ଉଦ୍‌ଘାଟିତ ହେଲା କ୍ରୀଡ଼ା ସାମ୍ବାଦିକ ସଂଘର ଜାତୀୟ ସମ୍ମିଳନୀ

sonyyଇତିହାସ ରଚନା ପୂର୍ବକ ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ୩୯ତମ ବାର୍ଷିକ ଅଧିବେଶନ ବୁଧବାର ସ୍ଥାନୀୟ ମେ’ ଫେୟାର କନଭେନସନ୍‌ ହଲ୍‌ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଉଦ୍‌ଘାଟିତ ହୋଇଛି । ଏହା ସହ ଜେକେ ବୋଷ ଟ୍ରଫି ଉନ୍ମୋଚନ ଓ କନଭେନସନର ଦୈନିକ ବୁଲେଟିନ୍‌ ଭୁବନେଶ୍ୱର ରକ୍ସ ମଧ୍ୟ ଲୋକାର୍ପିତ ହୋଇଛି । ଦେଶ ସାରାର ପ୍ରାୟ ୧୦୦ଜଣ କ୍ରୀଡ଼ା ସାମ୍ବାଦିକ ଏହି ୫ଦିନିଆ ସମାରୋହରେ ସାମିଲ ହୋଇଛନ୍ତି । ରବିବାର ଯାଏଁ କି୍ରକେଟ, ଟେବୁଲ ଟେନିସ, ଫୁଟବଲ ଓ ବାସ୍କେଟବଲ୍‌ ମ୍ୟାଚରେ ସେମାନେ ପ୍ରତିଯୋଗିତା କରିବେ । ଗୁରୁବାରଠାରୁ ରବିବାର ଯାଏଁ ଅନୁଷ୍ଠିତ ହେବାକୁ ଥିବା ସେମିନାରରେ ଦୀପା କର୍ମକାର, ଗୀତ ସେଠୀ, ଦୂତୀ ଚାନ୍ଦ ଓ ପିଟି ଉଷାଙ୍କ ପରି ଖେଳାଳି ସାମିଲ ହେବେ ।

ବୁଧବାର ସନ୍ଧ୍ୟାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହ ଓ ଓସ୍‌ଜା ସଭାପତି କେ ରବିଙ୍କ ସ୍ୱାଗତ ଭାଷଣରୁ ଆରମ୍ଭ ହୋଇଥିଲା । ଓଡ଼ିଶା କିପରି ଖେଳ ଓ ଖେଳ ଭିତ୍ତିଭୂମିରେ ଆଗେଉଛି ତାହାର ସୂଚନା ଦେଇଥିଲେ ସେ । ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ରାଜ୍ୟ ସୂଚନା ପ୍ରସାରଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଖେଳର ପ୍ରସାର ଓ ବିକାଶ କ୍ଷେତ୍ରରେ କ୍ରୀଡ଼ା ସାମ୍ବାଦିକମାନଙ୍କର ବଡ଼ ଗୁରୁ ଦାୟିତ୍ୱ ରହିଛି ବୋଲି ବର୍ଣ୍ଣନା କରି ଆଜିକାର ଡିଜିଟାଲ ଯୁଗରେ କ୍ରୀଡ଼ା ସାମ୍ବାଦିକମାନଙ୍କ ପାଇଁ ରହିଥିବା ଚ୍ୟାଲେଞ୍ଜ ବିଷୟରେ କହିଥିଲେ । ସମ୍ମାନିତ ଅତିଥି କିଟ୍‌ ଓ କିସର ପ୍ରତିଷ୍ଠାତା ଡ. ଅଚୁ୍ୟତ ସାମନ୍ତ ଡେଲିଗେଟମାନଙ୍କୁ ସ୍ୱାଗତ କରି କ୍ରୀଡ଼ା ଭିତ୍ତିଭୂମିର ବିକାଶରେ କିଟର ଯୋଗଦାନ କଥା କହିଥିଲେ । ଜାତୀୟ କ୍ରୀଡ଼ା ସାମ୍ବାଦିକ ସଂଘର ସଭାପତି ସୁବୋଧ ମଲ୍ଲ ବରୁଆ, ସମ୍ପାଦକ ଏ ବିନୋଦ, କୋଷାଧ୍ୟକ୍ଷ ପ୍ରଶାନ୍ତ କେନି ଉପସ୍ଥିତ ଥିଲେ । ପରେ ଆନ୍ତର୍ଜାତିକ ଟେଷ୍ଟ କ୍ରିକେଟର ଦେବାଶିଷ ମହାନ୍ତି ଓ ବିସିସିଆଇ ମ୍ୟାଚ ରେଫରୀ ପ୍ରଶାନ୍ତ ମହାପାତ୍ରଙ୍କ ଉପସ୍ଥିତିରେ ୪ଜୋନର ଅଧିନାୟକମାନେ କରିଥିଲେ ଜେକେ ବୋଷ ଟ୍ରଫି ଉନ୍ମୋଚନ । ସମାରୋହର ଦୈନିକ ବୁଲେଟିନ୍‌ ଭୁବନେଶ୍ୱର ରକ୍ସ ମଧ୍ୟ ଉନ୍ମୋଚିତ ହୋଇଛି । ପରେ କୁଇଜ୍‌ କାର୍ଯ୍ୟକ୍ରମରେ ସବୁ ଡେଲିଗେଟ୍‌ ଅଂଶଗ୍ରହଣ କରିଥିଲେ ।

Share in top social networks!