ଓଡିଶାର ଲୋକଙ୍କୁ ଆଶ୍ୱସ୍ତ କରିବା ପରିବର୍ତେ ରାଜ୍ୟର ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛନ୍ତି ମୁଖ୍ୟମନ୍ତ୍ରୀ : ବିଜେପି

- ୫୦ ଦଶକରେ ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ଓଡିଶା ଓ ତକ୍ରାଳୀନ ମଧ୍ୟ ପ୍ରଦେଶ ମଧ୍ୟରେ ଜଳ ବିଭାଜନ ନେଇ ଯେଉଁ ଭାଗର ଯୋଜନା କରାଯାଇଥିଲା ଓଡିଶାକୁ ତାର ସେହି ଭାଗ କମିବାକୁ ଦିଆଯିବ ନାହିଁ
- ସରଜମିନ ତଦନ୍ତ କରି ଛତିଶଗଡ ନିୟମର ଉଲ୍ଲଂଘନ କରି ପ୍ରକଳ୍ପ କରିଥିଲେ ତାକୁ ବନ୍ଦ କରିବାକୁ କେନ୍ଦ୍ର ପରାମର୍ଶ ଦେବ ବୋଲି କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତି
- ଓଡିଶାର ସ୍ୱାର୍ଥ ସହ ସାଲିସ ହେବାକୁ ଦେବ ନାହିଁ ବିଜେପି
ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ସୁଶ୍ରୀ ଉମାଭାରତୀଙ୍କ ମଧ୍ୟସ୍ଥତାରେ ଓଡିଶା ଓ ଛତିଶଗଡର ମୁଖ୍ୟମନ୍ତ୍ରୀଙ୍କ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାର ଲୋକଙ୍କୁ ଆଶ୍ୱସ୍ତ କରିବା ପରିବର୍ତେ ରାଜ୍ୟର ଆତଙ୍କର ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଓ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ପ୍ରେସ ବିଜ୍ଞପ୍ତିରେ କହିଛନ୍ତି।
ବିଜେପି ନେତା ଦ୍ୱୟ କହିଛନ୍ତି ଯେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ବୈଠକ ସମୟରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ୫୦ ଦଶକରେ ହୀରାକୁଦ ଡ୍ୟାମ ନିର୍ମାଣ ସମୟରେ ଓଡିଶା ଓ ତକ୍ରାଳୀନ ମଧ୍ୟ ପ୍ରଦେଶ ମଧ୍ୟରେ ଜଳ ବିଭାଜନ ନେଇ ଯେଉଁ ଭାଗର ଯୋଜନା କରାଯାଇଥିଲା ଓଡିଶାକୁ ତାର ସେହି ଭାଗ କମିବାକୁ ଦିଆଯିବ ନାହିଁ।
ବିଜେପି କହିଛି ଯେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀଙ୍କର ଏହି ସ୍ପଷ୍ଟ ବୟାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଓଡିଶାର ସ୍ୱାର୍ଥ ପାଇଁ ପ୍ରତିଶ୍ରୁତି ପରେ ଓଡିଶାର ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିଭାଜନ ନେଇ ରାଜ୍ୟବାସୀଙ୍କ ମନରେ ଭୟ ସୃଷ୍ଟି କଲାଭଳି ବକ୍ତବ୍ୟ ଦେଇ କେବଳ ନିଜର କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତିା
ବିଜେପି ତରଫରୁ କୁହାଯାଇଛି ଯେ ଛତିଶଗଡ ଓ ଓଡିଶା ଉଭୟ ରାଜ୍ୟରେ କେଉଁ କେଉଁ ପ୍ରକଳ୍ପ ଗୁଡିକ ବୈଷୟିକ ପରାମର୍ଶଦାତା ସମିତିର ବିନା ଅନୁମୋଦନରେ ନିର୍ମାଣ ହୋଇଛି ତାକୁ ଅନୁଧ୍ୟାନ କରିବାକୁ କମିଟି ପଠାଯିବ ବୋଲି ସୁଶ୍ରୀ ଉମାଭାରତୀ କହିବା ସହ ଯେଉଁ ପ୍ରକଳ୍ପ ବିନା ଅନୁମୋଦନରେ ହୋଇଥିବ, ତାକୁ ବନ୍ଦ କରିବାକୁ ସେହି ରାଜ୍ୟକୁ କେନ୍ଦ୍ର ସରକାର ପରାମର୍ଶ ଦେବେ ବୋଲି ସ୍ପଷ୍ଟ କରିଛନ୍ତି।
ଛତିଶଗଡରେ ପ୍ରକଳ୍ପ କାମ ଦଶ ବର୍ଷରୁ ଉର୍ଧ ସମୟ ଧରି ଚାଲିଥିଲେ ମଧ୍ୟ ଓଡିଶା ସରକାର ଗତ ଜୁନ ମାସରେ ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ବୋଲି ଉମାଭାରତୀ କହିବା ସହ ଏ ବାବଦରେ ତୁରନ୍ତ ପଦକ୍ଷେପ ନିଆ ଯାଇଛି ବୋଲି କହିଛନ୍ତି।
କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ମହାନଦୀ ପାଇଁ ନୂଆ ଗେଜ ଷ୍ଟେସନ ସ୍ଥାପିତ କରିବାକୁ କେନ୍ଦ୍ର ଜଳ ଆୟୋଗକୁ ନିର୍ଦେଶ ଜାରୀ କରିବା ସହିତ ଛତିଶଗଡ- ଓଡିଶା ସୀମାରେ କେତିକି ଜଳ ହୀରାକୁଦ ଡ୍ୟାମକୁ ପ୍ରବାହିତ ହେଉଛି ତାକୁ ୨୪ ଘଂଟିଆ ମାପିବାର ବ୍ୟବସ୍ଥା କରି ଯେପରି ପୂର୍ବ ବର୍ଷ ମାନଙ୍କ ତୁଳନାରେ ଜଳ ପ୍ରବାହ କମ ହେବ ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଓଡିଶାର ସ୍ୱାର୍ଥ ସହିତ ସାଲିସ ହେବା ପାଇଁ ବିଜେପି ଦେବ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି।

Share in top social networks!