ଓଡ଼ିଶା ଛିତିଶଗଡ଼ ସରକାର ମହାନଦୀ ପ୍ରସଙ୍ଗରେ କରିଛନ୍ତି ମହାପ୍ରତରାଣା ପ୍ରତିବାଦରେ ପିସିସି ପକ୍ଷରୁ ଅଗଷ୍ଟ ୧୬ ରେ ଓଡ଼ିଶା ବନ୍ଦ ଡାକରା

bandh ଓଡ଼ିଶାର ବିଜେଡ଼ି ଓ ଛତିଶଗଡ଼ ବିଜେପି ସରକାର ମହାନଦୀକୁ ନେଇ ଓଡ଼ିଶା ରାଜ୍ୟ ବାସୀଙ୍କ ସହିତ ଯେଉଁ ମହାପ୍ରତାରଣା କରିଛନ୍ତି ତାହାର ପ୍ରତିବାଦରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ବୃହତ୍ତର ସ୍ୱାର୍ଥକୁ ରକ୍ଷାକରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆସନ୍ତା ଅଗଷ୍ଟ ୧୬ ତାରିଖ ଦିନ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରି ସଂପୂର୍ଣ୍ଣ ସଫଳ କରିବା ପାଇଁ ପିସିସି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି।
ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଥିଲେ ଯେ, ମହାନଦୀ ଓଡିଶାର ଜୀବନ ଧାରା। ମହାନଦୀ ଆମର ମା’। ମହାନଦୀର ଜଳ ଓଡିଶାବାସୀଙ୍କ ଜୀବନ। ମହାନଦୀ ଶୁଖିଲେ କେବଳ ଚାଷ ଉଜୁଡିବନି, ଅକାଳ ପଡିବନି, ମହାନଦୀ ଉପରେ ନିର୍ଭରଶୀଳ ଓଡିଶାବାସୀ ପିଇବାକୁ ପାଣି ମୁନେ୍ଦ ପାଇଁ ଛଟପଟ ହେବେ। ହେଲେ ଛତିଶଗଡ ସରକାର ଉପର ମୁଣ୍ଡରେ ବନ୍ଧ, ବ୍ୟାରେଜ୍ ନିର୍ମାଣ କରି ଓଡିଶାର ଜୀବନଧାରାକୁ ରୋକିବାକୁ ହୀନ ଉଦ୍ୟମ କରିଥିବା ବେଳେ ଓଡିଶା ସରକାର ସବୁ ଜାଣି ଓଡିଶାବାସୀଙ୍କ ପ୍ରତି ହୋଇଥିବା ବିଶ୍ୱାସଘାତକୁ ବରଦାସ୍ତ କରି ରାଜ୍ୟ ପ୍ରତି ମହାବିଶ୍ୱାସଘାତ କରିଛନ୍ତି। ଓଡିଶାରେ କଂଗ୍ରେସ ସରକାର ଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଦ୍ୱାରା ଲୋକାର୍ପିତ ହୀରାକୁଦ ଡ୍ୟାମ ପ୍ରତି ମଧ୍ୟ ଏବେ ବିପଦ ଦେଖା ଦେଇଛି। ତେଣୁ ଓଡିଶାର ବିଜେଡି ସରକାର ଓ ଛତିଶଗଡ ସରକାର ମହାନଦୀ ଜଳକୁ ନେଇ ରାଜ୍ୟ ପ୍ରତି କରିଥିବା ଧୋକାକୁ ପ୍ରଦେଶ କଂଗ୍ରେସ କମିଟି ବରଦାସ୍ତ କରିବ ନାହିଁ। ତେଣୁ ରାଜ୍ୟବାସୀଙ୍କ ପ୍ରତି ହୋଇଥିବା ଏହି ଧୋକ୍କାର ପ୍ରତିିବାଦରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୬ ତାରିଖରେ ଦିଆଯାଇଥିବା ବନ୍ଦ ଡାକରାକୁ ରାଜ୍ୟର ଛାତ୍ର, ଯୁବକ, ବୁଦ୍ଧିଜୀବୀ, କୃଷକ, ଶ୍ରମିକ ତଥା ସବୁବର୍ଗର ଜନ ସାଧାରଣ ସମର୍ଥନ କରିବା ପାଇଁ ଶ୍ରୀ ହରିଚନ୍ଦନ ଅନୁରୋଧ କରିଛନ୍ତି। କେବଳ ଏ ବନ୍ଦ ଡାକରା ନୁହେଁ, ମହାନଦୀ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଦୀର୍ଘ ସୂତ୍ରୀ ଆନେ୍ଦାଳନାତ୍ମକ ପଦକ୍ଷେପ ଦଳ ପକ୍ଷରୁ ନିଆଯିବ ବୋଲି ଶ୍ରୀ ହରିଚନ୍ଦନ ଘୋଷଣା କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର ପିସିସି ସଭାପତି କଂଗ୍ରେସ ଦଳ ପକ୍ଷରୁ ଯେଉଁ ବନ୍ଦ ଡାକରା ଦେଇଛନ୍ତି ତାକୁ ରାଜ୍ୟବାସୀ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ମହାନଦୀ ପ୍ରସଙ୍ଗରେ ଉଭୟ ଓଡିଶା ଓ ଛତିଶଗଡ ସରକାର ଓଡିଶାବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି। ସବୁକଥା ଜାଣି ରାଜ୍ୟ ସରକାର ନୀରବ ରହିଥିବା ବେଳେ ଏଭଳି ବିବାଦୀୟ ପରିସ୍ଥିତିରେ କେନ୍ଦ୍ର ସରକାର ହସ୍ତକ୍ଷେପ ନକରିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମିଶ୍ର କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ମହିଳା କଂଗ୍ରେସ ସଭାନେତ୍ରୀ ସସ୍ମିତା ବେହେରା, ରାଜ୍ୟ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥି, ପ୍ରଦେଶ କଂଗ୍ରେସ ମୁଖପାତ୍ର ଗିରିଜା ଶଙ୍କର ଦାଶ ଏବଂ ଅନ୍ୟତମ ମୁଖପାତ୍ର ସୌଗତ ମହାନ୍ତି ଉପସ୍ଥିତ ଥିଲେ।

Share in top social networks!