାବଲମ୍ଭି କରିବାକୁ ଯୋଜନା ଆଙ୍କୁଥିଲା ବେଳେ ଏହି ପିଲାମାନେ କିଭଳି ଶିଶୁ ଶ୍ରମିକ ଭାବେ ଜୀବନ ସଂଗ୍ରାମ କରୁଛନ୍ତି ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଜରୁରୀ ହୋଇଛି। କେବଳ ଅପରେସନ ମୁଷ୍କାନ ଜରିଆରେ ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ତାଙ୍କ ପରିବାର ନିକଟରେ ଛାଡି ଦେବା ବଦଳରେ ଏହି ଶିଶୁ ମାନଙ୍କୁ ଶ୍ରମିକ ସଜାଉଥିବା ବ୍ୟକ୍ତି ବିଶେଷ ଓ ଦଲାଲ ମାନଙ୍କ ବିରୁଦ୍ଧରେ ପ୍ରଶାସନ ଦୃଢ ପଦକ୍ଷେପ ନେବା ଜରୁରୀ ବୋଲି ସମାଜସେବୀ ଡ. ସୁରେଶ ଚନ୍ଦ୍ର ଦଳାଇ ,ଲାୟନ ଡ. ମଂଜୁର ଅଲ୍ଲୀ ମତବ୍ୟକ୍ତ କରିଛନ୍ତି ।

Share in top social networks!