ରାଜ୍ୟରେ ଆଇସିଡିଏସ ଓ ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁଗ୍ଧକୁ ସାମିଲ କରିବାକୁ କେନ୍ଦ୍ର ଦେଇଛି ପରାମର୍ଶ – ଧର୍ମେନ୍ଦ୍ର ପ୍ରଧାନ

dpji
- ମଧ୍ୟ ପ୍ରଦେଶ ଓ ମହାରାଷ୍ଟ୍ରରେ ଲାଗୁ ହୋଇ ସାରିଛି ଏହି ସୁବିଧା
- ଓଡିଶାରେ ଲାଗୁ ହେଲେ ପୁଷ୍ଟି ନିରାପତା ସହ ଦୁଗ୍ଧ ଚାଷୀ ହେବେ ଉପକୃତ

କେନ୍ଦ୍ର ପେଟ୍ରୋଲିୟମ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ କେନ୍ଦ୍ର କୃଷି ମନ୍ତ୍ରଣାଳୟ ତରଫରୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖାଯାଇ ରାଜ୍ୟରେ ଅଙ୍ଗନବାଡି କେନ୍ଦ୍ର ଓ ସ୍କୁଲରେ ମଧ୍ୟାହ୍ନ ଭୋଜନ ଯୋଜନାରେ ଦୁଗ୍ଧକୁ ସାମିଲ କରିବାକୁ ପରାମର୍ଶ ଦିଆ ଯାଇଛି।
ଶ୍ରୀ ପ୍ରଧାନ ଏକ ପ୍ରେସ ବିବୃତିରେ କହିଛନ୍ତି ଯେ ସେ ଓଡିଶା ଦୁଗ୍ଧ ଚାଷୀ ସଂଘର ଏକ ଦାବି ପତ୍ରକୁ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂହଙ୍କ ପାଖକୁ ପଠାଇ ଦୁଗ୍ଧ ଚାଷୀ ମାନଙ୍କର ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। କୃଷି ମନ୍ତ୍ରୀ ରାଧାମୋହନ ସିଂହ ଶ୍ରୀ ପ୍ରଧାନଙ୍କୁ ଉତର ଲେଖି ଏ ବିଷୟରେ ସୂଚନା ଦେଇଥିବା ଶ୍ରୀ ପ୍ରଧାନ କହିଛନ୍ତିା

ରାଜ୍ୟରେ ଦୁଗ୍ଧ ଚାଷୀ ମାନଙ୍କୁ ଋଣ ସୁବିଧା ସମ୍ପର୍କରେ ସୂଚନା ଦେଇ ଭାରତ ସରକାରଙ୍କର ଦୁଗ୍ଧ ଉଦ୍ୟୋଗୀ ବିକାଶ ଯୋଜନା ( ଡାଏରି ଏଂଟରପ୍ରେନ୍ୟୋରସିପ ଡେଭଲପମେଂଟ ସ୍କିମ ) ଦ୍ୱାରା ସାଧାରଣ ବର୍ଗର ଦୁଗ୍ଧଚାଷୀ ମାନଙ୍କୁ ଋଣରେ ୨୫ ପ୍ରତିଶତ ରିହାତି ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଏହି ରିହାତି ହାର ୩୩.୩୩ ପ୍ରତିଶତ ଉପଲବ୍ଧ ଥିବା କହିଛନ୍ତି। ରାଜ୍ୟର ଅଧିକରୁ ଅଧିକ ଦୁଗ୍ଧଚାଷୀ ଏହାର ଲାଭ ନେବେ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି।

ଶ୍ରୀ ରାଧାମୋହନ ସିଂହ ତାଙ୍କ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ସରକାର ସମନ୍ୱିତ ଶିଶୁ ବିକାଶ ଯୋଜନା (ଆଇସିଡିଏସ) ଓ ସ୍କୁଲ ମାନଙ୍କରେ ମଧ୍ୟାହ୍ନ ଭୋଜନା କାର୍ଯ୍ୟକ୍ରମରେ ଦୁଗ୍ଧକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡିଶାରେ ଶିଶୁ ମାତୃ ମୃତ୍ୟୁ ହାର ତଥା ପୁଷ୍ଟିହୀନତା ଏକ ପ୍ରମୁଖ ସମସ୍ୟା ହୋଇଥିବା କାରଣରୁ ସରକାରୀ ଯୋଜନାରେ ଦୁଗ୍ଧକୁ ଅନ୍ତର୍ଭୁକ୍ତ କରାଗଲେ ଓଡିଶାର ପୁଷ୍ଟି ନିରାପତା ଦିଗରେ ଏକ ମହତ୍ୱପୂର୍ଣ ପଦକ୍ଷେପ ହୋଇ ପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Share in top social networks!