ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଉଦ୍ଘାଟନ କଲେ ଏଲ୍ପିଜି ଆନ୍ତରାଷ୍ଟ୍ରୀୟ ସମ୍ମିଳନୀ

lpg3ଏଲ୍ପିଜି କେବଳ ସ୍ୱଚ୍ଛ ଇନ୍ଧନ ନୁହେଁ, ବିରାଟ ସାମାଜିକ
ପରିବର୍ତନ ପାଇଁ ସଶକ୍ତ ଭିତିଭୂମି: ଧର୍ମେନ୍ଦ୍ର ପ୍ରଧାନ
- ୧୦ ଟିରୁ ଉଦ୍ଧ୍ୱର୍ ଦେଶ ଓ ମିଳିତ ଜାତିସଂଘ ପ୍ରତିନିଧି ଉପସ୍ଥିତ
- ଦେଶରେ ଗତ ୨ ବର୍ଷରେ ୨୬ ପ୍ରତିଶତ ଏଲ୍ପିଜି ଗ୍ରାହକ ସଂଖା ବୃଦ୍ଧି
- ଗିଭ୍ ଇଟ୍ ଅପ୍ , ପହଲ୍ ଓ ଉଜ୍ଜ୍ୱଳା ଯୋଜନା ନେଇ ଆଲୋଚନା
ଭୁବନେଶ୍ୱର: ଦେଶର ମହିଳାମାନଙ୍କ ପାଇଁ ଏଲ୍ପିଜି କେବଳ ସ୍ୱଚ୍ଛ ଇନ୍ଧନ ନୁହେଁ ବରଂ ମହିଳା ସଶକ୍ତିକରଣ ମାଧ୍ୟମରେ ଏକ ବିରାଟ ସାମାଜିକ ପରିବର୍ତନ ପାଇଁ ସଶକ୍ତ ଭିତିଭୂମିର ଭୂମିକା ନେବ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱରରେ ଆୟୋଜିତ “ଏଲ୍ପିଜି – ସାମାଜିକ ପରିବର୍ତନର ଉତ୍ପ୍ରେରକ ” ଶୀର୍ଷକ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ଏହା ପ୍ରକାଶ
କରିଛନ୍ତି ।

୧୦ ଟି ଦେଶ ସମେତ ମିଳିତ ଜାତିସଂଘର ପ୍ରତିନିଧି ତଥା ସାରା ଦେଶରୁ ୩୦୦ରୁ ଉଦ୍ଧ୍ୱର୍ ତୈଳ ଓ ଗ୍ୟାସ୍ ଶିଳ୍ପ ସହ ଜଡିତ ବିଶେଷଜ୍ଞ , ନୀତି ନିର୍ଦ୍ଧାରକ ଓ ସାମାଜିକ କାର୍ଯ୍ୟକର୍ତା ଯୋଗ ଦେଇଥିବା ଏହି ସମ୍ମିଳନୀରେ ଉଦ୍ବୋ ଧନ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାରରେ ଗ୍ୟାସ୍ ଏକ ବ୍ୟବସାୟ ଓ ଲାଭ କ୍ଷତି ନୁହେଁ ବରଂ ମହିଳା ସଶକ୍ତିକରଣ ପାଇଁ ଏକ ଶକ୍ତ ଭୂମିକା ରଖୁଥିବା ଉପାଦାନ ଭାବରେ ଗ୍ରହଣ କରିଛି ।

ଶ୍ରୀ ପ୍ରଧାନ କହିଥିଲେ ଯେ ଗତ ମେ ୨୦୧୪ ରେ ମୋଦି ଶାସନ ଭାର ଗ୍ରହଣ କରିବା ସମୟରେ ଦେଶରେ ମୋଟ ୧୩ କୋଟି ପରିବାର ପାଖରେ ଏଲ୍ପିଜି ସଂଯୋଗ ପହଂଚି ପାରିଥିଲା । ଆଜି ଦିନରେ ୧୭.୪ କୋଟି ପରିବାର ପାଖରେ ଏଲ୍ପିଜି ସଂଯୋଗ ପହଂଚିପାରିଛି । ଅର୍ଥାତ୍ ୨ ବର୍ଷରେ ଏଲ୍ପିଜି ସଂଯୋଗ ୨୬ ପ୍ରତିଶତ ବୃଦ୍ଧି ପଛରେ ସରକାରଙ୍କ ଯୋଜନାବଦ୍ଧ ପ୍ରୟାସ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମାତ୍ର ଶ୍ରୀ ପ୍ରଧାନ ଦେଶରେ ଏଲ୍ପିଜି ବ୍ୟବହାରରେ ଆଂଚଳିତ ବୈଷମ୍ୟ ନେଇ ଚିନ୍ତାବ୍ୟକ୍ତ କରିଥିଲେ । ଦକ୍ଷିଣ ଭାରତରେ ୮୪ ପ୍ରତିଶତ ପରିବାରରେ ଏଲ୍ପିଜି ସଂଯୋଗ ପହଂଚିଥିବା ବେଳେ ପୂର୍ବ ଭାରତରେ ମାତ୍ର ୪୦ ପ୍ରତିଶତ ପରିବାରରେ ଏଲ୍ପିଜି ପହଂଚିଛି ବୋଲି କହିଥିଲେ । ଏଲ୍ପିଜି ବ୍ୟବହାର ହାରରେ ଥିବା ପଛୁଆ ରାଜ୍ୟମାନଙ୍କରେ ଅଧିକ ଗୁରୁତ୍ୱର ସହିତ ଭାରତ ସରକାର କାମ କରୁଥିବା ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ ।

ସହର ଓ ଗ୍ରାମାଂଚଳ ମଧ୍ୟରେ ଏଲ୍ପିଜି ବ୍ୟବହାରରେ ବଡ ତାରତମ୍ୟକୁ ଦୂର କରିବା ପାଇଁ ଭାରତ ସରକାର ଯୋଜନାବଦ୍ଧ ପ୍ରୟାସ କରୁଥିବା ଶ୍ରୀ ପ୍ରଧାନ କହିଥିଲେ । ଶ୍ରୀ ପ୍ରଧାନ କହିଥିଲେ ଆର୍ଥିକ ଦୃଷ୍ଟିରୁ ସ୍ୱଚ୍ଛଳତା ନଥିବା ଅଂଚଳରେ ଏଲ୍ପିଜି ବ୍ୟବହାର କମ୍ ଥିବା କାରଣରୁ
ଭାରତ ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ରିହାତି ମୂଲ୍ୟରେ ଅନ୍ୟୁନ ୫ ଲକ୍ଷ ପରିବାରକୁ ଆଗାମୀ ୫ ବର୍ଷରେ ଏଲ୍ପିଜି ପହଂଚାଇବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । କାଠ , ଘସି ଆଦି ଜୈବ ଇନ୍ଧନ ବ୍ୟବହାର କାରଣରୁ ସୃଷ୍ଟି ହେଉଥିବା ଘରୋଇ ଧୂଆଁ ବିଶେଷ କରି ମହିଳା ଓ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଛି । ଏଲ୍ପିଜି ପହଂଚିଲେ କେବଳ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ ନାହିଁ , ବରଂ ମହିଳାଙ୍କ ସମୟ ବଂଚିବା ସହ ସେମାନଙ୍କ ସମ୍ମାନ ବୃଦ୍ଧି ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ଝାଡଖଣ୍ଡର ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତାଙ୍କର ପିଲାବେଳର କଥା ମନେ ପକାଇ ଜଙ୍ଗଲକୁ ଜାଳେଣୀ ସଂଗ୍ରହ କରିବାକୁ ଯିବା ଅନୁଭୂତି ବର୍ଣ୍ଣନା କରିଥିଲେ । ଗରିବ ପରିବାରରେ ରୋଷେଇ ଗ୍ୟାସ୍ ପହଂଚାଇବା ପାଇଁ ଭାରତ ସରକାରଙ୍କ ଯୋଜନାକୁ ସେ ପ୍ରଶଂସା କରିଥିଲେ ।

ଏହି ଉଦ୍ଘାଟନ ଉତ୍ସବରେ ଉଦ୍ବୋଧନ ଦେଇ ମିଳିତ ଜାତିସଂଘର ଆସିଷ୍ଟାଣ୍ଡ ସେକ୍ରେଟାରୀ ଜେନେରାଲ୍ ସୁଶ୍ରୀ ଲକ୍ଷ୍ମୀ ପୁରୀ ସମଗ୍ର ବିଶ୍ୱରେ ସବୁ ପରିବାରରେ ସ୍ୱଚ୍ଛ ଇନ୍ଧନ ପହଂଚାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା କହିଥିଲେ । ଭାରତ ସରକାରଙ୍କ ତୈଳ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ତରଫରୁ ଗରିବରୁ ଗରିବ ପରିବାରରେ ଏଲ୍ପିଜି ଯୋଗାଣର ବ୍ୟବସ୍ଥା କରିଥିବାରୁ ମହିଳା ଓ ଝିଅ ମାନଙ୍କ ଜୀବନମାନ ଉନ୍ନତ ହେବ ବୋଲି ଆଶାବ୍ୟକ୍ତ କରିଥିଲେ ।

ଏହି ସମ୍ମିଳନୀରେ ଏଲ୍ପିଜି ସଂଯୁକ୍ତ ଗୃହର ବିଭିନ୍ନ ସୁବିଧା ଓ ଏଲ୍ପିଜି ନଥିବା ପରିବାର ଯେଉଁଠାରେ ଜୈବ ଜାଳେଣୀ ବ୍ୟବହାର ପ୍ରଭାବ ସମ୍ପର୍କରେ ବ୍ୟାପକ ଆଲୋଚନା କରାଯିବ । ଭାରତ ସରକାରଙ୍କ ଦ୍ୱାରା ସ୍ୱେଚ୍ଛାକୃତ ରିହାତି ଛାଡ୍ ଯୋଜନା ଗିଭ୍ ଇଟ୍ ଅପ୍ ସଫଳତା , ସରକାରୀ ସବ୍ସିଡି କୁ ସିଧା ସିଧା ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ଦେଇ ସରକାରୀ ଅର୍ଥ ସୁରକ୍ଷା ବିଷୟରେ ଆଲୋଚନା କରାଯିବ
। ଭାରତ ସରକାରଙ୍କ ମହତ୍ୱାକାଂକ୍ଷି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଦେଶର ଗରିବ ମହିଳା ମାନଙ୍କୁ କିପରି ସଶକ୍ତ କରିପାରୁଛି ସେ ବିଷୟରେ ଆଲୋଚନା କରାଯିବ ।

ବିଦେଶୀ ରାଷ୍ଟ୍ର ଯଥା – ବ୍ରାଜିଲ୍ , ଗୁଏଟ୍ମାଲା, ଘାନା, ସେନେଗଲ୍, କେନିଆ, ନାଇଜେରିଆ, ନେପାଳ, ଭୁଟାନ, ଇଣ୍ଡୋନେସିଆ, ଶ୍ରୀଲଙ୍କା, କାମେରୁନ ର ପ୍ରତିନିଧିମାନେ ସେମାନଙ୍କ ଦେଶରେ ଏଲ୍ପିଜି ଯୋଗାଣ ବ୍ୟବସ୍ଥା ତଥା ଭାରତର ବ୍ୟବସ୍ଥା ସମ୍ପର୍କରେ ବିଚାର ବିମର୍ଶ କରିବେ ।

ଏହି କାର୍ଯ୍ୟକ୍ରମରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ସଚିବ କେ.ବି ତ୍ରିପାଠୀ , ବିଭାଗର ବରିଷ୍ଠ ଅଧିକାରୀ , ଇଣ୍ଡିଆନ୍ ଅଏଲ୍ , ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ ଆଦି ରାଷ୍ଟ୍ରାୟତ ଉଦ୍ୟୋଗର ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ଅନୁଷ୍ଠିତ ଏହି ଅନ୍ତରାଷ୍ଟ୍ରୀୟ ସମ୍ମିଳନୀକୁ ଦେଶର ପ୍ରମୁଖ ଅନୁଷ୍ଠାନ ରିସର୍ଚ୍ଚ ଆଣ୍ଡ ଡେଭେଲପମେଂଟ ଇନିସିଏଟିଭ୍ ଦ୍ୱାରା ଆୟୋଜନ କରାଯାଇଛି ।

Share in top social networks!