ଓଡ଼ିଶା ଇଲେକ୍ସନ ୱାଚର ଦ୍ୱାଦଶ ସମ୍ମିଳନୀ ; ନିର୍ବାଚନ ସଂସ୍କାର ଉପରେ ରାଜନେତାଙ୍କ ଗୁରୁତ୍ୱ

oewଭୋଟ ଏବେ ସଉଦାରେ ପରିଣତ ହୋଇଛି। ନିର୍ବାଚନ ବ୍ୟୟବହୁଳ ହୋଇପଡ଼ିଛି। ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଜିତିବା ପାଇଁ ପାଣ୍ଠି ସଂଗ୍ରହ ଉପରେ ଯେପରି ଗୁରୁତ୍ୱ ଦେଉଛନ୍ତି, ଏହା ଗଣତାନ୍ତ୍ରିକ ବ୍ୟବସ୍ଥାର ପରିପନ୍ଥୀ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନିର୍ବାଚନରେ ସଂସ୍କାର ଅଣାଯିବା ଉଚିତ। ରାଜନୈତିକ ଦଳଗୁଡ଼ିକ ନିଜ ଭିତରେ ସଂସ୍କାର ନଆଣିିଲେ ଗଣତନ୍ତ୍ର ସୁଦୃଢ଼ ହୋଇପାରିବନି କିମ୍ବା ଭଲ ଲୋକ ରାଜନୀତିକୁ ଆସିପାରିବେନି। ଏହାଚଡ଼ା ନିର୍ବାଚନକୁ ଦୁର୍ନୀତିମୁକ୍ତ କରିବାକୁ ହେଲେ ପ୍ରଚାର ଅବଧି ସଙ୍କୁଚିତ କରାଯିବାର ଆବଶ୍ୟକତା ରହିଛି ବୋଲି ବହୁ ରାଜନେତା, ଶିକ୍ଷାବିତ, ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।

ଓଡ଼ିଶା ଇଲେକ୍ସନ ୱାଚ ଏବଂ ଏଡିଆର ମିଳିତ ସହଯୋଗରେ ରାଜନୈତିକ ଦଳଗୁଡ଼ିକ ଆର୍ଥିକ ସ୍ୱଚ୍ଛତା ଏବଂ ୨୦୧୭ରେ ମୁକ୍ତ ଓ ଅବାଧ ପଂଚାୟତ ନିର୍ବାଚନ ଉପରେ ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଯୋଗଦେଇ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଅନନ୍ତଚରଣ ନାୟକ କହିଥିଲେ ଯେ ପ୍ରତି ନିର୍ବାଚନରେ ମତ ଦାନ ହାର ବଢ଼ୁଛି, ମାତ୍ର ଏହା ଆଶାନୁରୂପ ମୁକ୍ତ ଓ ସ୍ୱଚ୍ଛ ହୋଇପାରୁନି। ଏଥିପାଇଁ କେବଳ ରାଜନୈତିକ ଦଳ ନୁହେଁ, ସମସ୍ତେ ଦାୟୀ। ରାଜନୈତିକ ଦଳଗୁଡ଼ିକ ପାଣ୍ଠି ସଂଗ୍ରହରେ ସ୍ୱଚ୍ଛତା ରକ୍ଷା କରିବା ସହିତ ନୋଟ ମାଧ୍ୟମରେ ପ୍ରଭାବିତ କରୁଥିବା ଲୋକଙ୍କ ପ୍ରତି ଭୋଟର ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ।

ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ରନାଥ ସାହୁ ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଉନ୍ନତ ବୋଲି ମତ ରଖିବା ସହିତ ଏହାକୁ ଅଧିକ ସୁଦୃଢ଼ କରିବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଜିତାଇବା ଉପରେ ଗୁରୁତ୍ୱ ଦେଇଥିଲେ। ଏ ଦିଗରେ ଜନସଚେନତା ସୃଷ୍ଟି ନିମନ୍ତେ ସ୍ୱେଚ୍ଛାସେବୀ ସଂସ୍ଥା, ନାଗରିକ ସଙ୍ଗଠନ ଉଦ୍ୟମ କରିବା ଆବଶ୍ୟକ ବୋଲି କହିଥିଲେ।

ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ କହିଥିଲେ ଯେ ଏବେ କ୍ଷମତାରେ ଥିବା ରାଜନୈତିକ ଦଳଗୁଡ଼ିକ ମାତ୍ର ୩୫ଶତାଂଶ ଭୋଟ ପାଇ ଜିତୁଥିବାବେଳେ୬୫ଭାଗ ଭୋଟରଙ୍କ ଭୋଟ ପାଉନାହାନ୍ତି। ଭଲ ଲୋକଙ୍କୁ ନିର୍ବାଚିତ କରିବା ଓ ବହୁ ସଂଖ୍ୟାରେ ଭୋଟ ଦେବା ଉପରେ ସେ ମତ ରଖିଥିଲେ କାର୍ଯ୍ୟକ୍ରମ ଆରମ୍ଭରେ ଓଡ଼ିଶା ଇଲେକ୍ସନ ୱାଚର ରାଜ୍ୟ ସଂଯୋଜକ ରଞ୍ଜନ କୁମାର ମହାନ୍ତି ତାଙ୍କ ସ୍ୱାଗତ ଭାଷଣରେ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେବା ସହିତ ନିରପେକ୍ଷ ନିର୍ବାଚନ ଓ ରାଜନୈତିକ ଦଳଗୁଡ଼ିକର ଆର୍ଥିକ ସ୍ୱଚ୍ଛତା ରକ୍ଷା ଉପରେ ଆଲୋକପାତ କରିଥିଲେ। ଆସୋସିଏସନ ଫର ଡ଼େମୋକ୍ରାଟିକ ରାଇଟ୍ସର ପ୍ରତିଷ୍ଠାତା ସଦସ୍ୟ ପ୍ରଫେସର ତ୍ରିଲୋଚନ ଶାସ୍ତ୍ରୀ କହିଥିଲେ ଯେ ନିର୍ବାଚନରେ ସ୍ୱଚ୍ଛତା ରକ୍ଷା କରିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ପାଇଁ ରାଜନୈତିିକ ଦଳଗୁଡ଼ିକ ଟଙ୍କା କେଉଁଠୁ ଆଣୁଛନ୍ତି ତାହା ଭୋଟର ଜାଣିବା ଦରକାର।

ଆଲୋଚନାରେ ଭାଗ ନେଇ ପ୍ରଫେସର ସୂର୍ଯ୍ୟନାରାୟଣ ମିଶ୍ର କହିଥିଲେ ଯେ ନର୍ବାଚନ ଏବେ ବ୍ୟୟବହୁଳ ହୋଇଛି ଏବଂ ଭୋଟ କିଣିବାକୁ ପଡ଼ୁଛି। ନିର୍ବାଚନ ପ୍ରକ୍ରିୟା ଜଟିଳ ହୋଇପଡ଼ୁଛି। ଯେ ପର୍ଯ୍ୟନ୍ତ ରାଜନୈତିକ ଦଳଗୁଡ଼ିକ ଅଗଣତାନ୍ତ୍ରିକ ଉପାୟରେ ଟଙ୍କା ଆଣୁଥିବେ ସେ ପର୍ଯ୍ୟନ୍ତ ଗଣତନ୍ତ୍ର ଅସୂୟାଭାବର ଶିକାର ହେଉଥିବ। ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ ସ୍ଥାୟୀ ଓ ସ୍ୱାଧୀନ ନିର୍ବାଚନ କମିଶନ ବ୍ୟବସ୍ଥା ସହିତ ପଂଚାୟତିରାଜ ନିର୍ବାଚନ ଦଳମୁକ୍ତ କରାଯିବା ଉପରେ ଗୁରୁତ୍ୱ ଦେଇଥିଲେ। ନିର୍ବାଚନରେ ସମସ୍ତଙ୍କ ଭୋଟଦାନ ବାଧ୍ୟତାମୂଳକ କରାଯିବା ଉପରେ ସେ ମତ ରଖିଥିଲେ। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ନିର୍ବାଚନ ପ୍ରଚାର ସମୟକୁ ସଙ୍କୁଚିତ କରିବା ଉପରେ ମତ ରଖିଥିଲେ। ଅନ୍ୟପକ୍ଷରେ ବିଜେପି ଉପସଭାପତି ସମୀର ମହାନ୍ତି ଏବେ ଗଣତାନ୍ତ୍ରିକ ବ୍ୟବସ୍ଥା ସୁଦୃଢ଼ ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ବିଜେଡିର ମୁଖପାତ୍ର ଦିବ୍ୟଶଙ୍କର ମିଶ୍ର ରାଜନୀତିକୁ ଆମେ କେବେ ଭଲ ଦୃଷ୍ଟିରେ ଦେଖୁ ନଥିବାରୁ କ୍ଷୋଭ ପ୍ରକାଶ କରିବା ସହିତ ଭଲ ରାଜନେତାଙ୍କୁ ସାବାସୀ ଦେବାକୁ ମତ ରଖିଥିଲେ। କଂଗ୍ରେସ ପ୍ରବକ୍ତା କୈଳାସଚନ୍ଦ୍ର ଆଚାର୍ଯ୍ୟ କହିଥିଲେ ଯେ ବିଧାୟକ ଓ ସାଂସଦ ଯେପରି ଦୁଇଥରରୁ ଅଧିକ ନିର୍ବାଚିତ ହୋଇ ନପାରିବେ ସେଥିନେଇ ଆଇନରେ ବ୍ୟବସ୍ଥା ରହିବା ସପକ୍ଷରେ ମତ ରଖିଥିଲେ। ସିପିଆଇ(ଏମ୍) ର ସନ୍ତୋଷ ଦାସ ଭୋଟ ଏବେ ସଉଦାରେ ପରିଣତ ହୋଇଛି ବୋଲି ଅଭିଯୋଗ କରିବା ସହିତ ରାଜନୈତିକ ଦଳଗୁଡ଼ିକର ପାଣ୍ଠି ସଂଗ୍ରହ, ଖର୍ଚ୍ଚରେ ସ୍ୱଚ୍ଛତା ରହିବା ଦରକାର ବୋଲି କହିଥିଲେ। ପୂର୍ବତନ ସାଂସଦ ବୈଷ୍ଣବଚରଣ ପରିଡ଼ା ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥ ରାଜନେତାଙ୍କ ପାଖକୁ ଚାଲିଯାଉଛି ବୋଲି ଅଭିଯୋଗ କରିବା ସହିତ ଜନତାଙ୍କ ହାତରେ କ୍ଷମତା ନରହିଲେ ଗଣତନ୍ତ୍ର ବିପନ୍ନ ହେବ ବୋଲି କହିଥିଲେ। ସିପିଆଇର ସୌରୀବନ୍ଧୁ କର କହିଥିଲେ ଯେ ରାଜନୈତିକ ଦଳଗୁଡ଼ିକ ଆଦାୟ କରୁଥିବା ପାଣ୍ଠିରେ ସ୍ୱଚ୍ଛତା ଆଣିବା କଷ୍ଟକର। ନିର୍ବାଚନରେ ସ୍ୱଚ୍ଛତା ଆଣିବା ନିମନ୍ତେ ସମସ୍ତେ ଉଦ୍ୟମ କରିବା ଦରକାର। ଏଥିନେଇ ଲୋକଙ୍କ ଭିତରେ ସଚେତନତା ସୃଷ୍ଟି କରାଯିବା ଦରକାର। ସାମ୍ବାଦିକ ଦିଲୀପ ବିଶୋଇ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ କ୍ଷମାକର ସ୍ୱାଇଁ ଧନ୍ୟବାଦ ଦେଇଥିଲେ।

ପଂଚାୟତ ନିର୍ବାଚନରେ ସାମାଜିକ ଅନୁଷ୍ଠାନ ଓ ଯୁବଗୋଷ୍ଠୀଙ୍କ ଭୂମିକା ଶୀର୍ଷକ ଆଲେଚନାଚକ୍ରରେ ଅଂଶଗ୍ରହଣ କରି ସିଡବ୍ଲୁଏସ୍ ଓଡିଶା ମୁଖ୍ୟ ଚନ୍ଦନା ଦାସ କହିଥିଲେ ଯେ ଭୋଟ ଦେବା ପୂର୍ବରୁ ଯୁବ ଗୋଷ୍ଠୀ କାହା ହାତରେ କ୍ଷମତା ଦେଉଛନ୍ତି ତାହା ଚିନ୍ତା କରିବା ଦରକାର। ଦୂରଦର୍ଶନର ପୂର୍ବତନ ଅତିରିକ୍ତ ମହାନିଦେ୍ର୍ଦଶକ ବୈକୁଣ୍ଠ ନାଥ ପାଣୀଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି ଅଧିବେଶନରେ ଆଗାମୀ ଓଡିଶାର ଅଧ୍ୟକ୍ଷ ଯୁବଗୋଷ୍ଠୀକୁ ନିର୍ବାଚନରେ ଅଂଶଗ୍ରହଣ ପାଇଁ ଆହ୍ୱାନ ଦେଇଥିବା ବେଳେ ବିଶ୍ୱଜିତ୍ ପାଢୀ ଗୋଷ୍ଠୀ ରୋଡିଓ ମାଧ୍ୟମରେ ଜନ ସଚେତନା ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ଓଡିଶା ଇଲେକସନ୍ ଓାଚର ରାଜ୍ୟ ସଂପାଦକ ରଞ୍ଜନ କୁମାର ମହାନ୍ତି କହିଥିଲେ ଯେ ପଂଚାୟତ ନର୍ବାଚନ ପରିପ୍ରେକ୍ଷୀରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଆସନ୍ତା ମାସରୁ ମୋ ଭୋଟ୍ ମୋ ଗାଁ ଅଭିଯାନ ଆରମ୍ଭ କରାଯିବ।
ମୁକ୍ତ ଓ ଅବାଧ ୨୦୧୭ – ପଂଚାୟତ ନିର୍ବାଚନ ସଂକ୍ରାନ୍ତରେ ହୋଇଥିବା ଆଲୋଚନାରେ ଭାଗନେଇ ପୂର୍ବତନ ରାଜ୍ୟ ନିର୍ବାଚନ କମିଶନର ସଂଜୀବ ହୋତା କହିଲେ ଯେ, ପଂଚାୟତ ଆଇନରେ କିଛିଟା କମି ରହିଛି। ଏଥିପାଇଁ ବ୍ୟାପକ ନିର୍ବାଚନ ସଂସ୍କାରର ଆବଶ୍ୟକତା ରହିଛି। ପଂଚାୟତ ନିର୍ବାଚନକୁ ଅବାଧ ଓ ମୁକ୍ତ କରିବାଲାଗି ଭୋଟ ଗଣତି ବ୍ଲକ ମୁଖ୍ୟାଳୟରେ କରିବାକୁ ସେ କହିଥିଲେ। ସେହିଭଳି ଭୋଟର ତାଲିକା ସଂଶୋଧନ ଉପରେ ମଧ୍ୟ ସେ ମତ ଦେଇଥିଲେ। ସିପିଏମ୍ର ତାପସୀ ପ୍ରହରାଜ କହିଲେ ଯେ ଆସନ୍ତା ପଂଚାୟତ ନିର୍ବାଚନରେ ଦୁଇ ସନ୍ତାନ ନୀତି ଉଠାଇ ଦିଆଯାଉ। ଓଡିଶା ଇଲେକସନ୍ ଓାଚ୍ ଏ ନେଇ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିବାକୁ ସେ କହିଥିଲେ।

ବିଜେପି ମୁଖ୍ୟ-ମୁଖପାତ୍ର ସଜନ ଶର୍ମା କହିଲେ ଯେ ଭାରତର ନିର୍ବାଚନ କମିଶନର ବିଭିନ୍ନ ସମୟରେ ଯେଉଁ ସଂସ୍କାର ଆଣିଛନ୍ତି, ତାହାର କାର୍ଯ୍ୟକାରିତାରେ ଆମ ସମସ୍ତଙ୍କର ଯୋଗଦାନ ରହିବା ଆବଶ୍ୟକ। କ୍ଷମତାରେ ଥିବା ସରକାରୀ ଦଳର ଏ କ୍ଷେତ୍ରରେ ମୁଖ୍ୟ ଭୂମିକା ରହିଛି। ରାଜ୍ୟ ଖଦିବୋର୍ଡର ଅଧ୍ୟକ୍ଷ ତେଜେଶ୍ୱର ପରିଡା ୨୦୧୭ ମସିହାରେ ହେବାକୁ ଥିବା ନିର୍ବାଚନକୁ ଅବାଧ ମୁକ୍ତ କରିବା ହେଉଛି ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି କହିଥିଲେ। ଭୋଟରଙ୍କଠାରୁ ରାଜନୈତିକ ପାର୍ଥôଙ୍କ ପର୍ଯ୍ୟନ୍ତ ସମସ୍ତେ ଏଥିପାଇଁ ଆଗେଇ ଆସିବା ଦରକାର। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ମୁଖ୍ୟପାତ୍ର ଗଣେଶ୍ୱର ବେହେରା କହିଲେ ଯେ ବର୍ତ୍ତମାନର ବ୍ୟବସ୍ଥାରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ସରକାର ଆଇନରେ ସଂସ୍କାର ହେଲେ ନିର୍ବାଚନରେ ସ୍ୱଚ୍ଛତା ବଢିବ। ବିଜେଡି ମୁଖ୍ୟପାତ୍ର ତଥା ବିଧାୟକ ଶଶୀଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ମତ ଦେଇଥିଲେ। ଅବାଧ ମୁକ୍ତ ନିର୍ବାଚନ ପାଇଁ ଓଡିଶା ଇଲେକସନ୍ ଓାଚ ଅତି କମରେ ୧୦୦୦ ପଂଚାୟତରେ ସଚେତନତା ପାଇଁ ଅଭିଯାନ ଆରମ୍ଭ କରିବାକୁ କହିଥିଲେ। ସିପିଆଇ ରାମକୃଷ୍ଣ ପଣ୍ଡା କହିଥିଲେ ଯେ ଆଇନର ବାଧ୍ୟବାଧ୍ୟକତା ଅପେକ୍ଷା ସଚେତନତା ମାଧ୍ୟମରେ ହିଁ ନିର୍ବାଚନକୁ ମୁକ୍ତ ଓ ଅବାଧ କରାଯାଇ ପାରିବ। ବିଚାରପତି ହୃଦୟ ବଲ୍ଲଭ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଆଲୋଚନାରେ ଅଧିକାଂଶ ବକ୍ତା ଭୋଟରଙ୍କୁ ସଚେତନ କରିବା ପାଇଁ ଓଡିଶା ଇଲେକସନ୍ ଓାଚ୍କୁ ପରାମର୍ଶ ଦେଇଥିଲେ।

Share in top social networks!