ଓଡ଼ିଶା ବନ୍ଦର ଅଭୂତପୂର୍ବ ସଫଳତା ପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା: ପ୍ରସାଦ

ବିଜେଡ଼ି ଓ ବିଜେପି ପାଇଁ ଏହା ରାଜ୍ୟବାସୀଙ୍କ ଚେତାବନୀ
କଂଗ୍ରେସ ଏକଜୁଟ ହୋଇ ଲଢ଼ିଛି ହେଲେ କାମଳ ରୋଗୀକୁ ସବୁ ହଳଦିଆ ଦେଖାଯାଏ : ନରସିଂହ
• କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ ସଫଳ କରିଥିବା ଯୋଗୁଁ ରାଜ୍ୟବାସୀ ତଥା ବିଭିନ୍ନ ସଂଗଠନକୁ କୃତଜ୍ଞତା।
• ବନ୍ଦକୁ ବିଫଳ କରିବାପାଇଁ ପୋଲିସ ସହାୟତାରେ ସରକାରଙ୍କର କଂଗ୍ରେସ କର୍ମୀଙ୍କ ଉପରେ ଜୁଲମ। ୩,୫୦୦ ରୁ ଉର୍ଦ୍ଧ କଂଗ୍ରେସ ନେତା ଓ କର୍ମୀ ଗିରଫ।
• ବନ୍ଦକୁ ଭଣ୍ଡୁର କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ପ୍ରାୟୋଜିତ ହିଂସାକାଣ୍ଡ।
• ପ୍ରଦେଶ କଂଗ୍ରେସ କମିଟି ସଭାପତି, ବିରୋଧୀ ଦଳ ନେତା ଏବଂ କଂଗ୍ରେସର ବରିଷ୍ଠ ନେତାଙ୍କ ସହିତ ରାଜ୍ୟରେ ହଜାର ହଜାର କଂଗ୍ରେସକର୍ମୀ ଗିରଫ।
ଭୁବନେଶ୍ୱର: ଓଡ଼ିଶା ସରକାର ମହାନଦୀକୁ ନେଇ ରାଜ୍ୟ ବାସୀଙ୍କ ସହିତ ଯେଉଁ ମହାପ୍ରତାରଣା କରିଛନ୍ତି ତାହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ସଂପୂର୍ଣ୍ଣ ସଫଳ ହୋଇଛି। ମାଲକାନଗିରିର ମୋଟୁ ମାଥଲିଠାରୁ ଆରମ୍ଭ କରି ସୁନ୍ଦରଗଡ଼ ଜିଲା ପର୍ଯ୍ୟନ୍ତ ୩୦ ଟି ଜିଲାର ୩୧୪ ଟି ବ୍ଲକରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଏହି ବନ୍ଦକୁ ଅଭୂତପୂର୍ବ ସଫଳତା ଓ ବିପୁଳ ଜନସମର୍ଥନ ମିଳିଛି। ଓଡ଼ିଶାର ସ୍ୱାର୍ଥ ଓ ମହାନଦୀର ସୂରକ୍ଷା ପାଇଁ ସ୍ୱଳ୍ପ ସମୟ ମଧ୍ୟରେ ଦିଆଯାଇଥିବା ଏହି ବନ୍ଦ ଡାକରାକୁ ରାଜ୍ୟବାସୀ ଯେଉଁଭଳି ଭାବେ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଦେଲେ ସେଥିପାଇଁ ପିସିସି ପକ୍ଷରୁ ଗଭୀର କୃତଜ୍ଞତା ଜ୍ଞାପନ କରାଯାଇଛି। ଏ ସଫଳତା କେବଳ କଂଗ୍ରେସର ନୁହେଁ, ଏହା ଓଡ଼ିଶାର ଜନସାଧାରଣଙ୍କର ସଫଳତା ଓ ଏହା ବିଜେଡ଼ି-ବିଜେପି ପାଇଁ ରାଜ୍ୟବାସୀଙ୍କ ଚେତାବନୀ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ କହିଛନ୍ତି।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମହାନଦୀ ଉପରେ ଓଡ଼ିଶାର ଥିବା ହକ୍ରୁ ଗୋଟିଏ ବିନ୍ଦୁ ଜଳ ଛତିଶଗଡ଼କୁ ଦିଆଯିବ ନାହିଁ ବୋଲି ଓଡ଼ିଶାବାସୀ ଆଜି ଏହି ବନ୍ଦକୁ ସମର୍ଥନ ମାଧ୍ୟମରେ ଜଣାଇଦେଇଛନ୍ତି। ଏହି ବନ୍ଦର ଅଭୂତପୂର୍ବ ସଫଳତା ପରେ ମହାନଦୀ ପାଇଁ ବିଜେପିର ମିଛ ଲଢ଼େଇ ଓ ବିଜେଡ଼ିର ଭେଳିକିପୂର୍ଣ୍ଣ ମହାସଂଗ୍ରାମ ପଦାରେ ପଡ଼ିଯାଇଛି। ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ସମାଜର ବିଭିନ୍ନ ବର୍ଗର ଜନସାଧାରଣ ଅଭୂତପୂର୍ବ ସମର୍ଥନ ପ୍ରଦାନ କରିଥିବା ଯୋଗୁଁ ପିସିସି ସେମାନଙ୍କ ନିକଟରେ କୃତଜ୍ଞ। ଏହି ବନ୍ଦରେ ଖଣି ଖାଦାନ, କାରଖାନା, ବନ୍ଦର, ରେଳଚଳାଚଳ ଓ ସଡ଼କ ପରିବହନ ସଂପୂର୍ଣ୍ଣଭାବେ ବନ୍ଦ ରହିଥିଲା। ଖାସ୍କରି ବିଧିବଦ୍ଧ ପ୍ରସ୍ତାବ ମାଧ୍ୟମରେ ପିସିସିର ଏହି ବନ୍ଦକୁ ସମର୍ଥନ ପ୍ରଦାନ କରିଥିବା ହାଇକୋର୍ଟ ବାର୍ ଆସୋସିଏସନ୍, ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍, ଅଲ୍ ଓଡିଶା ବସ୍ ଓନର୍ସ ଆସୋସିଏସନ୍, ଅଲ୍ ଓଡିଶା ଟ୍ରକ ଓନର୍ସ ଆସୋସିଏସନ୍, ଓଡ଼ିଶା ବ୍ୟବସାୟୀ ମହାସଂଘ, ବିଭିନ୍ନ ଶ୍ରମଜୀବୀ ସଂଗଠନ, ରାଜ୍ୟର ଯୁବ, ଛାତ୍ର, ମହିଳା, ବୁଦ୍ଧିଜୀବି, କୃଷକ, ଶ୍ରମିକ କଂଗ୍ରେସ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଉଛି। ଓଡ଼ିଶାର ବୃହତ୍ତର ସ୍ୱାର୍ଥ ଓଡ଼ିଶାର ମା’ ନଦୀ ମହାନଦୀ ସୂରକ୍ଷା ପାଇଁ ହୋଇଥିବା ଏହି ବନ୍ଦ ପାଳନବେଳେ ଜନସାଧାରଣ କିଛି ସମସ୍ୟା ସମ୍ମୁଖିନ ହୋଇଥିବେ ନିଶ୍ଚୟ। ଏଥିପାଇଁ ମଧ୍ୟ ଦଳ ତରଫରୁ ଦୁଃଖ ପ୍ରକାଶ କରିବା ସହ ରାଜ୍ୟପାଇଁ ଏହି ଲଢ଼େଇରେ ସେମାନଙ୍କର ଯୋଗଦାନ ପାଇଁ ଶ୍ରୀ ହରିଚନ୍ଦନ କୃତଜ୍ଞତା ଜଣାଉଛୁ।
ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ନେତୃମଣ୍ଡଳୀ, ବିଭିନ୍ନ ଛାମୁଆ ସଂଗଠନର କର୍ମକର୍ତ୍ତା ଏକଜୁଟ ହୋଇ ରାଜ୍ୟବାସୀଙ୍କ ସ୍ୱାର୍ଥପାଇଁ ଏ ଲଢ଼େଇକୁ ସଫଳ କରିଥିବା ଯୋଗୁଁ ସଭାପତି ଶ୍ର୍ରୀ ହରିଚନ୍ଦନ କୃତଜ୍ଞତା ଜଣାଇଛନ୍ତି। କାଁ ଭାଁ କେତେକ ସ୍ଥାନରେ ଛୋଟ ଧରଣର ଗଣ୍ଡଗୋଳକୁ ଛାଡ଼ିଦେଲେ ବନ୍ଦ ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବରେ ସଂପର୍ଣ୍ଣ ହୋଇଛି। ବନ୍ଦ ସମୟରେ ଶାସକ ଦଳ ପକ୍ଷରୁ ବନ୍ଦକୁ ଭଣ୍ଡୁର କରିବାପାଇଁ ଅପଚେଷ୍ଟା କରାଯାଇଥିଲେ ମଧ୍ୟ ସାଧାରଣ ଜନତାଙ୍କ ସମର୍ଥନ ଯୋଗୁଁ ତାହା ଚରିତାର୍ଥ ହୋଇପାରିନାହିଁ। ଆଉ କିଛି ସ୍ଥାନରେ ପୋଲିସ୍ ଶାସକ ଦଳର ହାତ ବାରିସି ସାଜି କଂଗ୍ରେସ କର୍ମୀଙ୍କ ଉପରେ ଜୁଲମ କରିଥିଲେ ଏବଂ ସକାଳୁ ସକାଳୁ ରାଜ୍ୟଧାନୀ ସମେତ ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀଙ୍କୁ ଗିରଫ କରିଥିଲେ। ପୋଲିସ ପକ୍ଷରୁ ଗିରଫଦାରୀ ସତ୍ତ୍ୱେ ଓଡ଼ିଶାବାସୀଙ୍କର ଅକୁଣ୍ଠ ସମର୍ଥନ ଏହି ବନ୍ଦକୁ ସଫଳ କରିବାରେ ସାହାଯ୍ୟ କରିଛି। ଏ ଲଢ଼େଇ ବ୍ୟାପକ ହେବ। ବନ୍ଦ ପାଳନ ଲଢ଼େଇର ଶେଷ ନୁହେଁ ଆରମ୍ଭ ମାତ୍ର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ଗଣମାଧ୍ୟମ ବନ୍ଦର ସଠିକ ଚିତ୍ର ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରିଥିବା ଯୋଗୁଁ ଶ୍ରୀ ହରିଚନ୍ଦନ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନିରେ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଥିଲେ ଯେ ମହାନଦୀ ଜଳକୁ ନେଇ ରାଜ୍ୟର ବିଜେଡ଼ି ସରକାର ଓ ଛଚିଶଗଡ଼ର ବିଜେପି ସରକାର ଯେଉଁ ପ୍ରତାରଣା କରିଛନ୍ତି ତା ବିରୁଦ୍ଧରେ ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାକୁ ଜନସାଧାରଣ ବିପୁଳ ଜନସମର୍ଥନ ଦେଇଛନ୍ତି। କଂଗ୍ରେସ ଅଲଗା ଅଲଗା ଲଢ଼ୁଛି ବୋଲି ଶାସକଦଳ ପକ୍ଷରୁ କରାଯାଇଥିବା ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମିଶ୍ର କହିଥିଲେ ଯେ ଯିଏ ଅନ୍ଧ ତାକୁ ଦୁନିଆଟା ଅନ୍ଧାର ଦେଖାଯାଏ। ଯିଏ କାମଳ ବା ଜଣ୍ଡିସ୍ ରୋଗୀ ତାକୁ ସବୁ ହଳଦିଆ ଦେଖାଯାଏ। କଂଗ୍ରେସ ଏକଜୁଟି ହୋଇ ଲଢ଼ିଛି। କଂଗ୍ରେସ କେଉଁ ରଣନୀତି ନେଇ ମୈଦାନକୁ ଓହ୍ଲେଇବ ବା ଆମର ପ୍ଲାନିଂ କଣ ତାହା କ’ଣ ଆମେ ସମସ୍ତଙ୍କୁ ଆଗରୁ ଜଣାଇବୁ ବୋଲି ଶ୍ରୀ ମିଶ୍ର କହିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀର ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଶ୍ରୀ ଲୋକନାଥ ମହାରଥି ଓ ଛାତ୍ର କଂଗ୍ରେସର ସଭାପତି ଶ୍ରୀ ଇତିଶ ପ୍ରଧାନ ଉପସ୍ଥିତ ଥିଲେ।

Share in top social networks!