ବିଜୁ କନ୍ୟା ରତ୍ନ ଯୋଜନା ରାଜ୍ୟର ସିମୀତ ଜିଲ୍ଲାର ଝିଅଙ୍କ ପାଇଁ ଲଲିପପ୍ ସଦୃଶ: ବିଜେପି

• ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୈାହାନଙ୍କ ଲାଡଲୀ ଲକ୍ଷ୍ମୀ ଯୋଜନାରୁ ଶିକ୍ଷା ଗ୍ରହଣ କରନ୍ତୁ, ନବୀନ
• ଦଳର ବିଧାୟକ, ନିର୍ବାଚିତ ତ୍ରୀସ୍ତରୀୟ ପଂଚାୟତ ପ୍ରତିନିଧିଙ୍କୁ ଦୂରରେ ରଖି ପଂଚାୟତ ନିର୍ବାଚନର ଚାଲ୍ ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ
• କେନ୍ଦ୍ରୀୟ ଅର୍ଥରେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରି ରାଜ୍ୟ ମିଛ ବାଃ ବାଃ ନେବାକୁ ଚେଷ୍ଟା କରୁଛି
sajjanମୁଖ୍ୟମନ୍ତୀ ନବୀନ ପଟନାୟକଙ୍କ ଦ୍ୱାରା ଲୋକାର୍ପିତ ବିଜୁ କନ୍ୟା ରତ୍ନ ଯୋଜନା କେବଳ ଅନୁଗୁଳ, ଢେଙ୍କାନାଳ ଓ ଗଂଜାମ ଜିଲାରେ କାର୍ଯ୍ୟକାରୀ ହେଉଥିବା ବେଳେ ଏହି ଯୋଜନା ସମ୍ପୂର୍ଣ୍ଣ ଅନ୍ତଃସାର ଶୂନ୍ୟ ଅଟେ। ନବୀନ ପଟନାୟକଙ୍କ ବିଜୁ କନ୍ୟା ରତ୍ନ ଯୋଜନାରେ ଗରିବ ଓଡିଆ ଝିଅମାନଙ୍କୁ ଯେଉଁ ସହାୟତାର କଥା କୁହାଯାଇଛି, ଆମ ଝିଅମାନେ ତାହାଠାରୁ ଢେର ଅଧିକା ପାଇବା ଉଚିତ୍ ବୋଲି ରାଜ୍ୟ ବିଜେପି ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତବ୍ୟ ଦେଇଛି।
ମଧ୍ୟପ୍ରଦେଶରେ ୨୦୦୭ ମସିହାରୁ ଲାଗୁ ହୋଇଥିବା ଏହି ଯୁଗାନ୍ତକାରୀ ଯୋଜନା ଝିଅମାନଙ୍କୁ ଶିକ୍ଷା ଓ ଆର୍ଥିକ ଦୃଷ୍ଟିରୁ କେବଳ ସଶକ୍ତ କରି ନାହିଁ, ବରଂ ଝିଅମାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗିକୁ ପରିବର୍ତନ କରି ସେମାନଙ୍କୁ ବହୁ ଆକାଂକ୍ଷିତ ସାମାଜିକ ସୁରକ୍ଷା ପ୍ରଦାନ କରିଛି। ମଧ୍ୟପ୍ରଦେଶର ଏହି ଯୋଜନାରେ ଗରିବ ପରିବାରରେ ଝିଅଟିଏ ଜନ୍ମ ହେଲେ ରାଜ୍ୟ ସରକାର ଝିଅ ନାଁ ରେ ୬,୦୦୦ ଟଙ୍କାର ନ୍ୟାସନାଲ ସେଭିଙ୍ଗ୍ ସାର୍ଟିଫିକେଟ୍ କ୍ରୟ କରୁଛି। ପ୍ରତି ବର୍ଷ ପାଂଚ ବର୍ଷ ପର୍ଯ୍ୟନ୍ତ ଏହିପରି ରାଜ୍ୟ ସଂଚୟ କରିବା ପରେ ଝିଅଟି ଷଷ୍ଠ ଶ୍ରେଶୀରେ ପଢିବା ବେଳେ ୨,୦୦୦ ଟଙ୍କା, ନବମ ଶ୍ରେଣୀରେ ୪,୦୦୦ ଟଙ୍କା, ଦଶମ ଶ୍ରେଣୀରେ ୭,୫୦୦ ଓ ଉଚ୍ଚମାଧ୍ୟମିକ ପଢା ସମୟରେ ମାସିକ ୨,୦୦୦ ଟଙ୍କା ମିଳିବାର ବ୍ୟବସ୍ଥା କରାଯାଇଛି। ଏହିପରି ଝିଅକୁ ୨୧ ବର୍ଷ ପୂରଣ ହେଲେ, ଶେଷରେ ଝିଅ ହାତରେ ଏକ ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପହଂଚା ଯିବାର ବ୍ୟବସ୍ଥା କରାଯାଇଛି ଯାହା ଝିଅଟି ତାହାର କ୍ୟାରିୟର ବା ବିବାହରେ ଖର୍ଚ୍ଚ କରିପାରିବ। ମଧ୍ୟପ୍ରଦେଶ ସରକାର ଏହି ଯୋଜନାର କାର୍ଯ୍ୟକାରିତା ଉପରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରିଛନ୍ତି। ଏହାର ସ୍ପଷ୍ଟତା ଏବଂ ସ୍ୱଚ୍ଛତା ଙ୍ଗଙ୍ଗଙ୍ଗ.କ୍ଷବୟକ୍ଷସକ୍ଷବଙ୍ଘଜ୍ଞସ.ମକ୍ଟଜ୍ଞ ରେ ପ୍ରକାଶ ପାଉଛି। ତେଣୁ ଏହି ପରିପ୍ରେକ୍ଷୀରେ ନବୀନ ପଟନାୟକ ମଧ୍ୟପ୍ରଦେଶର ମୁଖମନ୍ତୀ ଶ୍ରୀ ଶିବରାଜସିଂହ ଚୈାହାନଙ୍କ ଲାଡଲୀ ଲକ୍ଷ୍ମୀ ଯୋଜନାରେ ଶିକ୍ଷା ଗ୍ରହଣ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଦଳ ପକ୍ଷରୁ ଉପଦେଶ ଦିଆଯାଇଛି। ଶିବରାଜସିଂହ ଚୈାହାନଙ୍କ ଲାଡଲୀ ଲକ୍ଷ୍ମୀ ସ୍ଥାନରେ ବିଜୁ କନ୍ୟା ରତ୍ନ ଓଡିଶାର ସିମୀତ ଜିଲ୍ଲାର ଝିଅମାନଙ୍କ ପାଇଁ ଲଲିପପ୍ ସଦୃଶ ଏବଂ ମଧ୍ୟପ୍ରଦେଶର ଏହି ଯୁଗାନ୍ତକାରୀ ଯୋଜନାକୁ ଓଡିଶାର ଝିଅମାନଙ୍କୁ ଦେବାକୁ ନବୀନ ପଦକ୍ଷେପ ନିଅନ୍ତୁ ବୋଲି ଦଳ ଦାବୀ କରିଛି ।
ସେହିପରି ରାଜ୍ୟରେ ପଂଚାୟତ ନିର୍ବାଚନର ଅବ୍ୟବହିତ ପୂର୍ବରୁ ସଚିବାଳୟରୁ ଏକ ହଜାର ଅଙ୍ଗନୱାଡି କେନ୍ଦ୍ରର ଉଦ୍ଘାଟନକୁ କଟୁ ସମାଲୋଚନା କରାଯାଇଛି। ଦଳର ବିଧାୟକ, ନିର୍ବାଚିତ ତ୍ରୀସ୍ତରୀୟ ପଂଚାୟତ ପ୍ରତିନିଧିଙ୍କୁ ଦୂରରେ ରଖି ପଂଚାୟତ ନିର୍ବାଚନର ଚାଲ୍ ମୁଖ୍ୟମନ୍ତୀ ଖେଳୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।
ସଚିବାଳୟରୁ ଯୋଜନାର ଭେଳିକି ଚାଲିଥିବା ବେଳେ ତୃଣମୂଳ ସ୍ତରରେ କାର୍ଯ୍ରକ୍ରମର କ୍ରିୟାନ୍ୱୟନ ଠପ୍ ପଡିଛି। ଲୋକମାନେ ଯୋଜନାର ଲାଭ ନପାଇ ହନ୍ତସନ୍ତ ହେଉଛନ୍ତି। ଲୋକଚକ୍ଷୁରେ ଶାସକ ଦଳର ଲୋକପ୍ରତିନିଧିମାନେ ଲୋକମାନଙ୍କ ଦ୍ୱାରା ନିନ୍ଦିତ ହେଉଛନ୍ତି। ସେମାନଙ୍କୁ କାର୍ଯ୍ୟକ୍ରମ ଉଦ୍ଘାଟନରୁ ଦୂରରେ ରଖି ମୁଖ୍ୟମନ୍ତ୍ରୀ ତଥା ଶାସକ ବିଜେଡି ଦଳର ସଭାପତି ପଂଚାୟତ ନିର୍ବାଚନ ପାଇଁ ନୂଆ ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ଅଛନ୍ତି। ନବୀନଙ୍କର ଏହି ଚାଲ୍କୁ ଓଡିଶାର ଲୋକ ଆଗାମୀ ପଂଚାୟତ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବେ ଦଳ ଦୃଢ୍ୟୋକ୍ତି ପ୍ରକାଶ କରିଛି।
ଯେଉଁ ଏକ ହଜାର ଅଙ୍ଗନୱାଡି କେନ୍ଦ୍ର କଥା ରାଜ୍ୟ ସରକାର କହୁଛନ୍ତି, ସେଗୁଡିକର ନିର୍ମାଣ ପାଇଁ ୬୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାର ଦେଉଛନ୍ତି। ଏହି ଗୃହଗୁଡିକର ନିର୍ମାଣ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାରେ ଅର୍ଥ ବ୍ୟୟ କରାଯାଇଛି। ଏଥିରେ ରାଜ୍ୟ ସରକାର ନଗଣ୍ୟ ଅର୍ଥ ଖର୍ଚ୍ଚ କରି କେବଳ ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ଦଳ ଅଭିଯୋଗ କରିଛି।
ପୂର୍ବ ଭାରତ ରାଜ୍ୟସମୂହ ଓ ଏହାର ପ୍ରମୂଖ ରାଜ୍ୟ ଓଡିଶାର ବିକାଶ ମୋଦି ସରକାରଙ୍କ ପ୍ରାଥମିକତା। କେନ୍ଦ୍ରରୁ ପ୍ରଚୁର ଆର୍ଥିକ ସହାୟତା ସତ୍ୱେ ରାଜ୍ୟ ସରକାରଙ୍କର ମିଛ ଅଭିଯୋଗର ମୁଖା ଖୋଲିଗଲାଣି। ଗତ ୧୬ ବର୍ଷରେ ଶାସକ ଦଳର ବିଫଳତାକୁ ଲୋକଲୋଚନକୁ ଆଣିବାରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ସମ ପରିମାଣରେ ବିଫଳ ହୋଇଛି। ଆଗମାୀ ଦିନରେ ଓଡିଶାର ଜନତାଙ୍କ ସ୍ୱାର୍ଥ ରକ୍ଷା ପାଇଁ ବିଜେପି ଉପଯୁକ୍ତ ବିକଳ୍ପ ଭାବେ ସଂଗ୍ରାମ ଜାରି ରଖିବ ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀକୁ ବିଜେପି ରାଜ୍ୟ ମୂଖ୍ୟ ମୁଖପାତ୍ର ଶ୍ରୀ ସଜ୍ଜନ ଶର୍ମା ସମ୍ବୋଦିତ କରିଥିବାବେଳେ ଦୁଇ ପ୍ରବକ୍ତା ଦିଲୀପ ମହାନ୍ତି ଏବଂ ସୁଦୀପ୍ତ ରାୟ ଉପସ୍ଥିତ ଥିଲେ।

Share in top social networks!