ମହାନଦୀ ଜଳ ବିବାଦରେ ଓଡିଶାର ସ୍ୱାର୍ଥକୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ – ଧର୍ମେନ୍ଦ୍ର ପ୍ରଧାନ

dpji
-୫୦ ଦଶକରେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ମହାନଦୀ ଜଳକୁ ନେଇ ଓଡିଶା ପାଇଁ ଯେତିକି
ଭାଗ ନିର୍ଣୟ ହୋଇଥିଲା ସେହି ଭାଗରେ କୌଣସି ପରିବର୍ତନ ହେବ ନାହିଁ
-ଅଣ ମୌସୁମୀ ସମୟରେ ଓଡିଶା ତାର ଭାଗର ବୁନ୍ଦାଏ ପାଣି କମିବ ନାହିଁ
- ଉମା ଭାରତୀ ଓଡିଶା ପ୍ରତି ପକ୍ଷପାତ ନୀତି ଅବଲମ୍ବନ ଅଭିଯୋଗ ଠିକ ନୁହେଁ ,ସମ୍ପୂର୍ଣ ବୈଠକ
କ୍ୟାମେରା ଆଗରେ ଅନୁଷ୍ଠିତ ହୋଇଛି ଏଥିରେ ଲୁଚାଇବାର କିଛି ବିଷୟ ନାହିଁ
- ମହାନଦୀ ପ୍ରସଙ୍ଗର ରାଜ୍ୟ ସରକାରଙ୍କ ମତ ଭିନ୍ନତା ରହିଛି
- ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ
-ପ୍ରଧାନମନ୍ତ୍ରୀଙ୍କ ଏହି ମାମଲାରେ ହସ୍ତକ୍ଷେପ ଦାବି ପ୍ରସଙ୍ଗରେ ଉତର, ପ୍ରଜାତନ୍ତ୍ରରେ କୌଣସି ବି
ସ୍ତରରେ କଥାବାର୍ତାକୁ ସ୍ୱାଗତ କରାଯିବା ଉଚିତ
ମହାନଦୀ ଜଳ ବିବାଦରେ ଓଡିଶାର ସ୍ୱାର୍ଥକୁ ପ୍ରଭାବିତ ହେବାକୁ ଦିଆଯିବ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ କହିଛନ୍ତି।

୫୦ ଦଶକରେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ ମହାନଦୀ ଜଳକୁ ନେଇ ଓଡିଶା ପାଇଁ ଯେତିକି ଭାଗ ନିର୍ଣୟ ହୋଇଥିଲା ସେହି ଭାଗରେ କୌଣସି ପରିବର୍ତନ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଏହା ଦୃଢ ଘୋଷଣା ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ସ୍ପଷ୍ଟ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶା ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ବୈଠକରେ ମଧ୍ୟସ୍ଥତାର ଭୂମିକା ନେଇ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସୁଶ୍ରୀ ଉମା ଭାରତୀ ଓଡିଶାକୁ ମହାନଦୀର ଜଳ ପ୍ରବେଶର ଅବ୍ୟବହିତ ପୂର୍ବରୁ ଗେଜ ଷ୍ଟେସନ ସ୍ଥାପନା କରି ଓଡିଶାକୁ ପ୍ରାପ୍ୟ ଜଳ ଆସୁଛି ନା ନାହିଁ ତାହାକୁ ସୁନିଶ୍ଚିତ କରିବା ପାଇଁ ଓଡିଶାବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ବର୍ଷା ଦିନେ ଓଡିଶାକୁ ମହାନଦୀର ପାଣି ନେଇ କୌଣସି ବିବାଦ ନାହିଁ, ମାତ୍ର ଅଣ ମୌସୁମୀ ସମୟରେ ଓଡିଶାତାର ଭାଗର ବୁନ୍ଦାଏ ପାଣି କମିବ ନାହିଁ ଏହାର ସ୍ପଷ୍ଟତା କେନ୍ଦ୍ର ସରକାରଙ୍କ ପାଖରେ ଅଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଅସହମତି ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କର ସମ୍ପୂର୍ଣ ଅଧିକାର ଅଛି ବୋଲି ଶ୍ରୀ ପ୍ରଧାନ କହିବା ସହ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ ଓଡିଶା ପ୍ରତି ପକ୍ଷପାତ ନୀତି ଅବଲମ୍ବନ କରୁଥିବା ସାମ୍ବାଦିକଙ୍କ ପ୍ରଶ୍ନରେ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ସମ୍ପୂର୍ଣ ବୈଠକ କ୍ୟାମେରା ଆଗରେ ଅନୁଷ୍ଠିତ ହୋଇଛି। ଏଥିରେ ଲୁଚାଇବାର କିଛି ବିଷୟ ନାହିଁ।

ମହାନଦୀ ପ୍ରସଙ୍ଗରେ ବିଜେପିରେ ଭିନ୍ନ ମତ ଥିବା ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ ବହୁ ତୁମ୍ବିତୋଫାନ କରି ଗତକାଲିର କ୍ୟାବିନେଟ ବୈଠକ ଆହୁତ କରାଯାଇଥିଲା। କରିବାକୁ କହିଥିଲେ କଣ ଓ କଲେ କଣ, ସରକାରଙ୍କ ମତ ଭିନ୍ନତା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।

ଗତ କାଲିର କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ପ୍ରଧାନ କହିଲେ ଯେ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ପାଇଁ କେନ୍ଦ୍ର ଓ ଛତିଶଗଡ ମତ ଦେଇଥିଲେ। ମାତ୍ର ଏହା ସତ୍ୟ ଯେ ଓଡିଶା ସରକାରଙ୍କ ଦାବି ଅନୁସାରେ କମିଟି ଗଢିବା ପାଇଁ କେନ୍ଦ୍ର ସମ୍ମତି ଦେଇଛି। ଜାଂଚ ପାଇଁ ଯେମିତି କମିଟି ଗଢିବାକୁ ରାଜ୍ୟ ଦାବି କରିଥିଲା ତାହା ମାନି ନିଆ ଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ନଦୀ ରାଜ୍ୟ ପ୍ରସଙ୍ଗ ହୋଇଥିବା କାରଣରୁ କେନ୍ଦ୍ର ସରକାରଙ୍କର ସାମ୍ବିଧାନିକ ସୀମା ଅଛି। ପୋଲାଭରମ ପ୍ରସଙ୍ଗରେ ଛତିଶଗଡ ସମସ୍ୟା ଭୋଗୁଥିବା ବେଳେ କେନ୍ଦ୍ର ସରକାର ବିଜେପି ଦଳର ହେଲା ପରେ ବି ତାଙ୍କ ଦାବିକୁ ମାନି ନେବା ସମ୍ଭବ ନୁହେଁ। ସାମ୍ବିଧାନିକ ସୀମା ସଂପର୍କରେ ରାଜ୍ୟ ସରକାରଙ୍କୁ ଜଣା ଅଛି ବୋଲି କହିବା ସହ ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ କିଏ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ମହାନଦୀ ଜଳ ନେଇ କେନ୍ଦ୍ର ଓଡିଶାକୁ ସମ୍ପୂର୍ଣ ଆଶ୍ୱସ୍ତ କରି ସାରିବା ପରେ ଯଦି ବିଜେଡି ସରକାର ଅସନ୍ତୁଷ୍ଟ ଅଛି ତେବେ କୋର୍ଟ ଓ ଟ୍ରିବ୍ୟୁନାଲ ରାସ୍ତାକୁ ଯିବାକୁ ଆପତି ନାହିଁ। ମାତ୍ର ପୋଲାଭରମ ମାମଲାରେ ମାମଲା କୋର୍ଟରେ ଥିବା ପରେ ବି ରାଜ୍ୟକୁ କଣ ସୁଫଳ ମିଳିଛି ବୋଲି ସେ ପ୍ରଶ୍ନ କରିଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ମାମଲାରେ ହସ୍ତକ୍ଷେପ ଦାବି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଜାତନ୍ତ୍ରରେ କୌଣସି ବି ସ୍ତରରେ କଥାବାର୍ତାକୁ ସ୍ୱାଗତ କରାଯିବା ଉଚିତ। କଥାବାର୍ତା ମାଧ୍ୟମରେ ହିଁ ସମାଧାନର ରାସ୍ତା ବାହାରି ପାରିବ ଓ ଏହା ହିଁ ପ୍ରଜାତାନ୍ତ୍ରିକ ପରମ୍ପରା ବୋଲି ସେ କହିଥିଲେ।

Share in top social networks!