ଆଇଟି ଏକ୍ସପୋ ୨୦୧୬ ନଭେମ୍ବର ୧୦ରୁ;ରାଜ୍ୟର ସର୍ବବୃହତ୍‌ ଆଇଟି ପ୍ରଦର୍ଶନୀ

• ପୂର୍ବ-ଭାରତର ୬୦୦ରୁ ଅଧିକ ଡିଲର୍‍ ଓ ୧୦୦ରୁ ଅଧିକ ଓ‌ଇଏମ୍‌ ଯୋଗଦେବେ
• ୨ ଲକ୍ଷରୁ ଅଧିକ ଦର୍ଶକ
• ଆଇଟି କମ୍ପାନିମାନଙ୍କ ଦ୍ୱାରା ବିଭିନ୍ନ ଅତ୍ୟାଧୁନିକ ତଥା ନୂତନ ଉତ୍ପାଦ ପ୍ରଦର୍ଶନ
• ପ୍ରଦର୍ଶନୀ, କର୍ମଶାଳା ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
ରାଜ୍ୟର ସର୍ବବୃହତ୍‌ ଆଇଟି ପ୍ରଦର୍ଶନୀ ’ଆଇଟି ଏକ୍ସପୋ’ ଆଗାମୀ ନଭେମ୍ବର ୧୦ରୁ ୧୪ ପର୍ଯ୍ୟନ୍ତ ଭୁବନେଶ୍ୱରର ୟୁନିଟ୍‌ – ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଯାଉଛି। ଇନ୍‌ଫର୍ମେସନ୍‌ ଟେକ୍ନୋଲଜି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଆଇଟିଏଓ) ପକ୍ଷରୁ ଓଡ଼ିଶା ସରକାରଙ୍କ ଆଇଟି ବିଭାଗ ଏବଂ ମାସ୍କଟ ଇଭେଣ୍ଟ ସହଯୋଗିତାରେ ଆୟୋଜିତ ଏହି ବିଶାଳ ପ୍ରଦର୍ଶନୀରେ ଚଳିତ ବର୍ଷ ପୂର୍ବ ଭାରତର ୬୦୦ରୁ ଅଧିକ ଆଇଟି ଡିଲର୍‍, ୧୦୦ରୁ ଅଧିକ ଓ‌ଇଏମ୍‌ ଏବଂ ୨ ଲକ୍ଷରୁ ଅଧିକ ଦର୍ଶକ ଯୋଗଦେବାର ସମ୍ଭାବନା ରହିଛି।

ଚଳିତବର୍ଷର କାର୍ଯ୍ୟକ୍ରମକୁ ବିଧିବଦ୍ଧ ଭାବେ ଘୋଷଣା କରିବା ପାଇଁ ଅନୁଷ୍ଠାନ ପକ୍ଷରୁ ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟା ୫ଟାରେ ଭୁବନେଶ୍ୱରରେ ଏକ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୁବନେଶ୍ୱର ମହାନଗର ନିଗମର ମେୟର୍‌ ଅନନ୍ତ ନାରାୟଣ ଜେନା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

iato2ଆଇଟି ଏକ୍ସପୋରେ ଭାଗ ଦେଉଥିବା ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ମଧ୍ୟରେ ରହିଛନ୍ତି ହାର୍ଡଓୟାର୍‌, ସଫ୍ଟଓୟାର୍‌, ମୋବାଇଲ୍‌ ଓ ଟେଲିକମ୍‍, ଇଲେକ୍ଟ୍ରୋନିକ୍ସ, ଇଣ୍ଟରନେଟ୍‌ ସେବା, ଅଫିସ୍‌ ଅଟୋମେସନ୍‌, କନ୍‌ଫରେନ୍ସିଂ ସିଷ୍ଟମ୍‌, ସୁରକ୍ଷା ସାମଗ୍ରୀ, ଆଇଟି ଶିକ୍ଷା ଅନୁଷ୍ଠାନ ବିଭିନ୍ନ ନିଯୁକ୍ତି ପରାମର୍ଶଦାତା ସଂସ୍ଥା। ଏଥିରେ ଓଡ଼ିଶା ସହିତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ ଆଇଟି କମ୍ପାନି ଯୋଗଦେବେ। ସେହିପରି ପୂର୍ବଭାରତର ଏହି ଆଗଧାଡିର ଆଇଟି ପ୍ରଦର୍ଶନୀରେ ବିଭିନ୍ନ କମ୍ପାନିର ସିଇଓ, ସିଟିଓ, ସିଆଇଓ, ଆଇଟି ମୁଖ୍ୟ, ଆଇଟି ଉଦ୍ୟୋଗୀ, ପୁଞ୍ଜି ନିବେଶକାରୀ ତଥା ବିଭିନ୍ନ କର୍ପୋରେଟ୍‌ ଅଧିକାରୀ ଯୋଗଦେବେ। ତା’ଛଡା ପ୍ରତିବର୍ଷ ସ୍ଥାନୀୟ ଦର୍ଶକମାନଙ୍କ ମଧ୍ୟରେ ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଯୁବବର୍ଗ ବହୁ ସଂଖ୍ୟାରେ ଯୋଗ ଦେଇଥା’ନ୍ତି।

ଇନ୍‌ଫର୍ମେସନ୍‌ ଟେକ୍ନୋଲଜି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ଆଇଟିଏଓ) ୧୯୯୮ ମସିହାରେ ପ୍ରତିଷ୍ଠିତ ହୋ‌ଇଥିଲା। ଓଡ଼ିଶାର ବିଭିନ୍ନ ଆଇଟି ଅନୁଷ୍ଠାନ ଓ ବ୍ୟାବସାୟିକ ସଂସ୍ଥାକୁ ଏକାଠି କରିବା ସହ ରାଜ୍ୟରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଏହାର ମୂଳ ଲକ୍ଷ୍ୟ ଥିଲା। ଗତ ୧୮ ବର୍ଷ ମଧ୍ୟରେ ଆଇଟିଏଓ ଏହାର ସଦସ୍ୟ, ସରକାର, କର୍ପୋରେଟ୍‌ ଏବଂ ସହଯୋଗୀ ଅନୁଷ୍ଠାନମାନଙ୍କ ସହ ମିଶି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଏହାର ମୂଳ ଲକ୍ଷ୍ୟପଥରେ ବେଶ୍‌ ବାଟ ଆଗେଇପାରିଛି। ବିଶେଷତଃ ଆଇଟି ସାମଗ୍ରୀ ଓ ସେବା କ୍ଷେତ୍ରରେ ପ୍ରତିଦିନ ଚାଲିଥିବା ନୂଆ ନୂଆ ଉଦ୍ଭାବନ ଓ ପ୍ରୟୋଗକୁ ସାଧାରଣ ଗ୍ରାହକଙ୍କ ପାଖରେ ଉପସ୍ଥାପନ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ଭୂମିକା ଗ୍ରହଣ କରିଛି।
ଦେଶର ଅଗ୍ରଣୀ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା ’ମାସ୍କଟ୍‍’ ଚଳିତ ବର୍ଷ ଆଇଟି ଏକ୍ସପୋ ଇଭେଣ୍ଟ ପରିଚାଳନାର ଦାୟିତ୍ୱ ନେଇଛି। ଦେଶର ବିଭିନ୍ନ ସ୍ଥାନରେ ବଡ ବଡ ଇଭେଣ୍ଟ ପରିଚାଳନା କରି ଅଭିଜ୍ଞତା ହାସଲ କରିଥିବା ଏହି ସଂସ୍ଥା ଏହି ପ୍ରଦର୍ଶନୀକୁ ଏକ ନୂଆ ରୂପ ଦେବାକୁ ଉଦ୍ୟମ କରୁଛି।

Share in top social networks!