ମହାନଦୀ ବିଜୁ ଜନତା ଦଳର ବ୍ୟକ୍ତିଗତ ସମ୍ପତି ନୁହେଁ,ବରଂ ଓଡିଶାବାସୀଙ୍କ ଜୀବନ ରେଖା : ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲା କେନ୍ଦ୍ର ମଧ୍ୟସ୍ଥତାରେ ଓଡ଼ିଶା ଓ ଛତିଶଗଡ଼ ବୈଠକରେ ସମାଧାନର ପଥ ବାହାରିବାର ସମ୍ଭାବନା ରହିଛି ବୋଲି ବିଜେପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଏହି ବୈଠକ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଥିବା କହିବା ସଙ୍ଗେ ସଙ୍ଗେ ଜନସାଧାରଣ ସମସ୍ୟାର ସମାଧାନ ପାଇଁ ପରାମର୍ଶ ଦେଲେ ସେ ସ୍ୱାଗତ କରିବେ ବୋଲି ଗତକାଲି ଏକ ବକ୍ତବ୍ୟରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ପରାମର୍ଶ ମାଗିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଆନ୍ତରିକତା ଉପରେ ଶ୍ରୀ ସିଂହଦେଓ ପ୍ରଶ୍ନ ଉଠାଇଛନ୍ତି ।

ପରାମର୍ଶ ମାଗିବା ପୂର୍ବରୁ ମହାନଦୀ ନେଇ ରାଜ୍ୟ ସରକାର ଯେଉଁ ପ୍ରସ୍ତୁତି କରିଛନ୍ତି ବୋଲି କହୁଛନ୍ତି, ସେହି ତଥ୍ୟକୁ ଜନସାଧାରଣଙ୍କୁ ଅବଗତ କରାଇ ପ୍ରଥମେ ସେମାନଙ୍କର ବିଶ୍ୱାସଭାଜନ ହେବା ଜରୁରୀ। ରାଜ୍ୟର ସାଧାରଣଜନତା, ରାଜନୈତିକ ଦଳ ବା ଗଣସଂଗଠନ, ମହାନଦୀ ସମ୍ପର୍କରେ ରାଜ୍ୟ ଆଗରେ କ’ଣ କ’ଣ ସଙ୍କଟ ରହିଛି ଏବଂ ଓଡ଼ିଶାର ଜୀବନ ରେଖା ମହାନଦୀ ଓଡ଼ିଶାରେ ସବୁଦିନ ପାଇଁ କିପରି ଅବାରିତ ଭାବରେ ପ୍ରବାହିତ ହେବ ତାର ସରକାରୀ ରୋଡମ୍ୟାପ ନ ଜାଣିଲେ ସୁଚିନ୍ତିତ ମତାମତ କିପରି ଦେବେ ବୋଲି ଶ୍ରୀ ସିଂହଦେଓ ପ୍ରଶ୍ନ କରିଛନ୍ତି ।

ବିଳମ୍ବରେ ହେଲେ ମଧ୍ୟ ରାଜ୍ୟ ସରକାର ମହାନଦୀର ତଥ୍ୟକୁ ରାଜନୈତିକ ଦଳ, ଗଣ ସଂଗଠନ ଓ ଆଗ୍ରହୀ ଜନତାଙ୍କ ସାମ୍ନାରେ ସ୍ୱଚ୍ଛତାର ସହିତ ସାର୍ବଜନିନ କରିବା ସହ କାହା ମନରେ ପ୍ରଶ୍ନ ଥିଲେ ରାଜ୍ୟ ସରକାର ସ୍ପଷ୍ଟୀକରଣ ମାଧ୍ୟମରେ ବୁଝାଇବା ଜରୁରୀ ବୋଲି ଶ୍ରୀ ସିଂହଦେଓ ପରାମର୍ଶ ଦେଇଛନ୍ତି।

ଯଦି ସରକାର ଏହି ପ୍ରକ୍ରିୟା ନକରି କେବଳ ଲୋକଙ୍କ ଠାରୁ ପରାମର୍ଶ ମାଗିବେ ଏହା କେବଳ ଅନ୍ଧାରରେ ବାଡି ବୁଲାଇବା ସଦୃଶ ହେବ। ମହାନଦୀ ଏକ ଜାତୀୟ ସମ୍ପଦ ଏବଂ ବିଜୁ ଜନତା ଦଳ ଏହାକୁ ବ୍ୟକ୍ତିଗତ ସମ୍ପତି ଭଳି ବ୍ୟବହାର ନକରୁ ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।

Share in top social networks!